ନୂଆଦିଲ୍ଲୀ: ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଟ୍ରାଞ୍ଜାକ୍ସନ ଉପରେ ଲାଗିବନି ଜିଏସ୍ଟି। ଗୁଜବ ଖବରକୁ ଖାରଜ୍ କରି ଶୁକ୍ରବାର ଏହି ସ୍ପଷ୍ଟୀକରଣ ଦେଇଛି ଅର୍ଥ ମନ୍ତ୍ରଣାଳୟ। ୨୦୦ରୁ ଅଧିକ ୟୁପିଆଇ ଟ୍ରାଞ୍ଜାକ୍ସନ ଉପରେ ଜିଏସ୍ଟି ଲାଗିବା ବିଷୟରେ ହେଉଥିବା ପ୍ରଚାର ସମ୍ପୂର୍ଣ୍ଣ ମିଛ ଓ ଭ୍ରମାତ୍ମକ, ଏହାର କୌଣସି ଆଧାର ନାହିଁ ବୋଲି ମନ୍ତ୍ରଣାଳୟ କହିଛି। ବର୍ତ୍ତମାନ ସରକାରଙ୍କ ପାଖରେ ଏଭଳି କୌଣସି ପ୍ରସ୍ତାବ ଦିଆଯାଇ ନାହିଁ ବୋଲି ଅର୍ଥମନ୍ତ୍ରଣାଳୟ କହିଛି।
ପଢ଼ନ୍ତୁ- ସାଟେଲାଇଟ ଟୋଲ୍ ସିଷ୍ଟମ ଲାଗୁ ହେବା ଖବର ଗୁଜବ, ଦେଶର ଜାରି ରହିବ ଫାସ୍ଟ୍ୟାଗ୍ ସିଷ୍ଟମ: ସଡ଼କ ପରିବହନ ମନ୍ତ୍ରଣାଳୟ
ମନ୍ତ୍ରଣାଳୟ କହିଛି “କିଛି ନିର୍ଦ୍ଦିଷ୍ଟ ଉପକରଣରେ କରାଯାଇଥିବା ପେମେଣ୍ଟ ସହିତ ଜଡିତ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ଭଳି ଶୁଳ୍କ ଉପରେ ଜିଏସ୍ଟି ଲାଗୁ ହୁଏ। ଜାନୁଆରୀ ୨୦୨୦ ରୁ, କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (CBDT) ପର୍ସନ-ମର୍ଚ୍ଚାଣ୍ଟ (P2M) UPI କାରବାର ଉପରେ MDR ହଟାଇ ଦେଇଛି।”
ଏମ୍ଡିଆର୍ ସେହି ଶୁଳ୍କକୁ ବୁଝାଏ ଯାହା ବ୍ୟବସାୟୀମାନେ ଏକ ଟ୍ରାଞ୍ଜାକ୍ସନକୁ କାର୍ଯ୍ୟକାରୀ କରିବା ପାଇଁ ବ୍ୟାଙ୍କ କିମ୍ବା କମ୍ପାନୀଗୁଡ଼ିକୁ ପେମେଣ୍ଟ ପ୍ରୋସେସିଂ କରୁଥିବା ସମୟରେ ଦିଅନ୍ତି। ବର୍ତ୍ତମାନ ୟୁପିଆଇ କାରବାର ଉପରେ କୌଣସି ଏମଡିଆର ଆଦାୟ କରାଯାଉ ନାହିଁ, ତେଣୁ ଏହି କାରବାର ଉପରେ କୌଣସି ଜିଏସ୍ଟି ଲାଗୁ ହୁଏ ନାହିଁ ବୋଲି ଅର୍ଥମନ୍ତ୍ରମାଳୟ କହିଛି।
ଗତ ମାସରେ, ଭାରତର ଡିଜିଟାଲ୍ ପେମେଣ୍ଟ କମ୍ପାନୀଙ୍କର ଏକ ପ୍ରତିନିଧିତ୍ୱକାରୀ ସଂସ୍ଥା - ପେମେଣ୍ଟସ୍ କାଉନସିଲ୍ ଅଫ୍ ଇଣ୍ଡିଆ (PCI) ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ବଡ଼ ବ୍ୟବସାୟୀଙ୍କଠାରେ ୟୁପିଆଇ ମାଧ୍ୟମରେ କରାଯାଉଥିବା କାରବାର ଉପରେ ୦.୩୦ ପ୍ରତିଶତ ଏମ୍ଡିଆର୍ ଦାବି କରିଥିଲା। ସେହିପରି ସମସ୍ତ ଆକାରର ବ୍ୟବସାୟୀଙ୍କ ପାଇଁ ପ୍ରଯୁଜ୍ୟ RuPay ଡେବିଟ୍ କାର୍ଡ କାରବାର ଉପରେ ଏକ ଏମ୍ଡିଆର୍ ଢାଞ୍ଚା ପ୍ରଚଳନ କରିବାକୁ ମଧ୍ୟ ଅନୁରୋଧ କରିଥିଲା।
ପଢନ୍ତୁ- ପ୍ରାଇଭେଟରୁ ପବ୍ଲିକ୍ କମ୍ପାନି ହେଲା PhonePe, ଖୁବଶୀଘ୍ର ଆସିବ IPO