ଟ୍ରେନ ଟିକେଟ୍ ଉପରେ ଏବେ ମିଳିବ ୨୦% ରିହାତି, ରେଳବାଇଙ୍କ ବଡ଼ ଘୋଷଣା

Published By : Prameya-News7 Bureau | August 09, 2025 IST

ନୂଆଦିଲ୍ଲୀ ୯।୮: ରେଳବାଇ ଯାତ୍ରୀଙ୍କ ନିମନ୍ତେ ଏକ ବଡ଼ ଯୋଜନା ଲଞ୍ଚ କରିଛନ୍ତି। ଏହି ଯୋଜନା ଅନୁସାରେ ଏବେ ଟିକେଟ୍ ବୁକିଂ ଉପରେ ୨୦% ରିହାତି ମିଳିପାରିବ। ୮ ଅଗଷ୍ଟରେ ଜାରି ଏକ ଆଦେଶରେ ରେଳବାଇ ଏହି ସୂଚନା ଦେଇଛନ୍ତି। ଏହି ଯୋଜନାକୁ ‘ରାଉଣ୍ଡ ଟ୍ରିପ ପ୍ୟାକେଜ’ ନାମ ଦିଆଯାଇଛି। ଏହି ପ୍ୟାକେଜ ଅନୁସାରେ ଯଦି କେହି ଯାତ୍ରୀ ଏକ ସାଙ୍ଗରେ ଯିବା ଆସିବା ପାଇଁ ଟିକ୍ ବୁକ୍ କରନ୍ତି ତେବେ ତାଙ୍କୁ ୨୦% ରିହାତି ମିଳିବ। 

ପାର୍ବଣ ଋତୁରେ ଟ୍ରେନରେ ହେଉଥିବା ଭୀଷଣ ଭିଡ଼ ଓ ଟିକେଟ ପାଇଁ ମରାମରି ରୋକିବା ପାଇଁ ରେଳବାଇ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ରେଳବାଇ ଅନୁସାରେ ଯଦି କେହି ଯାତ୍ରୀ ଯିବା ଆସିବା ପାଇଁ ଟିକେଟ୍ ବୁକ୍ କରନ୍ତି ତେବେ ଫେରିବା ଭଡ଼ାରେ ୨୦% ରିହାତି ମିଳିବ। ଏଥି ପାଇଁ ଯାତ୍ରୀଙ୍କ ନାମ ଉଭୟ ଟିକେଟ୍ ରେ ସମାନ ହୋଇଥିବା ଆବଶ୍ୟକ। ଏହା ଛଡା ଦୁଇଟି ଜାକ ଟିକେଟ୍ ଗୋଟିଏ ଶ୍ରେଣୀର ହୋଇଥିବା ଆବଶ୍ୟକ। ଏହି ରିହାତି ଅକ୍ଟୋବର ୧୩ ତାରିଖରୁ ମିଳିବା ଆରମ୍ଭ କରିବ ଓ ଯାତ୍ରୀ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ କରିପାରିବେ। 

ଏହି ରିହାତି ଅନୁସାରେ ଆସିବା ତାରିଖ ୧୩ ଅକ୍ଟୋବରରୁ ୨୬ ଅକ୍ଟୋବର ୨୦୨୫ ମଧ୍ୟରେ ରହିବା ଦରକାର। ସେହିପରି ଫେରସ୍ତ ଟିକେଟ୍ ୧୭ ନଭେମ୍ବରରୁ ୧ ଡିସେମ୍ବର ମଧ୍ୟରେ ଯାତ୍ରା ପାଇଁ ହୋଇଥିବା ଆବଶ୍ୟକ। ଉଭୟ ପଟରୁ କନଫର୍ମ ଟିକେଟ୍ ରେ ଏହି ରିହାତି ମିଳିବ। ଏହା ଛଡା ଟିକେଟରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ଏଥିରେ ରିଫଣ୍ଡ ସୁବିଧା ମଧ୍ୟ ମିଳିବନାହିଁ। ଏହି ସୁବିଧା ଦେଶର ସବୁ ଟ୍ରେନ ଓ ସବୁ ଶ୍ରେଣୀରେ ମିଳିବ। ଏଣୁ ଉଭୟ ଟିକେଟ୍ ଗୋଟିଏ ସମୟରେ ଗୋଟିଏ ମାଧ୍ୟମରେ ବୁକ୍ ହୋଇଥିବା ଆବଶ୍ୟକ। ଯାତ୍ରୀ ଅନଲାଇନ ଓ ଅଫ ଲାଇନ ଉଭୟ ବୁକିଂରେ ଏହି ରିହାତି ଲାଭ ପାଇ ପାରିବେ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.