ଜଳାବତରଣ ଉତ୍ସବରେ ଉତ୍ତରକୋରିଆର ଯୁଦ୍ଧପୋତ କ୍ଷତିଗ୍ରସ୍ତ, ଆକ୍ସନ ମୋଡରେ କିମ ଜୋଙ୍ଗ ଉନ

Published By : Prameya-News7 Bureau | May 22, 2025 IST

ସିଓଲ ୨୨।୫:ଉତ୍ତର କୋରିଆ ନୌସେନା ଯୁଦ୍ଧପୋତର ଜଳାବତରଣ ଉତ୍ସବରେ ଦୁର୍ଘଟଣାର ଶିକାର ହୋଇ କ୍ଷତିଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ଚୋଙ୍ଗଜିନ ପୋର୍ଟରେ ହୋଇଛି। କାର୍ଯ୍ୟକ୍ରମରେ ନିଜେ ରାଷ୍ଟ୍ରପତି କିମ୍ ଜୋଙ୍ଗ ଉନ ଉପସ୍ଥିତ ଥିଲେ। କୁହାଯାଉଛି ୫ହଜାର ଟନ ଓଜନର ଏହି ଯୁଦ୍ଧପୋତ ଏକ ବିଧ୍ୱଂସକ ଯୁଦ୍ଧ ପୋତ ଓ ଋଷିଆ ସହଯୋଗରେ ଉତ୍ତର କୋରିଆ ଏହାକୁ ନିର୍ମାଣ କରିଛି। ଏହି ଘଟଣା ଉତ୍ତର କୋରିଆ ନୌସେନା ଲାଗି ଅପମାନଜନକ ହୋଇଥିବା ବେଳେ କିମ ଜୋଙ୍ଗ ଉନ ସେନା ଅଧିକାରୀ ଓ ବୈଜ୍ଞାନିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜରୁରି ବୈଠକ ଡକାଇଛନ୍ତି। 

ଉତ୍ତର କୋରିଆ ସରକାରୀ ସମ୍ବାଦ ସରବରାହ ସଂସ୍ଥା କେସିଏନଏ ଅନୁସାରେ ଯୁଦ୍ଧପୋତକୁ ରାମ୍ପରୁ ସମୁଦ୍ରକୁ ଓହ୍ଲାଇବା ବେଳେ ଏହି ଅଘଟଣ ଘଟିଥିଲା। ଠିକ୍ ସମୟରେ ଫ୍ଲାଟ କ୍ୟାପ୍ ଚାଲି ନଥିଲା ଏଣୁ ଜାହାଜ ଅଣେଇ ହୋଇପଡିଥିବା ବେଳେ ଏହାର ନିମ୍ନ ଅଂଶ  ଦବିଯାଇ ଭାଙ୍ଗି ଯାଇଛି। ଏହି ଦୁର୍ଘଟଣାକୁ କିମ୍ ‘ଅପରାଧିକ ଅବହେଳା’ ବୋଲି କହିଛନ୍ତି। ଏଥି ପାଇଁ କିମ୍‌ ବୈଜ୍ଞାନିକ, ସେନା ଅଧିକାରୀ ଓ ସିପୟାର୍ଡ କର୍ମଚାରୀଙ୍କ ଉପରେ ‘ସମ୍ପୂର୍ଣ୍ଣ ଦାୟିତ୍ୱହୀନ ଓ ଅବୈଜ୍ଞାନିକ ମନବୃତ୍ତି’ର ଅଭିଯୋଗ ଆଣିଛନ୍ତି। 

କିମ୍ ଏହି ଦୁର୍ଘଟଣାର ଚର୍ଚ୍ଚା ପାଇଁ ୱାର୍କର୍ସ ପାର୍ଟିର ଜରୁରି ବୈଠକ ଡକାଇଛନ୍ତି। ଏହି ଯୁଦ୍ଧପୋତ ଉତ୍ତର କୋରିଆର ପ୍ରଥମ ବିଧ୍ୱଂସକ ଶ୍ରେଣୀର ଯୁଦ୍ଧପୋତ ଥିଲା ଓ ଏହାକୁ ଏପ୍ରିଲ ୨୫ ତାରିଖ ଦିନ ଅନାବରଣ କରାଯାଇଥିଲା। ଏହାକୁ ନ୍ୟୁକ୍ଲିୟର କ୍ରୁଜ ଓ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରରେ ସଜ୍ଜିତ କରିବାର ଯୋଜନା ଥିଲା। କିମ୍‌ ଏହାର କ୍ଷେପଣାସ୍ତ୍ର ପରୀକ୍ଷଣ ମଧ୍ୟ ଦେଖିଥିଲେ ଓ ଏହାକୁ ଆଗାମୀ ବର୍ଷରୁ ନୌସେନାରେ ସାମିଲ କରାଯିବାର ଥିଲା। 

ଉତ୍ତରକୋରିଆ ନୌସେନା ଯଦିଓ ଦକ୍ଷିଣକୋରିଆଠାରୁ ଦୁର୍ବଳ, ହେଲେବି ନୂଆ ଯୁଦ୍ଧପୋତ ଏହାର ଆକ୍ରମକ କ୍ଷମତାକୁ ବଢାଇ ପାରିଥାନ୍ତା। ଏହି ଦୁର୍ଘଟଣା ଏପରି ସମୟରେ ହୋଇଛି ଯେତେବେଳେ ଉତ୍ତର କୋରିଆ ନିଜର ପରମାଣୁ ଓ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମର ଦ୍ରୁତି ବୃଦ୍ଧି କରିଥିଲା। କିମ ଆମେରିକା ଓ ଏହାର ଏସୀୟ ସହଯୋଗୀଙ୍କ ଯୁଦ୍ଧାଭ୍ୟାସକୁ ନିଜ ସୁରକ୍ଷା ପାଇଁ ବିପଦ ମନେ କରି ନୌସେନାରେ ପରମାଣୁ ସକ୍ଷମ ବୁଡ଼ାଜାହାଜ ସାମିଲ କରିବା ପାଇଁ ମଧ୍ୟ ଘୋଷଣା କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.