ନୂଆଦିଲ୍ଲୀ : ପାକିସ୍ତାନ ଗୁରୁବାର କହିଛି ଯେ , ତାକୁ ଇସ୍ରାଏଲ ବିରୋଧରେ ଚାଲୁଥିବା ଯୁଦ୍ଧରେ ଇରାନ କୌଣସି ସାମରିକ ସହାୟତା ପାଇଁ କୌଣସି ଅନୁରୋଧ ମିଳିଲା ନାହିଁ। ପାକିସ୍ତାନ ଏହି କଥା ଉପରେ ମଧ୍ୟ ଜୋର ଦେଇଛି ଯେ, ଇସଲାମିକ ଗଣରାଜ୍ୟକୁ ନିଜର ସୁରକ୍ଷା କରିବାର ଅଧିକାର ରହିଛି। ପାକିସ୍ତାନର ଏହି ବୟାନ ଏମିତି ସମୟରେ ଆସିଛି, ଯେବେ କିଛି ଘଣ୍ଟା ପୂର୍ବେ ପାକିସ୍ତାନ ଜେନେରାଲ ଆସିମ ମୁନିରଙ୍କର ହ୍ୱାଇଟ୍ ହାଉସରେ ଡୋନାଲ୍ଡ ଟ୍ରମ୍ପଙ୍କ ସାକ୍ଷାତ ହୋଇ ଥିଲା। ଉଭୟ ଏକାଠି ଲଞ୍ଚ କରିଥିଲେ ଏବଂ ଦୀର୍ଘ ସମୟ ଧରି କଥାବାର୍ତ୍ତା ହୋଇ ଥିଲେ। ଇରାନକୁ ନେଇ ପାକିସ୍ତାନର ଏହି ବୟାନ ଏଥିପାଇଁ ବି ଆଶ୍ଚର୍ଯ୍ୟକର, କାରଣ କିଛି ଦିନ ପୂର୍ବେ ଏମିତି ଦାବି କରାଯାଇ ଥିଲା ଯେ , ପାକିସ୍ତାନ ଇରାନ ପାଇଁ ଇସ୍ରାଏଲ ଉପରେ ପରମାଣୁ ହମଲା କରିବା ଠାରୁ ହଟିବ ନାହିଁ।
ପାକିସ୍ତାନ ବିଦେଶ କାର୍ଯ୍ୟାଳୟର ପ୍ରବକ୍ତା ଶଫକତ ଅଲି ଖାନ ପ୍ରେସ୍ ବାର୍ତ୍ତାରେ କହିଛନ୍ତି, ଇରାନ ଉପରେ ପାକିସ୍ତାନର ସ୍ଥିତି ସ୍ପଷ୍ଟ ଓ ସ୍ୱଚ୍ଛ । ଆମେ ଇରାନକୁ ପୂର୍ଣ୍ଣ ନୈତିକ ସମର୍ଥନ ପ୍ରଦାନ କରୁଛୁ, ଆମେ ଇରାନ ବିରୋଧରେ ଆକ୍ରମଣର ଦୃଢ ନିନ୍ଦା କରୁଛୁ।
ଖାନ କହିଛନ୍ତି ଯେ, ଇରାନର ସୀମାକୁ ଲାଗି ପାକିସ୍ତାନରେ ସେଠାର ଶରଣାର୍ଥୀଙ୍କୁ ଶରଣ ଦେବା ପାଇଁ ତେହରାନ ଠାରୁ କୌଣସି ଅନୁରୋଧ ମିଳି ନାହିଁ। ସେ କହିଛନ୍ତି, ଇରାନ ଆମଠାରୁ ଏବେସୁଦ୍ଧା କୌଣସି ବି ପ୍ରକାରର ସାମରିକ ସହାୟତା ମାଗି ନାହିଁ। ଖାନ କହିଛନ୍ତି , ଇରାନକୁ ସଂଯୁକ୍ତ ରାଷ୍ଟ୍ର ଚାର୍ଟର ଅନୁସାରେ ନିଜର ପ୍ରତିରକ୍ଷା କରିବାର ଅଧିକାର ଅଛି।
ସେ କହିଛନ୍ତି ଯେ, ୨୧ଟି ମୁସଲିମ୍ ଦେଶ ଏକ ମିଳିତ ବୟାନ ଦାରି କରି ଇରାନ ବିରୋଧରେ ଇସ୍ରାଏଲୀୟ ଅକ୍ରମଣର ନିନ୍ଦା କରିଛନ୍ତି ଏବଂ ଇସ୍ରାଏଲୀୟ କାର୍ଯ୍ୟାନୁଷ୍ଠାନକୁ ଅନ୍ତରାଷ୍ଟ୍ରୀୟ ଆଇନ ଓ ସଂଯୁକ୍ତ ରାଷ୍ଟ୍ର ଚାର୍ଟର ବିରୋଧରେ କହିଛନ୍ତି। ପ୍ରବକ୍ତା କହିଛନ୍ତି ଯେ , ଇରାନର ସ୍ଥିତି ପାକିସ୍ତାନ ପାଇଁ ଗମ୍ଭୀର ଚିନ୍ତାର ବିଷୟ ଏବଂ ସେ ଇସ୍ରାଏଲର ହମଲାକୁ ରୋକିବା ପାଇଁ କହିଛନ୍ତି। ସେ ଏହାମଧ୍ୟ କହିଛନ୍ତି ପାକିସ୍ତାନ , ଇରାନ –ଇସ୍ରାଏଲ ସଂଘର୍ଷ ପାଇଁ କଥାବାର୍ତ୍ତା ମାଧ୍ୟମରେ ସମାଧାନର ସମର୍ଥନ କରୁଛି।