ନୋ ବଲ୍, ବାରମ୍ୱାର କ୍ୟାଚ୍ ହାତଛଡ଼ା; ଲିଡ୍ସର ଭୁଲ ଏଜବାଷ୍ଟନରେ ଦୋହରାଉଛି ଟିମ୍ ଇଣ୍ଡିଆ

Published By : Prameya-News7 Bureau | July 04, 2025 IST

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଏଜବାଷ୍ଟନରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି । ତେବେ ଏହି ମ୍ୟାଚ୍‌ରେ ବି ପ୍ରଥମ ମ୍ୟାଚ୍‌ର କାହାଣୀ ଦୋହରାଯାଉଛି । ଟିମ୍ ଇଣ୍ଡିଆର ବ୍ୟାଟର ଲଗାତାର ବଡ଼ ସ୍କୋର ଠିଆ କରୁଛନ୍ତି, କିନ୍ତୁ ବୋଲିଂ ଓ ଫିଲ୍ଡିଂରେ ଲଗାତାର ନିରାଶଜନକ ପ୍ରଦର୍ଶନ ଦେଖିବାକୁ ମିଳୁଛି । ଲିଡ୍ସ ଟେଷ୍ଟରେ ଖରାପ ବୋଲିଂ ଓ ତା’ଠାରୁ ବି ଖରାପ ଫିଲ୍ଡିଂ ଟିମ୍ ଇଣ୍ଡିଆ ପରାଜୟର ପ୍ରମୁଖ କାରଣ ପାଲଟିଥିଲା । ଏବେ ସେହି ସ୍ଥିତି ଏଜବାଷ୍ଟନ ଟେଷ୍ଟରେ ବି ଦେଖିବାକୁ ମିଳୁଛି । ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୫୮୭ ରନର ବିଶାଳ ସ୍କୋର କରିଛି । ଅନ୍ୟପଟେ କିନ୍ତୁ ବୋଲିଂ ଓ ଫିଲ୍ଡିଂରେ ଖେଳାଳିଙ୍କ ଅନୁଶାସନହୀନତା ଇଂଲଣ୍ଡକୁ କମ୍‌ବ୍ୟାକ୍ କରିବାର ସୁଯୋଗ ଦେଇଛି ।

ବର୍ମିଂଘମର ଏଜବାଷ୍ଟନରେ ଜୁଲାଇ ୨ରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟର ଦୁଇ ଦିନ ଟିମ୍ ଇଣ୍ଡିଆ ନାଁରେ ରହିଥିଲା । ଅଧିନାୟକ ଶୁଭମନ ଗିଲ୍‌ଙ୍କ ଐତିହାସିକ ଦ୍ୱିଶତକ ବଳରେ ଭାରତ ୫୮୭ ରନ୍ କରିବାରେ ସକ୍ଷମ ହେଲା । ଏହାପରେ ବୋଲର ବି ଭଲ ପ୍ରଦର୍ଶନ କରି ୨୫ ରନ୍‌ରେ ୩ ୱିକେଟ୍ ନେଇଥିଲେ । ଏହିପରି ତୃତୀୟ ଦିନ ଆରମ୍ଭରେ ଭାରତୀୟ ଟିମ୍ ଭଲ ପ୍ରଦର୍ଶନ କରିଥିଲା ଓ ଦ୍ୱିତୀୟ ଓଭରରେ ହିଁ ରୁଟ୍ ଓ ବେନ୍ ଷ୍ଟୋକ୍ସଙ୍କ ୱିକେଟ୍ ମିଳିଥିଲା ।

ଏହା ସତ୍ତ୍ୱେ, ଫ୍ୟାନ୍ସଙ୍କୁ ଟିମ୍ ଇଣ୍ଡିଆର ଫିଲ୍ଡିଂ ନିରାଶ କରିଛି । ଶେଷ ଟେଷ୍ଟ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ୭-୮ କ୍ୟାଚ୍ ଛାଡ଼ିଥିଲା । ଏଜବାଷ୍ଟନରେ ଟିମ୍ ଇଣ୍ଡିଆର ଫିଲ୍ଡିଂର ସମାନ୍ୟ ସୁଧାର ଆସିଥିଲା । ଅଧିନାୟକ ଶୁଭମନ ଗିଲ୍, କେଏଲ ରାହୁଲ ଏବଂ କରୁଣ ନାୟାର କୌଣସି ଭୁଲ ନକରି ସ୍ଲିପ୍‌ରେ କ୍ୟାଚ୍ ନେଇଥିଲେ । କିନ୍ତୁ ତୃତୀୟ ଦିନରେ ଟିମ୍ ଇଣ୍ଡିଆ ଗୋଟିଏ ପରେ ଗୋଟିଏ ୩ଟି କ୍ୟାଚ୍ ଛାଡ଼ିଥିଲା । ଏଥିମଧ୍ୟରୁ ଜେମି ସ୍ମିଥ୍ ଦୁଇଥର ଜୀବନଦାନ ପାଇଥିଲେ, ଅନ୍ୟପଟେ ହ୍ୟାରି ବ୍ରୁକ୍‌ଙ୍କ କ୍ୟାଚ୍ ହାତ ଛଡ଼ା କରିଥିଲେ ।

ପ୍ରଥମେ ୱାଶିଂଟନ ସୁନ୍ଦର ତାଙ୍କ ନିଜ ବୋଲିଂରେ ସ୍ମିଥଙ୍କ କ୍ୟାଚ୍ ଛାଡି ଦେଇଥିଲେ । ଇନିଂସର ୪୨ତମ ଓଭରରେ ସ୍ମିଥ୍ ୯୧ ରନରେ ଖେଳୁଥିବା ବେଳେ ତାଙ୍କୁ ଏହି ଜୀବନଦାନ ମିଳିଥିଲା । ଏହାର ଫାଇଦା ଉଠାଇ ସେ ମାତ୍ର ୮୦ ବଲରେ ଶତକ ହାସଲ କରିଥିଲେ । ଏହାପରେ ୫୪ତମ ଓଭରରେ ନୀତିଶ କୁମାର ରେଡ୍ଡିଙ୍କ ପ୍ରଥମ ବଲରେ ପୁଣି ସ୍ମିଥ୍‌ଙ୍କ କ୍ୟାଚ୍ ହାତଛଡ଼ା ହୋଇଥିଲା । ରିଷଭ ପନ୍ତ ଏକ କଷ୍ଟକର ସୁଯୋଗ ହାତଛଡ଼ା କରିଥିଲେ । ସ୍ମିଥ୍ ସେତେବେଳେ ୧୨୧ ରନରେ ଥିଲେ । ସେହିପରି ହ୍ୟାରି ବ୍ରୁକଙ୍କ ଏକ କ୍ୟାଚ୍ ମଧ୍ୟ ହାତଛଡ଼ା ହୋଇଥିଲା । ରବିନ୍ଦ୍ର ଜାଡେଜାଙ୍କ ବଲରେ ଏକ କଟ୍ ସଟ୍ ଖେଳିଥିଲେ ଏବଂ ସ୍ପିଡରେ ବଲଟି ସ୍ଲିପରେ ଠିଆ ହୋଇଥିବା ଗିଲ୍ ପାଖକୁ ଯାଇଥିଲା କିନ୍ତୁ ସେ ଏହାକୁ ଧରିପାରି ନଥିଲେ । ବଲ୍ ତାଙ୍କ ମୁଣ୍ଡରେ ବାଜିଥିଲା । ସେତେବେଳେ ବ୍ରୁକ୍ ୬୩ ରନରେ ବ୍ୟାଟିଂ କରୁଥିଲେ । ଭାରତର କେବଳ ଫିଲ୍ଡିଂ ନୁହେଁ ବୋଲିଂରେ ନିରନ୍ତରତାର ଅଭାବ ଦେଖା ଦେଇଥିଲା । ଭାରତୀୟ ବୋଲରମାନେ ମାତ୍ର ୪୦ ଓଭରରେ ୧୦ଟି ନୋ-ବଲ୍ ପକାଇଥିଲେ । ଭାରତର ଏଭଳି ପ୍ରଦର୍ଶନ କୋଚ୍ ଗୌତମ ଗମ୍ଭୀର ଏବଂ ବୋଲିଂ କୋଚ୍ ମୋର୍ନେ ମୋର୍କେଲଙ୍କ ଚିନ୍ତା ବଢାଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.