ସିଓଲ ୮।୫: ଉତ୍ତରକୋରିଆ ଗୁରୁବାର ନିଜର ପୂର୍ବ ସମୁଦ୍ରକୁ ଲକ୍ଷ୍ୟକରି କେତେକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। ଏଣୁ କୋରିଆ ଉପଦ୍ୱୀପରେ ଉତ୍ତେଜନା ସୃଷ୍ଟି ହୋଇଛି। ଏ ନେଇ ଦକ୍ଷିଣ କୋରିଆ ସେନା ସୂଚନା ଦେଇ କହିଛି ଯେ ଉତ୍ତରକୋରିଆ ଭୋନସାନ ବନ୍ଦର ନିକଟରୁ ଏହି ପରୀକ୍ଷଣ କରିଛି। ଏ ଗୁଡିକ ସର୍ଟ ରେଞ୍ଜ କ୍ଷେପଣାସ୍ତ୍ର ଥିଲା ବୋଲି ଅନୁମାନ କରାଯାଉଛି। ଦକ୍ଷିଣ କୋରିଆ ଜଏଣ୍ଟ ଚିଫ ଅଫ ଷ୍ଟାଫ କହିଛନ୍ତି ଯେ ଏହି କ୍ଷେପଣାସ୍ତ୍ର ଗୁଡିକ କେତେ ଦୂର ଯାଇଛି ତାହା ଜଣା ପଡି ନାହିଁ।
ତେବେ ଉତ୍ତରକୋରିଆର ଏହି କାଣ୍ଡ ପରେ ଦକ୍ଷିଣ କୋରିଆ ନଜର କଡ଼ାକଡି କରିଛି ଓ ଏହି କ୍ଷେପଣାସ୍ତ୍ର ପରୀକ୍ଷଣ ସମ୍ପର୍କିତ ସୂଚନା ଆମେରିକା ଓ ଜାପାନକୁ ମଧ୍ୟ ଦେଇଛି। ଉଲ୍ଲେଖ ଯୋଗ୍ୟ ଯେ ଗତ କିଛି ଦିନ ହେଲା ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏହି ଉତ୍ତେଜନା ଯୋଗୁ ଭାରତ ୬ ଓ ୭ ମେ ରାତିରେ ପାକିସ୍ତାନର ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା। ଉଲ୍ଲେଖଯୋଗ୍ୟ ଯେ ଉତ୍ତର କୋରିଆ ଚଳିତ ବର୍ଷ ଏହି ପରୀକ୍ଷଣ ସହିତ ମୋଟ ୬ ଥର କ୍ଷେପଣାସ୍ତ୍ର ପରୀକ୍ଷଣ କଲାଣି।
ଏହା ପୂର୍ବରୁ ଉତ୍ତରକୋରିଆ ମାର୍ଚ୍ଚ ୧୦ ତାରିଖ ଦିନ କେତେକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିଲା। ଆମେରିକା ଓ ଦକ୍ଷିଣ କୋରିଆର ସମରାଭ୍ୟାସ କାଳରେ ଉତ୍ତରକୋରିଆ ଏହି କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିଲା। ଗତ କିଛିମାସ ହେଲା ଉତ୍ତର କୋରିଆ ନେତା କିମ୍ ଜୋଙ୍ଗ ଉନ ନ୍ୟୁକ୍ଲିୟର ଓ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ବୃଦ୍ଧି କରିଛନ୍ତି ଏହା ସହିତ ଋଷିଆ-ୟୁକ୍ରେନ ଯୁଦ୍ଧକୁ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ଯୋଗାଣ ମଧ୍ୟ କରୁଛନ୍ତି। ଉତ୍ତରକୋରିଆ ସରକାରୀ ଗଣମାଧ୍ୟମ ବୁଧବାର କିମ୍ ତାଙ୍କ ଗୋଳାବାରୁଦ କାରଖାନାଙ୍କୁ ତୋପ ଗୋଳା ନିର୍ମାଣ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଥିବାର ସୂଚିତ କରିଥିଲା।
ଉତ୍ତରକୋରିଆ ଗତ ମାସରେ ପ୍ରଥମ ଥର ସ୍ୱୀକାର କରିଥିଲା ଯେ ସେ ଋଷିଆକୁ ୧୫ ହଜାର ସୈନିକ ପଠାଇଛି। ଦକ୍ଷିଣ କୋରିଆ ଗୋଇନ୍ଦା ସୂଚନା ମୁତାବକ ଋଷିଆକୁ ଉତ୍ତରକୋରିଆ ପଠାଇଥିବା ମୋଟ ସୈନିକଙ୍କ ମଧ୍ୟରୁ ୫ ହଜାର ହୁଏତ ଯୁଦ୍ଧରେ ପ୍ରାଣ ହରାଇଛନ୍ତି ନଚେତ ଆହତ ହୋଇଛନ୍ତି। ସେହିପରି ୱାସିଂଟନ ଏବଂ ସିଓଲ ଅଭିଯୋଗ କରିଛନ୍ତି ଯେ ଋଷିଆକୁ ଉତ୍ତରକୋରିଆ ତୋପ, ଗୋଳା ଓ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଭଳି ଯୁଦ୍ଧୋପକରଣ ଯୋଗାଣ କରୁଛି। ଏଥିରେ ଗୁରୁବାର ହୋଇଥିବା କ୍ଷେପଣାସ୍ତ୍ର ପରୀକ୍ଷଣ କ୍ଷେତ୍ରରେ ଚିନ୍ତାର କାରଣ ପାଲଟିଛି। ଦକ୍ଷିଣକୋରିଆ, ଆମେରିକା ଓ ଜାପାନ ମିଳିତ ରୂପେ ଏହି ଘଟଣା ଉପରେ ନଜର ରଖିଛନ୍ତି।