ଭୁବନେଶ୍ୱର ୨୮/୦୮: ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ତିହାର । ଏଥିପାଇଁ ଗାଁଠୁ ସହର ଉତ୍ସବମୁଖର ହୋଇ ଉଠୁଛି । ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀ ସମେତ ବିଭିନ୍ନ ଦେବଦେବୀଙ୍କ ପୀଠରେ ଲାଗି ହେବ ପ୍ରଥମ ନବାନ୍ନ । ସବୁପ୍ରକାର ପ୍ରସ୍ତୁତି ସରିଛି । ଘରେ ଘରେ ଚାଲିଛି ପିଠାପଣା ପ୍ରସ୍ତୁତି ।
ଇଷ୍ଟଦେବୀଙ୍କ ନିକଟରେ ନୂଆଧାନ ଲାଗି ହେବା ପରେ ପରିବାର ଖାଇବେ ନବାନ୍ନ ନୂଆଁଖାଇ ପାଇଁ ପୂରା ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇପଡ଼ିଛି । ସମସ୍ତ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ । ସେହିଭଳି କଣ୍ଟାପାଲି ଜମିଦାରଙ୍କ ଘରୁ ମାଆଙ୍କ ପାଇଁ ସ୍ୱତନ୍ତ୍ର ନୂଆଁଖାଇ ଭାର ଆସିଛି । ଏହାରି ଭିତରେ ମାଆଙ୍କ ଅଳଙ୍କାର ମାର୍ଜଣା ମଧ୍ୟ କରାଯିବ। ସମସ୍ତ ପ୍ରସ୍ତୁତି ସରିଛି । ଇଷ୍ଟଦେବୀଙ୍କୁ ପୂଜାର୍ଚ୍ଚନା ପରେ ନବାନ୍ନ ଖାଇବେ ପରିବାର ଲୋକେ ।
ହେଲେ ଅଣ ଜଳସେଚିତ ଅଞ୍ଚଳରେ ବର୍ଷା ଅନିୟମିତତା ଯୋଗୁଁ ଚାଷୀ ମନରେ ସେଭଳି ସରାଗ ଦେଖିବାକୁ ମିଳୁନାହିଁ । ତଥାପି ବିଧିରକ୍ଷା ପାଇଁ ମନରେ ଉତ୍ସାହ ଭରି ମାଟିର ପର୍ବକୁ ପାଳନ କରିବାକୁ ଅଣ୍ଟା ଭିଡ଼ିଛି ଚାଷୀ । ଗୁରୁବାର ପୂର୍ବାହ୍ଣ ୧୦ଟା ୩୩ରୁ ୧୦ଟା ୫୫ଟା ମଧ୍ୟରେ ନବାନ୍ନ ଅର୍ପଣ କରାଯିବ । ପରେ ପାଶ୍ୱର୍ଦେବଦେବୀଙ୍କୁ ନବାନ୍ନ ଲାଗି ହେବ । ପରେ ପଶ୍ଚିମ ଓଡ଼ିଶାବାସୀ ଘରର ଇଷ୍ଟ ଦେବଦେବୀଙ୍କ ନିକଟରେ ନବାନ୍ନ ଅର୍ପଣ କରି ନିଜେ ଖାଇବେ ।
ନବାନ୍ନ ପ୍ରସ୍ତୁତି ନିମନ୍ତେ ମା’ ସମଲେଇଙ୍କ ମୁଖ୍ୟ ପୂଜକଙ୍କ ନିକଟକୁ ୫ଦିନ ତଳୁ ନୂଆଁ ସରିଆ ଧାନ ପହଞ୍ଚି ସାରିଛି । ଧାର୍ଯ୍ୟ ଲଗ୍ନରେ ନବାନ୍ନ ଲାଗି ନିମନ୍ତେ ପୀଠରେ ପ୍ରସ୍ତୁତି ଜୋର୍ସୋର୍ରେ ଚାଲିଛି । ସାରା ପଶ୍ଚିମ ଓଡ଼ିଶାର ଘରେ ଘରେ ପରିବାର ସଦସ୍ୟ ଆସି ପହଞ୍ଚି ସାରିଛନ୍ତି । ପୂରା ପରିବାର ଏକାଠି ହେବା ପରେ ଘର ଉତ୍ସାହରେ ଫାଟି ପଡୁଛି ।