ବ୍ୟାଙ୍କ ଅଫ ମହାରାଷ୍ଟ୍ରରୁ ଲୁଟ୍ ଘଟଣା, ଝାଡ଼ଖଣ୍ଡରେ ଚାଲିଛି ପୋଲିସର ଜୋରଦାର ଚଢାଉ

NEWS7
now-nawazuddin-took-this-big-step-regarding-his-wife

ବଡ଼ବିଲ ୨୪।୦୧ : ବଡ଼ବିଲ ବ୍ୟାଙ୍କ ଅଫ ମହାରାଷ୍ଟ୍ର ଶାଖାରୁ ଡକାୟତି ଘଟଣା । ଅପରାଧୀଙ୍କୁ ଧରିବା ପାଇଁ ଝାଡ଼ଖଣ୍ଡରେ ଚାଲିଛି ଜୋରଦାର ଚଢାଉ । ଓଡ଼ିଶା ପୋଲିସ ସହ ସ୍ୱତନ୍ତ୍ର ଟିମ୍ ଝାଡଖଣ୍ଡ ପୋଲିସ ସହାୟତାରେ ଚାଲିଛି ଚଢାଉ । ହେଲେ ଧାନବାଦ ନିରସା ଥାନା ଅଞ୍ଚଳରେ ମା କାମାକ୍ଷା ଜୁଏଲର୍ସରେ ଚଢାଉ କରି କିଛି ଅଳଙ୍କାର ଜବତ କରିଥିବାର ଖବର ସାମ୍ନାକୁ ଆସିଛି।

ଗତ ୧୯ ତାରିଖ ଦିନ ଦ୍ୱିପହର ସମୟରେ ବଡ଼ବିଲ ବ୍ୟାଙ୍କ ଅଫ ମହାରାଷ୍ଟ୍ର ଶାଖାରୁ ବନ୍ଧୁକ ମୁନରେ ୪ ଲକ୍ଷ ନଗଦ ଟଙ୍କା ଏବଂ ୭ କୋଟିରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇଥିଲା । ସେମାନେ ଲୁଟ୍ ପରେ ସିସିଟିଭି ଫୁଟେଜ୍ର ଡିଭିଆ ମଧ୍ୟ ସାଥିରେ ନେଇଯାଇଥିଲେ। ଲୁଟ୍ ପରେ ଦୁର୍ବୃତ୍ତମାନେ ବାଇକ ଯୋଗେ ବିଲେଇପଦା ଦେଇ ନୂଆମୁଣ୍ଡି ରାସ୍ତାରେ ଝାଡ଼ଖଣ୍ଡକୁ ଖସିଯାଇଥିଲେ। ଏହାପରେ ଝାଡ଼ଖଣ୍ଡ ଓ ଓଡ଼ିଶା ପୋଲିସ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଏହିକ୍ରମରେ ଧାନବାଦ ନିରସା ଅଞ୍ଚଳର ଭୋଲଜୋରିଆ ରୋଡରେ ଥିବା ମା କାମାକ୍ଷ ଜୁଏଲର୍ସର ଚଢାଉ କରିଥିଲା ପୋଲିସ । ଏହି ଚଢାଉରେ ପୋଲିସକୁ ଲୁଟ୍ ହୋଇଥିବା କିଛି ଅଳଙ୍କାର ମିଳିଥିଲା । ଏହି ଚଢାଉ ପରେ ପୋଲିସ ଜୁଏଲାରୀ ମାଲିକଙ୍କ ବାସଭବନରେ ମଧ୍ୟ ରେଡ୍ କରିଥିଲା । ଶେଷରେ ଜୁଏଲର୍ସର ମାଲିକ ସମେତ ଦୁଇ ଜଣଙ୍କୁ ଗିରଫ କରି ଜେରା କରୁଥିବା ଜଣାପଡିଛି ।