ୱାସିଂଟନ ୨୮।୮: ଭାରତ ଉପରେ ଚଳିତବର୍ଷ ମୌସୁମୀ ବେଶ୍ ଦୟାବାନ ରହିଛି। ବଙ୍ଗୋପସାଗର ଓ ଆରବ ସାଗରରେ ଲଗାତାର ନୂଆ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ଯୋଗୁ ମୌସୁମୀ ଲଗାତାର ସକ୍ରିୟ ରହିଛି। ଫଳରେ ଉତ୍ତରରୁ ଦକ୍ଷିଣ ଓ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ଭୀଷଣ ବର୍ଷା ଲାଗି ରହିଛି। ଏଥି ପାଇଁ ଯେଉଁ କାରଣଟି ରହିଛି ତାହା ହେଉଛି ପ୍ରଶାନ୍ତ କ୍ଷେତ୍ରରେ ଅଲନିନା ସ୍ଥାନରେ ଲା ନିନା ସକ୍ରିୟ ରହିବା। ଭାରତରେ ଶୀତ ଋତୁ ଉପରେ ମଧ୍ୟ ଲା ନିନାର ବ୍ୟାପକ ପ୍ରଭାବ ରହିବ ବୋଲି ଏବେଠୁ ଅନୁମାନ କରାଗଲାଣି।
ଆମେରିକା ଜାତୀୟ ମହାସାଗରୀୟ ଏବଂ ବାୟୁ ମଣ୍ଡଳୀୟ ପ୍ରଶାସନ (ଏନଓଏଏ) ଲା ନିନା ପ୍ରଭାବୀ ହେବାର ପୂର୍ବାନୁମାନ ଜାରି କରିଛି। ଏହାର ପ୍ରଭାବ ନା କେବଳ ଇଣ୍ଡୋନେସିୟାରୁ ଆରମ୍ଭ କରି ଲାଟିନ ଆମେରିକା ପର୍ଯ୍ୟନ୍ତ ରହିବ ବରଂ ଭାରତୀୟ ଉପମହାଦ୍ୱୀପ ଉପରେ ମଧ୍ୟ ଏହାର ବ୍ୟାପକ ପ୍ରଭାବ ରହିବାର ସମ୍ଭାନା ରହିଛି। ଏଣୁ ଏ ବର୍ଷ ଭାରତରେ ହାଡ଼ଭଙ୍ଗା ଶୀତ ଅନୁଭୂତ ବୋଲି ଆକଳନ କରାଯାଉଛି।
ଏନଓଏଏଙ୍କ ଅନୁସାରେ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଲା ନିନା ବିକଶିତ ହେବାର ପାଖାପାଖି୍ ୫୩% ସମ୍ଭାବନା ରହିଛି। ବର୍ଷ ଶେଷ ବେଳକୁ ଏହି ସମ୍ଭାବନା ୫୮% ପର୍ଯ୍ୟନ୍ତ ପହଞ୍ଚି ପାରେ। ଥରେ ଏହା ଆରମ୍ଭ ହେବା ପରେ ଏହି ଜଲବାୟୁ ପାଟର୍ଣ୍ଣ ଅଧିକାଂଶ ସମୟ ଶୀତ ଋତୁ ପର୍ଯ୍ୟନ୍ତ ସକ୍ରିୟ ରହେ ଓ ପ୍ରାରମ୍ଭିକ ବସନ୍ତ ଋତୁକୁ ପ୍ରଭାବିତ କରେ। ଲା ନିନା ଏକ ପ୍ରାକୃତିକ ଜଳବାୟୁ ପ୍ରଣାଳୀ, ଯେଉଁଥିରେ ଭୂମଧ୍ୟ ରେଖୀୟ ପ୍ରଶାନ୍ତ ମହାସାଗରର ପାଣି ଅଧିକ ଥଣ୍ଡା ହୋଇଯାଏ। ଏହା ଉପର ବାୟୁମଣ୍ଡଳୀୟ ପାଟର୍ଣ୍ଣକୁ ମଧ୍ୟ ପ୍ରଭାବିତ କରେ, ଯେଉଁଥି ଯୋଗୁ ବୈଶ୍ୱିକ ପାଣିପାଗରେ ସୁଧାର ଆସେ।
ତେବେ ଅଲ ନିନା ହେଉ କି ଲା ନିନା ଉଭୟ ସ୍ଥିତିରେ ଉତ୍ତର ଗୋଲାର୍ଦ୍ଧ ଶୀତ ଋତୁରେ ଅଧିକ ପ୍ରଭାବିତ ହୋଇଥାଏ। ଏଥର ଲା ନିନାର ପ୍ରଭାବ ଅପେକ୍ଷାକୃତ କମ ରହିବ ବୋଲି ମନେ କରାଯାଉଛି। ଅର୍ଥାତ ଏହାର ପ୍ରଭାବ ସବୁ ଥର ଭଳି ଏଥର ସ୍ପଷ୍ଟ ରୂପେ ଅନୁଭୂତ ହେବ ନାହିଁ।
ଲା ନିନାର ଅର୍ଥ ତାପମାତ୍ରା ହ୍ରାସ
ଲା ନିନା ଏକ ଜଳବାୟୁ ପାଟର୍ଣ୍ଣ, ଯେଉଁଥିରେ ମଧ୍ୟପ୍ରଶାନ୍ତ ମହାସାଗରର ସମୁଦ୍ରପୃଷ୍ଠର ଜଳ ସ୍ୱଭାବିକରୁ ଅଧିକ ଥଣ୍ଡା ହୋଇଯାଏ। ଏଣୁ ସାରା ବିଶ୍ୱର ପାଣି ପାଗ ପ୍ରଭାବିତ ହୁଏ। ଏଥିଯୋଗୁ ସାଧାରଣତଃ ଭାରତରେ ମୌସୁମୀ ସକ୍ରିୟ ହେବା ସହିତ ଭୀଷଣ ବର୍ଷା କରାଇଥାଏ। ହେଲେ ଆମେରିକା ଓ ଦକ୍ଷିଣ ଆଫ୍ରିକାର କିଛି ଅଂଶରେ ମରୁଡି ଭଳି ପରିସ୍ଥିତି ସୃଷ୍ଟି କରିଥାଏ। ତେବେ ବୈଶ୍ୱିକ ତାପମାତ୍ରାରେ ମଧ୍ୟ ସାମାନ୍ୟ ସୁଧାର ଆସିଥାଏ। ଏହାର ବିପରୀୟ ଅଲନିନା ସକ୍ରିୟ ହେବା ସହିତ ଭାରତ ସମେତ ଅଧିକାଂଶ ଏସୀୟ ଦେଶରେ ଭୀଷଣ ଶୀତ ଅନୁଭୂତ ହୁଏ। ଆମେରିକୀୟ ପାଣିପାଗ ବିଜ୍ଞାନୀଙ୍କ ଅନୁସାରେ ଚଳିତ ବର୍ଷ ଏପରି ପାଗ ଅନୁଭୂତ ହେବ।