ଯୌତୁକ ପାଇଁ ବଧୂ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସ୍ୱାମୀ ଗିରଫ: ଖସି ପଳାଉଥିବା ବେଳେ ଗୋଡକୁ ଗୁଳି ମାରିଲା ପୁଲିସ

Published By : Prameya-News7 Bureau | August 24, 2025 IST

indiatoday

ନୂଆଦିଲ୍ଲୀ: ନୋଏଡ଼ା ଯୌତୁକ ପାଇଁ ବଧୂ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ମହିଳାଙ୍କ ସ୍ୱାମୀ ବିପିନ ଭଟ୍ଟିକୁ ପୁଲିସ ଗିରଫ କରିଛି। ଶନିବାର ମାମଲାରେ ପୁଲିସ ବିପିନ ପାଖରେ ପହଞ୍ଚିବା ବେଳେ ସେ ପୁଲିସ ଠାରୁ ବନ୍ଧୁକ ଛଡ଼ାଇ ଖସିଯିବାକୁ ଚେଷ୍ଟା କରିଥିଲା। ପୁଲିସ ତାକୁ ଧରିବାକୁ ଗୁଳି ମାରିଥିଲା। ବିପିନ ଗୋଡ଼ରେ ଗୁଳି ବାଜିବାରୁ ସେ ଆହତ ହୋଇଛି। ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ଏଏନ୍‌ଆଇକୁ ପ୍ରତିକ୍ରିୟା ଦେଇ ବିପିନ କହିଛି ଯେ ସେ ତା ସ୍ତ୍ରୀକୁ ମାରି ନାହିଁ। ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ହୁଏ। ଆଉ ୟାଠାରୁ ଅଧିକ କିଛି ମୁଁ ଜାଣି ନାହିଁ ବୋଲି ବିପିନ କହିଛି। ହେଲେ ଗଣମାଧ୍ୟମ ହାତରେ ପଡ଼ିଥିବା ଫୁଟେଜରେ ବିପିନ ପତ୍ନୀ ନିକିଙ୍କୁ ନୃଶଂସ ମାଡ଼ ମାରୁଥିବା ଦେଖିବାକୁ ମିଳିଛି। ନିକିଙ୍କ ନାବାଳକ ପୁଅର କହିବା ଅନୁସାରେ ବାପା ବିପିନ ହିଁ ମାଆକୁ ଜାଳି ଦେଇଛି। 

୨୦୨୫ର ଆଧୁନିକ ଦୁନିଆରେ ସମସ୍ତେ ସ୍ୱବଲମ୍ବି ହେବାକୁ ଦୌଡ଼ୁଥିବା ବେଳେ ମାଗଣାରେ ଯୌତୁକ ପାଇବାର ଲୋଭ ଏଯାଏ ଯେ ଲୋକଙ୍କ ମନରେ ରହିଛି, ଆଉ ଲୋକେ ଏଇ ନିର୍ଜୀବ ଗାଡ଼ି ଘୋଡ଼ା ପାଇଁ ନିଜ ଜୀବନ ସାଥୀକୁ ହତ୍ୟା କରୁଛନ୍ତି, ଏହି ଘଟଣା ସମସ୍ତଙ୍କ ହୃଦୟ ଥରାଇ ଦେଇଛି। 

ପୋଲିସର କହିବା ଅନୁସାରେ, ବିପିନ ଠାରୁ ଜାଳେଣି ଇନ୍ଧନ ବୋଟଲ ଜବତ କରିବାକୁ ଯିବା ବେଳେ ସେ ପୁଲିସ ଅଧିକାରୀଙ୍କ ଠାରୁ ଏକ ପିସ୍ତଲ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲା। ବାରମ୍ବାର ଚେତାବନୀ ସତ୍ତ୍ୱେ ସେ ସିରସା ଛକ ନିକଟରେ ପୁଲିସ କବଳରୁ ଖସି ପଳାଇବାକୁ ଚେଷ୍ଟା କରିଥିଲା। ବାଧ୍ୟ ହୋଇ ପୋଲିସ ଗୁଳି ଚଳାଇବାରୁ ତା ଗୋଡ଼ରେ ଗୁଳି ବାଜିଥିଲା।

ପୁଲିସ ଗିରଫ ପରେ ବି ବିପିନ ମନରେ ଘଟଣା ପାଇଁ କୌଣସି ଦୁଃଖ ନଥିବା ପରିଲଖିତ ହୋଇଥିଲା। ମିଡିଆକୁ ପ୍ରତିକ୍ରିୟା ଦେଇ ବିପିନ କହିଛି “ମୋ ମନରେ କୌଣସି ଗ୍ଲାନି ନାହିଁ। ମୁଁ ତାକୁ(ପତ୍ନୀଙ୍କୁ) ମାରି ନାହିଁ। ସେ ନିଜେ ନିଜେ ମରିଛି। ମିଆଁ ବିବିଙ୍କ ମଧ୍ୟରେ ଏମିତି ଝଗଡ଼ା ହୁଏ। ଏହା ସାଧାରଣ କଥା।” 

ପୁଲିସ ଏନ୍‌କାଉଣ୍ଟର ପରେ ନିକିଙ୍କ ବାପା କହିଛନ୍ତି “ପୁଲିସ ଠିକ୍ କରିଛି। ଅପରାଧି ସବୁବେଳେ ଖସିଯିବାକୁ ଚେଷ୍ଟା କରେ। ଏବଂ ବିପିନ ଜଣେ ଅପରାଧି। ଅନ୍ୟ ଅଭିଯୁକ୍ତମାନଙ୍କୁ ବି ତୁରନ୍ତ ଗିରଫ କରାଯାଉ ବୋଲି ଆମେ ଅନୁରୋଧ କରୁଛୁ।”

ଘଟଣା ବିଷୟରେ ସୂଚନା ଦେଇ ଏଡିସିପି ସୁଧିର କୁମାର କହିଛନ୍ତି ଯେ ଅଗଷ୍ଟ ୨୧ ତାରିଖରେ ଆମକୁ ଘଟଣା ବିଷୟରେ ଖବର ମିଳିଥିଲା। ଆମେ ତୁରନ୍ତ ମାମଲା ରୁଜୁ କରି ମୃତ ମହିଳାଙ୍କ ସ୍ୱାମୀକୁ ଗିରଫ କରିଥିଲୁ। ତେବେ କେଉଁ ବୋଟଲରେ ସେ ଇନ୍ଧନ ଢାଳି ନିଆଁ ଲଗାଇଥିଲା ସେହି ବୋତଲ ଜବତ କରିବାକୁ ତାକୁ ଘଟଣା ସ୍ଥଳକୁ ଆଣିଥିଲୁ। ନିଆଁ ଲଗାଇବା ପରେ ସେ ଫିଙ୍ଗି ଦେଇଥିବା ବୋଟଲକୁ ଆମେ ଜବତ କଲାବେଳେ ସେ ପୁଲିସ ଠାରୁ ବନ୍ଧୁକ ଛଡ଼ାଇ ଖସି ପଳାଇବାକୁ ଚେଷ୍ଟା କରିଥିଲା। ପୁଲିସ ଧରିବାକୁ ଘେରାବନ୍ଦି କଲା ବେଳେ ସେ ବିପିନ ପୁଲିସ ଉପରେ ଗୁଳି ବି ଚଲାଇଥିଲା। ଆତ୍ମରକ୍ଷା ପାଇଁ ପୁଲିସ ଗୁଳି ମାଡ଼ କରିବାରୁ ତା ଗୋଡ଼ରେ ଗୁଳି ବାଜିଥିଲା। ଏହାପରେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମାମଲାରେ ତଦନ୍ତ ଜାରି ରହିଛି। ଘଟଣା ସ୍ଥଳରୁ ଥିନର ବୋଟଲ ଜବତ କରାଯାଇଛି ବୋଲି ଏଡିସିପି କହିଛନ୍ତି।

ମିଡିଆକୁ ପ୍ରତିକ୍ରିୟା ଦେଇ ୩୫ ବର୍ଷୀୟା ନିକିଙ୍କ ୬ ବର୍ଷର ନାବାଳକ ପୁଅ କହିଛି “ମୋ ମାଆ ଉପରେ କଣସବୁ ଡାଳିଦେଲେ ପୁଣି ତାକୁ ଚାପୁଡ଼ା ମାରିଲେ। ଏହାପରେ ଲାଇଟରେ ନିଆଁ ଲଗାଇ ଦେଇଥିଲେ। ” ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ କ୍ଲିପ୍‌ରେ ଦେଖାଯାଉଛି ଯେ ନିକିଙ୍କୁ ବିପିନ କେଶ ଘୋଷାରି ମାଡ଼ ମାରୁଛନ୍ତି। ଏବଂ ପରେ ନିଆଁରେ ଜଳିଯିବା ପରେ ଘରର ସିଡ଼ି ତଳେ ଚେକାମାଡ଼ି ବସିଥିବାର ଦେଖାଯାଉଛି।

ମୃତ ନିକିଙ୍କ ବାପା କହିଛନ୍ତି ସେ ଜ୍ୱାଇଁଙ୍କର ସବୁ ଡିମାଣ୍ଡ ପୂରା କରିଥିଲି। ତଥାପି ଶ୍ୱଶୁର ଘରୋ ମୋ ଝିଅ ନିର୍ଯାତିତ ହେଉଥିଲା। ସେ କହିଛନ୍ତି “"ପ୍ରଥମେ ସେମାନେ ଯୌତୁକରେ ଏକ ସ୍କୋର୍ପିଓ ଦାବି କରିଥିଲେ, ଯାହା ଦିଆଯାଇଥିଲା। ପରେ, ସେମାନେ ଏକ ବୁଲେଟ୍ ବାଇକ୍ ମାଗିଥିଲେ, ଏବଂ ତାହା ମଧ୍ୟ ଦିଆଯାଇଥିଲା। ତଥାପି, ସେମାନେ ମୋ ଝିଅକୁ ନିର୍ଯାତନା ଦେଇ ଚାଲିଥିଲେ।" 

ନିକିଙ୍କ ବାପା ନିକଟରେ ଏକ ମର୍ସିଡିଜ୍ କିଣିଥିଲେ, ଏଥିରେ ବି ଜ୍ୱାଇଁ ବିପିନ ଲୋଭ କରିଥିଲା। ମର୍ସିଡିଜ୍ ଆଣିବାକୁ ମଧ୍ୟ ସେ ଦାବି କରିଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତେବେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନନେଲେ ସେ ଅନସନ କରିବେ ବୋଲି ଚେତାବନୀ ଦେଇଛନ୍ତି। ସେ କହିଛନ୍ତି “ସେମାନେ ମୋ ବଡ଼ ଝିଅକୁ ହତ୍ୟା କରିଛନ୍ତି। ଏନକାଉଣ୍ଟର ପରେ ଅଭିଯୁକ୍ତଙ୍କୁ ଗିରଫ କରାଯିବା ଉଚିତ। ଏହା ଯୋଗୀ ଜୀଙ୍କ ସରକାର। ଅଭିଯୁକ୍ତଙ୍କ ବିରୁଦ୍ଧରେ ବୁଲଡୋଜର ବ୍ୟବହାର କରାଯିବା ଉଚିତ। ନଚେତ୍, ଆମେ ଅନଶନରେ ବସିବୁ।”

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.