ପୁରୀ: ଶୃଙ୍ଖଳିତ ରଥଯାତ୍ରା ନିମନ୍ତେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ଦଇତାପତି ନିଯୋଗର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ଚଳିତବର୍ଷ ମହାପ୍ରଭୁଙ୍କର ପହଣ୍ଡି ବିଜେ ନୀତି କିଭଳି ଶୃଙ୍ଖଳିତ ଭାବେ ହୋଇପାରିବ, ଠାକୁରଙ୍କର ନୀତି କାନ୍ତି ମଧ୍ୟ ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହୋଇପାରିବ ସେନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦଇତାପତି ନିଯୋଗ ସହ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଛନ୍ତି। ତେବେ ଚଳିତବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଆୟୋଜନ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ସେପଟେ ମହାପ୍ରଭୁଙ୍କ ପହଣ୍ଡି ବିଜେ ନୀତିକୁ ଶୃଙ୍ଖଳିତ କରିବା ପାଇଁ ଦଇତାପତି ନିଯୋଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ନିଯୋଗର ସମ୍ପାଦକ ସୂଚନା ଦେଇଛନ୍ତି ।
Also read: ପ୍ରମାଣ ଥାଇ ବି କାହିଁକି ହେଉନି ଆକ୍ସନ, ନ୍ୟାୟ ପାଇଁ ସପରିବାର ଗୁହାରି କଲେ ମହିଳା RI
ମହାପ୍ରଭୁଙ୍କ ଘୋଷଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ମହାପ୍ରଭୁଙ୍କ ନୀତି କାନ୍ତି ସହିତ ପହଣ୍ଡି ବିଜେ ନୀତି ଶୃଙ୍ଖଳିତ ଭାବେ କରିବାକୁ ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏକ ସ୍ବତନ୍ତ୍ର ବୈଠକରେ ଆଲୋଚନା କରିଛନ୍ତି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ଦଇତାପତି ନିଯୋଗର ସଭାପତି, ସମ୍ପାଦକ, ଚାରି ବାଡ଼ଗ୍ରାହୀଙ୍କ ସମେତ ଯୁବ ଓ ବରିଷ୍ଠ ଦଇତାପତି ମାନେ ଯୋଗ ଦେଇଥିଲେ। ଚଳିତ ବର୍ଷ ରଥଯାତ୍ରାରେ ମହାପ୍ରଭୁଙ୍କର ପହଣ୍ଡି ବିଜେ ନୀତିରେ ଯେଭଳି କୌଣସି ବିଭ୍ରାଟ ନହୁଏ ସେନେଇ ଦଇତାପତି ନିଯୋଗ ପ୍ରତିଶ୍ରୁତି ଦେଇଛି। ଉଭୟ ବରିଷ୍ଠ ଏବଂ ଯୁବ ଦଇତାପତି ମାନେ ଉପସ୍ଥିତ ରହି ମହାପ୍ରଭୁଙ୍କ ପହଣ୍ଡି ନୀତି କରିବେ ବୋଲି ନିଯୋଗ ପକ୍ଷରୁ କୁହାଯାଇଛି।
ସେହିପରି ରଥ ଉପରେ ସେବାୟତ ମାନେ ମୋବାଇଲ୍ ଫୋନ୍ ବ୍ୟବହାର କରିବା ଉପରେ କଟକଣା ରହିବ। ଅଣ ସେବାୟତ ମଧ୍ୟ ରଥ ଉପରେ ଚଢି ପାରିବେ ନାହିଁ। ଶ୍ରୀମନ୍ଦିର ପ୍ରଶାସନ ର ଏହି ନିଷ୍ପତ୍ତିକୁ ଦଇତାପତି ନିଯୋଗ ସ୍ବାଗତ କରିଥିବା ବେଳେ ଏହି ନିୟମ କିଭଳି ସଠିକ୍ ଭାବରେ ଅନୁପାଳନ ହେବ ସେ ଦିଗରେ ନିଯୋଗ ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି ଦଇତାପତି ସେବାୟତ କହିଛନ୍ତି।
ଗତବର୍ଷ ଆଡ଼ପ ପହଣ୍ଡି ବେଳେ ବଡ଼ ଠାକୁର ପ୍ରଭୁ ବଳଭଦ୍ରଙ୍କ ରଥରେ ଅଘଟଣ ଘଟିଥିଲା। ସେଭଳି ଘଟଣା ଏଥର ଯେପରି ପୁନରାବୃତ୍ତି ନହୁଏ ଦଇତାପତି ନିଯୋଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ବୈଠକରେ କୁହାଯାଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ସେହିପରି ଚଳିତ ବର୍ଷ ଠାକୁରଙ୍କର ନବଯୌବନ ଓ ନେତ୍ରୋତ୍ସବ ଗୋଟିଏ ଦିନରେ ପଡ଼ିଥିବାରୁ ଶୃଙ୍ଖଳିତ ନୀତି କାନ୍ତି ଏବଂ ଦର୍ଶନ ପାଇଁ ମଧ୍ୟ ଆଲୋଚନା ହୋଇଛି। ସ୍ନାନ ମଣ୍ଡପରେ କେତେକ ଅନଧିକୃତ ବ୍ୟକ୍ତି ପ୍ରବେଶ କରିଥିବା ଅଭିଯୋଗ ଆସିଥିବା ବେଳେ ଭିଡିଓ ଫୁଟେଜକୁ ତନଖି କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ରଥ ଉପରେ ଅଣ ସେବାୟତ ଚଢିବା, ମୋବାଇଲ୍ ଫୋନ୍ ବ୍ୟବହାର କଲେ କରିବା ଉପରେ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ରଥ ଉପରେ ଅଣ ସେବାୟତ ଧରାପଡିଲେ ତାଙ୍କ ବିରୁଦ୍ଧରେ ଫୌଜଦାରୀ ମକଦ୍ଦମା ରୁଜୁ କରାଯିବ। ରଥଯାତ୍ରା ପରଦିନ ଠାରୁ ନିଳାଦ୍ରୀ ବିଜେର ପୂର୍ବଦିନ ପର୍ଯ୍ୟନ୍ତ ଯେଉଁ ସମୟ ରହିଛି ସେହି ସମୟ ଭିତରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ନେବାକୁ ASI କୁହାଯାଇଛି।
ମହାପ୍ରଭୁଙ୍କ ଆଗାମୀ ସୁନାବେଶ ସମୟରେ ରଥ ଉପରେ ଶ୍ରୀଜିଉଙ୍କ ଆଗରେ କେହି ସେବାୟତ ଉପସ୍ଥିତ ନରହିବାକୁ ଦଇତାପତି ନିଯୋଗ ସହ ଆଲୋଚନା ହୋଇଛି। ସେହିପରି ପହଣ୍ଡି ନୀତିକୁ ଶୃଙ୍ଖଳିତ କରିବା ପାଇଁ ଚଳିତ ବର୍ଷ ସ୍ବତନ୍ତ୍ର ପହଣ୍ଡି ଦଳ ଗଠନ ହେବ। ଯେଉଁଥିରେ ନିର୍ଦ୍ଧିଷ୍ଟ ସଂଖ୍ୟକ ସେବାୟତ ରହିବେ। ପହଣ୍ଡି କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପ୍ରଶାସନିକ ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ।