ନୂଆଦିଲ୍ଲୀ: ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଟିମ୍ ଇଣ୍ଡିଆ ଇଂଲଣ୍ଡ ଗସ୍ତ କରିବ । ତେବେ ଏହି ଗସ୍ତ ପୂର୍ବରୁ ଭାରତୀୟ ଟିମର ଟେଷ୍ଟ କ୍ୟାପ୍ଟେନ ଶୁଭମନ ଗିଲ୍ ଓ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ସାମ୍ୱାଦିକ ସମ୍ମିଳନୀ କରି ଅନେକ ପ୍ରଶ୍ନର ଜବାବ ଦେଇଛନ୍ତି । ଶୁଭମନ ଗିଲ୍ କହିଛନ୍ତି, ବ୍ୟାଟିଂ ଅର୍ଡର ନିଷ୍ପତ୍ତି ଆମ ଟିମ୍ ଭିତରେ ମୁକାବିଲା ଓ ୧୦ ଦିନିଆ ଶିବିର ପରେ ହେବ । ଅନ୍ୟପଟେ ଯଶପ୍ରୀତ ବୁମରା କେଉଁ ତିନୋଟି ମ୍ୟାଚ୍ ଖେଳିବେ ସେ ବାବଦରେ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ନିଆଯାଇନି, ଇଂଲଣ୍ଡ ପହଞ୍ଚିବା ପରେ ସେଠାରେ ନିଷ୍ପତ୍ତି ନିଆଯିବ ବୋଲି କୋଚ୍ ଗୌତମ ଗମ୍ଭୀର କହିଛନ୍ତି ।
ସାମ୍ୱାଦିକ ସମ୍ମିଳନୀରେ ରୋହିତ୍-କୋହଲିଙ୍କ ବିନା ଟିମ୍ ଓହ୍ଲାଇବ ପ୍ରଶ୍ନର ଜବାବରେ ଗିଲ୍ କହିଛନ୍ତି, 'ସବୁ ଗସ୍ତରେ ଚାପ ରହିଥାଏ । ଅନୁଭବୀ ଖେଳାଳିଙ୍କ ସ୍ଥାନ ପୂରଣ କରିବା ମୁସ୍କିଲ ହୋଇଥାଏ । ଦୁହେଁ ଆମକୁ ଅନେକ ମ୍ୟାଚ୍ ଜିତାଇଛନ୍ତି । ଦୁଇ ବରିଷ୍ଠ ଖେଳାଳି ନାହାନ୍ତି କିନ୍ତୁ ଟିମ୍ ଭଲ ରହିଛି ଓ ଅନୁଭବୀ ଓ ପ୍ରଭିତାଙ୍କ ଭଲ ମିଶ୍ରଣ ରହିଛି ।' ସେହିପରି ଗୌତମ ଗମ୍ଭୀର କହିଛନ୍ତି ଯେ ଆପଣ ସବୁବେଳେ ଭଲ ସ୍ଥିତିରେ ଥାଆନ୍ତି । ଇଂଲଣ୍ଡରେ ୫ ମ୍ୟାଚର ଟେଷ୍ଟ ସିରିଜ ହେବ । ଏବେ ଭଲ ପ୍ରଦର୍ଶନ କରିବାର ସୁଯୋଗ ରହିଛି । ମହତ୍ୱପୂର୍ଣ୍ଣ ଏହା ଯେ ଆମ ପାଖରେ ପ୍ରକୃତରେ ଭଲ ଟିମ୍ ଅଛି । ଆମେ ଭଲ ପ୍ରଦର୍ଶନ କରିବା ପାଇଁ ଉତ୍ସାହିତ ଅଛୁ ।
ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମୁକାବିଲା ଜୁନ୍ ୨୦ରେ ଲିଡ୍ସରେ ଖେଳାଯିବ । ଦ୍ୱିତୀୟ ଟେଷ୍ଟ ଜୁଲାଇ ୨ରେ ବର୍ମିଂଘମରେ ଖେଳାଯିବ । ତୃତୀୟ ଟେଷ୍ଟ ଜୁଲାଇ ୧୦ରେ ଲର୍ଡ୍ସରେ ଖେଳାଯିବ । ସେହିପରି ଚତୁର୍ଥ ଟେଷ୍ଟ ଜୁଲାଇ ୨୩ରେ ଖେଳାଯିବ । ଜୁଲାଇ ୩୧ରେ ପଞ୍ଚମ ଟେଷ୍ଟ ଲଣ୍ଡନର ଓଭାଲରେ ଖେଳାଯିବ । ଏହି ସିରିଜ ସହ ଭାରତ ବିଶ୍ୱ ଟେଷ୍ଟ ଚାମ୍ପଅନଶିପ ଚକ୍ର (୨୦୨୫-୨୭) ଆରମ୍ଭ କରିବ ।
ଭାରତୀୟ ଦଳ: ଶୁଭମାନ ଗିଲ୍ (ଅଧିନାୟକ), ରିଷଭ ପନ୍ତ (ୱିକେଟ୍ କିପର/ ଉପ-ଅଧିନାୟକ), ଯଶସ୍ୱୀ ଜୈସ୍ୱାଲ, କେ.ଏଲ୍ ରାହୁଲ, ସାଇ ସୁଦର୍ଶନ, ଅଭିମନ୍ୟୁ ଏସୱାରନ୍, କରୁଣ ନାୟାର, ନୀତୀଶ ରେଡ୍ଡୀ, ରବିନ୍ଦ୍ର ଜାଡେଜା, ଧ୍ରୁବ ଜୁରେଲ, ୱାଶିଂଟନ ସୁନ୍ଦର, ମହମ୍ମଦ ସିରାଜ, ଶାର୍ଦୁଲ ଠାକୁର, ଯଶପ୍ରୀତ ବୁମରା, ପ୍ରସିଦ୍ଧ କୃଷ୍ଣ, ଆକାଶ ଦୀପ, ଅର୍ଶଦୀପ ସିଂ ଏବଂ କୁଲଦୀପ ଯାଦବ ।
ଇଂଲଣ୍ଡ ଦଳ: ବେନ୍ ଷ୍ଟୋକ୍ସ (ଅଧିନାୟକ), ସୋଏବ ବଶିର, ଜ୍ୟାକବ ବେଥେଲ, ହ୍ୟାରି ବ୍ରୁକ, ବ୍ରାଇଡନ କାର୍ସ, ସାମ କୁକ୍, ଜ୍ୟାକ କ୍ରାଉଲି, ବେନ ଡକେଟ, ଜେମି ଓଭରଟନ୍, ଓଲି ପୋପ୍, ଜୋ ରୁଟ୍, ଜେମି ସ୍ମିଥ୍, ଜୋସ୍ ଟଙ୍ଗ, କ୍ରିସ୍ ୱକ୍ ସ୍।