କିଏ କହିବାରୁ ଅସ୍ତ୍ରବିରତି ହୋଇନି, ରାହୁଲ ଗାନ୍ଧୀଙ୍କ ପ୍ରତିଟି ପ୍ରଶ୍ନର ଉତ୍ତର ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

Published By : Prameya-News7 Bureau | July 29, 2025 IST

ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ପରେ ଅପରେସନ ସିନ୍ଦୂରକୁ ନେଇ ଲୋକସଭାରେ ମହାବିତର୍କ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସଂସଦର ମୌସୁମୀ ଅଧିବେଶନରେ ‘ଅପରେସନ ସିନ୍ଦୂର’ ଉପରେ ଆଲୋଚନା ସମୟରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତିଟି ପ୍ରଶ୍ନର ଜବାବ ଦେଇଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଅସ୍ତ୍ର ବିରତି ନିଷ୍ପତ୍ତି ଦୁଇ ଦେଶ ମଧ୍ୟରେ ଆଲୋଚନା ପରେ ନିଆଯାଇଥିଲା। ଏଥିରେ କୌଣସି ବି ବାହ୍ୟ ନେତାଙ୍କ ତିଳେ ମାତ୍ର ଭୂମିକା ନାହିଁ। 

ରାହୁଲ ଗାନ୍ଧୀ କହିଥିଲେ, ଅପରେସନ ସିନ୍ଦୂର ସମୟରେ ସରକାର ପାଇଲଟ୍‌ଙ୍କ ହାତ ବାନ୍ଧି ଦେଇଥିଲେ। ଏହାର ଜବାବରେ ପିଏମ ମୋଦୀ କହିଛନ୍ତି, ଆମେ ସେନାର କ୍ଷମତା ଓ ସାମର୍ଥ୍ୟ ଉପରେ ପୂରା ଭରସା ଥିଲା ଏବଂ ସେନାକୁ ପୂର୍ଣ୍ଣ ସ୍ଵାଧୀନତା ଦେଇଥିଲୁ। ପହଲଗାମ ଆତଙ୍କୀ ହମଲା ପରେ ଆମେ ସଂକଳ୍ପ ନେଇଥିଲୁ ଯେ ଆତଙ୍କବାଦୀଙ୍କ ମୁଖିଆଙ୍କୁ ଦୃଢ ଜବାବ ଦିଆଯିବ। ଆତଙ୍କବାଦୀଙ୍କୁ କଳ୍ପନାଠୁ ଅଧିକ ଦଣ୍ଡ ଦେବା ଏବଂ ସେମାନଙ୍କୁ ମାଟିରେ ମିଶାଇବାକୁ ସଂକଳ୍ପ ନେଇଥିଲୁ। 

ରାହୁଲ ଗାନ୍ଧୀ ନିଜ ଭାଷଣରେ କହିଥିଲେ ଯେ, ଡୋନାଲ୍ଡ ଟ୍ରମ୍ପ ୨୯ ଥର ଦାବି କରି ସାରିଛନ୍ତି ଯେ, ଅପରେସନ ସିନ୍ଦୂର ସମୟରେ ସେ ଅସ୍ତ୍ରବିରତି କରାଇଛନ୍ତି। ଯଦି ପିଏମ ମୋଦୀଙ୍କ ପାଖରେ ଇନ୍ଦିରା ଗାନ୍ଧୀଙ୍କ ସାହାସର ୫୦ ପ୍ରତିଶତ ଥାଆନ୍ତା ତେବେ ସେ କୁହନ୍ତୁ ଟ୍ରମ୍ପ ମିଛ କହୁଛନ୍ତି। ଏହାର ଜବାବରେ ମୋଦୀ ଅସ୍ତ୍ରବିରତିକୁ ନେଇ ହେଉଥିବା ଦାବିକୁ ଲୋକସଭାରେ ଖଣ୍ଡନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦୁନିଆରେ କୌଣସି ବି ଦେଶ ଭାରତକୁ ନିଜର ସୁରକ୍ଷା ପାଇଁ କାର୍ଯ୍ୟାନୁଷ୍ଠାନ ନେବାରେ ରୋକି ନାହାନ୍ତି। ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ କହିଥିଲେ ଯେ, ପାକିସ୍ତାନ ବଡ଼ ଧରଣର ହମଲା କରିବାକୁ ଯୋଜନା କରୁଛି। ଉତ୍ତରରେ ମୁଁ ଭାନ୍ସକୁ କହିଥିଲି ଯେ, ପାକିସ୍ତାନକୁ ଏହାର ପରିଣାମ  ଭୋଗିବାକୁ ପଡ଼ିବ।

ଅପରେସନ ସିନ୍ଦୂର ଉପରେ ଆଲୋଚନା ସମୟରେ ରାହୁଲ କହିଥିଲେ, ଏକ ନୂଆ ଶବ୍ଦର ପ୍ରଚଳନ ଚାଲିଛି। ନ୍ୟୁ ନର୍ମାଲ। ଭାଷଣରେ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ସମସ୍ତ ଦେଶ ଆତଙ୍କବାଦକୁ ନିନ୍ଦା କରିଛନ୍ତି। କିନ୍ତୁ ବୈଦେଶିକ ମନ୍ତ୍ରୀ ଏହା ଜଣାଇଲେ ନାହିଁ ଯେ, ପହଲଗାମ ପରେ ଗୋଟିଏ ବି ଦେଶ ଦେଶ ପାକିସ୍ତାନର ନିନ୍ଦା କରି ନାହାନ୍ତି। ରାହୁଲଙ୍କ ଏହି ଟିପ୍ପଣୀ ଉପରେ ଗୃହରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,  ମିଳିତ ଜାତିସଂଘର ୧୯୩ ଦେଶରୁ କେବଳ ୩ଟି ଦେଶ ପାକିସ୍ତାନ ସମର୍ଥନରେ ବୟାନ ଦେଇଥିଲେ। କ୍ଵାଡ୍, ବ୍ରିକ୍ସ ଯେ କୌଣସି ଦେଶ, ସମଗ୍ର ଦୁନିଆରୁ ଭାରତକୁ ସମର୍ଥନ ମିଳିଛି। 

ଲୋକସଭାରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଦେଶ ନୀତିକୁ ନେଇ ସ୍ପଷ୍ଟ କରୁଛି ଯେ, ପହଲଗାମ ହମଲା ପରେ ଦୁନିଆର ସମର୍ଥନ ମିଳିଛି। ମାତ୍ର ଦୁର୍ଭାଗ୍ୟର କଥା ମୋ ଦେଶର ବୀର ପରାକ୍ରମଙ୍କୁ କଂଗ୍ରେସର ସମର୍ଥନ ମିଳିଲା ନାହିଁ। ଅପରେସନ ସିନ୍ଦୂର ଉପରେ ପ୍ରଶ୍ନ ଉଠାଇ ବିରୋଧୀ ମିଡିଆର ଶିରୋନାମା ପାଲଟିପାରେ ମାତ୍ର, ଦେଶବାସୀଙ୍କ ହୃଦୟ ଜିତି ପାରିବ ନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.