ଅଣଦେଖା ରାଜଧାନୀର ଭୋଟପଡ଼ା ଲୋକନାଥ ବିହାର ଅଞ୍ଚଳ, ରାସ୍ତା ନାହିଁ କି ଆଲୋକ ସୁବିଧା ନାହିଁ

Published By : Prameya-News7 Bureau | July 03, 2025 IST

ଭୁବନେଶ୍ଵର: ଚିନ୍ତା ବଢ଼ାଉଛି ରାସ୍ତା ସମସ୍ୟା । ପୁଣି ଅସରାଏ ବର୍ଷାରେ ବେହାଲ ଅଞ୍ଚଳ। ଆମେ କହୁଛୁ ଭୁବନେଶ୍ଵର ଚକେଇସିହାଣୀ ସ୍ଥିତ ଭୋଟପଡ଼ା ଲୋକନାଥ ବିହାର ଅଞ୍ଚଳ । ଯେଉଁଠି ହଜାର ହଜାର ଲୋକଙ୍କ ବସତି ଅଛି କିନ୍ତୁ ମୌଳିକ ସୁବିଧାରୁ ବଞ୍ଚିତ ଲୋକେ । ସେପଟେ ବିଏମସି ଚୁପ୍ । ଲୋକେ କହିଛନ୍ତି ରାସ୍ତା ବିଜୁଳି କାମ କର ନଚେତ୍ ଆନ୍ଦୋଳନକୁ ଓହ୍ଲାଇବୁ। 

ଭୁବନେଶ୍ଵର ଭୋଟପଡ଼ା ଲୋକନାଥ ବିହାର ଅଞ୍ଚଳର ଅବସ୍ଥା ନ କହିବା ଭଲ । ଯେଉଁଠି ପ୍ରମୁଖ ସମସ୍ୟା ପାଲଟିଛି ଗମନାଗମନ। ଯେଉଁଠି ରାସ୍ତା ଛୋଟ । ସେଥିରେ ପୁଣି ଖାଲ ଢ଼ିପ । ପାଦେ ପାଦେ କାଦୁଆ କଚଡା । ଗାଡ଼ି ମଟର ଯିବା ତ ଦୂରର କଥା ଚାଲିକି ଯିବା ଅସମ୍ଭବ । ଏଠାରେ ଶହେରୁ ଉର୍ଦ୍ଧ୍ବ ପରିବାର ରହୁଥିବା ବେଳେ ପାଖାପାଖି ୨ ହଜାର ଲୋକ ବସବାସ କରୁଛନ୍ତି । ରାତି ପାହିଲେ ଛୋଟ ଛୋଟ ପିଲାମାନେ ସ୍କୁଲ ଯାଇ ପାରୁ ନାହାଁନ୍ତି ।  ଅଫିସ୍ ହେଉ ଅବା ମାର୍କେଟ ସଭିଏଁ ବାହାରନ୍ତି ନିଜ ନିଜ କାର୍ଯ୍ୟକୁ। କିନ୍ତୁ ରାସ୍ତା ସାଜିଛି ବାଧକ । 


ବାରମ୍ବାର ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ । ଏନେଇ ବିଏମସିକୁ ଜଣାଇଲେ ମଧ୍ୟ ଫଳ ଶୂନ। ଏଥର ଲୋକେ କିନ୍ତୁ ନିଜ ଚେଷ୍ଟାରେ ରାସ୍ତାରେ ମାଟି ପକାଇଛନ୍ତି । କିନ୍ତୁ ସେ ଚେଷ୍ଟା ମଧ୍ୟ ବେଶି ଦିନ ତିଷ୍ଠିଲାନି । ନିକଟରେ ଡ୍ରେନେଜ୍ କାମ ଚାଲିଥିବା ବେଳେ ବଡ ବଡ ଯାନ ଆସି ମାଟି ରାସ୍ତାକୁ ନଷ୍ଟ କରି ଦେଇଛି । ଲୋକଙ୍କ ଅଭିଯୋଗ କାମ ହେଉ କିନ୍ତୁ ରାସ୍ତା ସୁବିଧା ପାଇଁ ଦାବି କରିଛନ୍ତି। 

ଭୋଟପଡ଼ା ଲୋକନାଥ ବିହାର ଅଞ୍ଚଳ ବିଏମସୀ ଅଧୀନ ୧୦ ନମ୍ୱର୍ ୱାର୍ଡରେ ଯାଉଛି । କିନ୍ତୁ ଏବେବି ମୌଳିକ ସୁବିଧା ଠାରୁ ବହୁତ ଦୁରରେ ଅଞ୍ଚଳ। ଏଠି ଲାଇନ୍ ଖୁଣ୍ଟ ଲାଗିଛି । ଲୋକେ ବିଦ୍ୟୁତ୍ ଟିକସ ମଧ୍ୟ ଦେଉଛନ୍ତି, କିନ୍ତୁ ବିଦ୍ୟୁତ୍ ସଂଯୋଗ ଏଯାବତ୍ ହୋଇପାରିନି । ଲୋକଙ୍କ ଚେତାବନୀ ବିଏମସି ନ ଶୁଣିଲେ ଆନ୍ଦୋଳନ ସୁନିଶ୍ଚିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.