ନାଗପୁର: ଭାରତର ସ୍ୱାଧୀନତା ବହୁତ ବଡ଼ ଉପଲବ୍ଧି । ଏହାର ଶ୍ରେୟ ଜଣେ ବ୍ୟକ୍ତି କିମ୍ୱା ସଂସ୍ଥାକୁ ଦିଆଯାଇପାରିବ ନାହିଁ । ସ୍ୱାଧୀନତା ଲଢେଇରେ ଅଗଣିତ ଲୋକ ଓ ସଂଗଠନର ଯୋଗଦାନ ରହିଛି । ଶନିବାର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର ମୁଖ୍ୟ ମୋହନ ଭାଗବତ ଏହା କହିଛନ୍ତି ।
ମୋହନ ଭାଗବତ ନାଗପୁରରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ କହିଛନ୍ତି, ସ୍ୱାଧୀନତା ପାଇଁ ଲଢେଇ ୧୮୫୭ ବିଦ୍ରୋହରୁ ଆରମ୍ଭ ହୋଇଥିଲା । ଏହି ବିଦ୍ରୋହ ସ୍ୱାଧୀନତା ପାଇଁ ନିଆଁ ଲଗାଇଥିଲା । ଆରଏସଏସ୍ ମୁଖ୍ୟ କହିଛନ୍ତି, 'ଦେଶକୁ ସ୍ୱାଧୀନତା କିପରି ମିଳିଲା, ଏହା ଉପରେ କଥା ହେବା ବେଳେ ଅନେକ ସମୟରେ ସତକୁ ଅଣଦେଖା କରାଯାଇଥାଏ । ଏହି ସ୍ୱାଧୀନତା ଜଣେ ବ୍ୟକ୍ତି ପାଇଁ ମିଳିନି । ୧୮୫୭ ପରେ ସାରା ଦେଶରେ ସ୍ୱାଧୀନତା ଲଢେଇ ପାଇଁ ଲୋକଙ୍କ ମନରେ ନିଆଁ ଲାଗିଥିଲା ।' ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁସାରେ ଭାଗବତ ସ୍ୱାଧୀନତାରେ ଯୋଗଦାନ ଦେଇଥିବା ଅଗଣିତ ଲୋକ ଓ ସଂଗଠନର ଉଲ୍ଲେଖ କରିଛନ୍ତି । ତେବେ ନିଜ ଭାଷଣରେ ସେ କୌଣସି ସଂଗଠନ କି ବ୍ୟକ୍ତିଙ୍କ ନାଁ ନେଇନାହାନ୍ତି ।
ଏହା ପୂର୍ବରୁ ଶୁକ୍ରବାର ଭାଗବତ ଆରଏସ୍ଏସ୍ର ଭୂମିକା ଏବଂ ବିଚାରଧାରା ଉପରେ ମଧ୍ୟ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଆରଏସ୍ଏସ୍ର ଶକ୍ତି ଏବଂ ଦୁର୍ବଳତା ବିଷୟରେ କଥାବାର୍ତ୍ତା କରୁଥିବା ଅନେକ ଲୋକ ହୁଏତ ଏହାକୁ ଠିକ୍ ଭାବରେ ଜାଣନ୍ତି ନାହିଁ । ସେ କହିଥିଲେ, 'ଯେଉଁମାନେ ଆମ ସଂଗଠନକୁ ବୁଝିବା ପାଇଁ ସମୟ ବାହାର କରନ୍ତି, ସେମାନେ ବହୁତ ପ୍ରଭାବିତ ହେବା ସହ ଅନେକ କିଛି ଶିଖିଥିବା କୁହନ୍ତି ।' ସେ ଏହା ବି କହିଥିଲେ ଯେ ଆରଏସ୍ଏସ୍ ସମର୍ପିତ ସ୍ୱୟଂସେବକଙ୍କ ବଳିଦାନରୁ ଶକ୍ତି ପାଇଥାଏ ।
ସେ କହିଥିଲେ, ଆରଏସ୍ଏସ୍ରେ ଜଣେ ବ୍ୟକ୍ତିଙ୍କ ପ୍ରଶଂସା ହୁଏ ନାହିଁ, ବରଂ ସବୁ ସଦସ୍ୟଙ୍କ ସାମୁହିକ ପ୍ରୟାସ ମହତ୍ୱପୂର୍ଣ୍ଣ ହୋଇଥାଏ । ସେ କହିଥିଲେ, ଆରଏସ୍ଏସ୍ରେ ସବୁଠୁ ବଡ଼ ପଦ ଜଣେ ସାଧାରଣ ସ୍ୱୟଂସେବକର ହୋଇଥାଏ । ଭାଗବତ କହିଥିଲେ ଯେ ସମର୍ପିତ ସଦସ୍ୟ ନିଜର ଦୈନନ୍ଦିନ ଜୀବନରେ ନିସ୍ୱାର୍ଥ ଭାବରେ ସେବା କରନ୍ତି ଓ ଏହା ହିଁ ଆରଏସ୍ଏସ୍ର ପ୍ରକୃତ କାମ ।