ମୃତ ମା’ର ଶାଢ଼ୀରେ ଫାଶୀ ତିଆରି କରିଥିଲା ବାପା; ୫ ପିଲାଙ୍କୁ କହିଲା ଝୁଲିପଡ଼, ୪ ମୃତ

NEWS7
no-money-to-run-congress-even-corporates-are-not-funding-party-leaders-expressed-concern

ପାଟନା: ସ୍ତ୍ରୀ ଚାଲିଯିବା ପରେ ୫ ପିଲାଙ୍କୁ ପାଳିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା । ୩ ଝିଅ, ବୟସ ୭-୧୧ ବର୍ଷ ମଧ୍ୟରେ ହେବ । ଆଉ ଦୁଇଟି ପୁଅଙ୍କୁ ନେଇ ସଂସାର । କିନ୍ତୁ ସ୍ତ୍ରୀର ମୃତ୍ୟୁ ହେବା ପରେ ଅର୍ଥାଭାବ ଏବଂ ପରିବାରର ବୋଝ ଭାରି ହୋଇପଡ଼ିଥିଲା । ଶେଷରେ ବାପା ନେଇଛି ଚରମ ନିଷ୍ପତ୍ତି । ନିଜେ ନିଜର ଜୀବନ ନେଇଛି ଏବଂ ୩ ଝିଅକୁ ହତ୍ୟା କରିଥିବା ନେଇ ଅଭିଯୋଗ ବି ହୋଇଛି ।

ବିହାର ମୁଜାଫରପୁରର ଏହି ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି । ମୃତ ବ୍ୟକ୍ତିଙ୍କ ନାଁ ଅମରନାଥ ରାମ ବୋଲି ଜଣାପଡ଼ିଛି। ମୃତ ୩ ଝିଅ ରାଧା କୁମାରୀ, ରାଧିକା ଏବଂ ଶିବାନୀ । ରବିବାର ବିଳମ୍ବିତ ରାତିରେ ସାକ୍ରା ଥାନା ଅନ୍ତର୍ଗତ ନାଭାଲପୁର ମିଶରୋଲି ଗାଁରେ ଘଟିଛି ଏହି ହୃଦୟ ବିଦାରକ ଘଟଣା । ପ୍ରକୃତରେ ବାପା ୫ ପିଲାଙ୍କୁ ମାରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଦୁଇ ପୁଅ ଅଳ୍ପକେ ବର୍ତ୍ତି ଯାଇଥିଲେ । ସେମାନେ ଘଟଣା ସଂପର୍କରେ ପଡ଼ୋଶୀଙ୍କୁ ଜଣାଇଥିଲେ ।

ଗାଁ ଲୋକେ ପୋଲିସକୁ କହିଛନ୍ତି ଯେ, ଅମରନାଥଙ୍କ ଆର୍ଥିକ ଅବସ୍ଥା ଭଲ ନଥିଲା । ପରିବାର ପାଳିବା ପାଇଁ ସେ ସକ୍ଷମ ନଥିଲେ । ତେଣୁ ପୂରା ପରିବାର ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥାଇପାରେ । ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି ।

ଆଉ ଏକ ସୂଚନା ଅନୁସାରେ, ଏତେ ବଡ଼ ପଦକ୍ଷେପ ନେବା ପୂର୍ବରୁ ପୂରା ପରିବାର ସାଙ୍ଗରେ ବସି ରାତ୍ରଭୋଜନ କରିଥିଲେ । ଅମରନାଥଙ୍କ ଜଣେ ଝିଅ, ଭାତ ସହିତ ଆଳୁ ସୋୟାବିନ ତରକାରୀ ଏବଂ ସିଝା ଅଣ୍ଡା କରିଥିଲେ । ଖାଇବା ସରିବା ପରେ ଅମରନାଥ ନିଜ ପିଲମାାନଙ୍କୁ ଏକ ଷ୍ଟିଲ୍ରେ ତିଆରୀ ଟ୍ରଙ୍କ ଉପରେ ଛିଡ଼ା କରାଇଥିଲେ । ପୂର୍ବରୁ ଏକ ଶାଢ଼ୀରେ ତିଆରି କରିଥିବା ଫାଶୀରେ ସେମାନଙ୍କ ବେକ ଭର୍ତ୍ତି କରିବାକୁ କହିଥିଲେ। ଆଉ ଏହି ଶାଢ଼ୀ ତାଙ୍କ ମୃତ ପତ୍ନୀଙ୍କର ଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ପିଲାମାନଙ୍କ ପରେ ଅମରନାଥ ମଧ୍ୟ ନିଜେ ବେକରେ ଫାଶୀ ଲଗାଇଥିଲେ । ପରେ ସେ ନିଜର ପିଲାମାନଙ୍କୁ ଟ୍ରଙ୍କ ଉପରୁ ତଳକୁ ଡିଆଁ ମାରିବାକୁ କହିଥିଲେ । ସେ ମଧ୍ୟ ଡେଇଁ ପଡ଼ିଥିଲେ । ଅମରନାଥ ଏବଂ ତାଙ୍କର ୩ ଝିଅ ଟ୍ରଙ୍କ ତଳକୁ ଡେଇଁ ପଡ଼ିଥିଲେ । ହେଲେ ତାଙ୍କର ଦୁଇ ପୁଅ ଡେଇଁନଥିଲେ ଏବଂ ସେମାନଙ୍କର ଜୀବନ ବଞ୍ଚିଯାଇଛି । ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଆଗକୁ ଆହୁରି ତଥ୍ୟ ସାମ୍ନାକୁ ଆସିପାରେ ।