ଭୁବନେଶ୍ବର: କିଛି ଦିନ ହେବ ରାଜ୍ୟରେ ବଦଳିଛି ପାଗର ମିଜାଜ। ଆଗୁଆ ମୋସୁମୀ ଓଡ଼ିଶା ଛୁଇଁଥିଲେବି ଏହାର ପ୍ରଭାବ ଦେଖିବାକୁ ମିଳୁନି, ବରଂ ସକାଳେ ଗରମ ସାଙ୍ଗକୁ ଗୁଳୁଗୁଳି, ଆଉ ଅପରାହ୍ନରେ କାଳବୈଶାଖୀ। ଏଭଳି ସ୍ଥିତି ଆସନ୍ତା ୧୦ ତାରିଖ ଯାଏ ଲାଗି ରହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାବେଳେ, ଆସନ୍ତା ୨୪ ଘଣ୍ଟା ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି।
ପାଣିପାଗ ବିଭାଗର ସୂଚନା ଅନୁସାରେ ୧୦ ଜୁନ୍ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ। କିଛି ଜିଲ୍ଲାରେ ଘଣ୍ଟା ପ୍ରତି ପବନର ବେଗ ୩୦ରୁ ୪୦ କିଲୋମିଟର ରହିବ । ଏନେଇ ୨୪ ଘଣ୍ଟା ପାଇଁ ପ୍ରାୟ ରାଜ୍ୟର ସମସ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ। ସେହିପରି ଉଷ୍ମ ଆର୍ଦ୍ରତା ସ୍ଥିତି ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ବର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡ଼ା,କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା,ନୟାଗଡ଼ ଗଞ୍ଜାମ,ଗଜପତି । ଏଭଳି ପାଗ ଆସନ୍ତା ୧୦ ତାରିଖ ଯାଏଁ ଜାରୀ ରହିବ।
ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ବାୟୁମଣ୍ଡଳର ଉପରି ଭାଗରେ ଜଳୀୟ ବାଷ୍ପ ଆବଶ୍ୟକତା ଠାରୁ ଢେର ଅଧିକ ରହିଛି। ପ୍ରଭାବରେ ଅତିଶୟ ଗରମ ଗୁଳୁଗୁଳି ଅନୁଭୂତ ହେଉଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ । ଆସନ୍ତା ୭ ଦିନ ଯାଏ ଏଭଳି ପାଗରୁ କୌଣସି ପରିବର୍ତ୍ତନ ନାହିଁ । ରାଜ୍ୟରେ ବ୍ରେକ ମନସୁନ ସ୍ଥିତିରେ ବେହାଲ ହେଲେଣି ରାଜ୍ୟବାସୀ । ତେବେ ମନସୁଣ୍ଟ ସମୟରେ କୌଣସି ସିଷ୍ଟମ ନ ରହିଲେ ବର୍ଷା ଉଭେଇ ଯାଇଥାଏ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ। ବର୍ତ୍ତମାନ ହଟ ଡେ ସ୍ଥିତିରେ ସଭିଏଁ ସନ୍ତୁଳି ହେଉଥିବା ବେଳେ ୧୨ ପୂର୍ବରୁ ବର୍ଷା ନାହିଁ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ।
ଗତ ୨୪ ଘଣ୍ଟାରେ ସର୍ବାଧିକ ବର୍ଷା ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁରରେ ୪୬.୮ ମିଲିମିଟର ରେକର୍ଡ କରାଯାଇଛି। ସେହିପରି ସର୍ବାଧିକ ତାପମାତ୍ରା ୩୮.୪ ଡିଗ୍ରୀ ସେଲସିୟସ ଝାରସୁଗୁଡ଼ାରେ ରେକର୍ଡ କରାଯାଇଛି।