'IPLରେ ଦେଖେଇବନି ମଦ ଓ ତମାଖୁ ବିଜ୍ଞାପନ, ଚେୟାରମ୍ୟାନଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

Published By : Prameya-News7 Bureau | March 10, 2025 IST

ନୂଆଦିଲ୍ଲୀ ୧୦/୦୩: ମାର୍ଚ୍ଚ ୨୨, କାଉଣ୍ଟଡାଉନ୍ ଆରମ୍ଭ । ଆରମ୍ଭ ହେବ ପଟାଫଟ୍ କ୍ରିକେଟ୍ ମହାକୁମ୍ଭ । ୧୩ଟି ସ୍ଥାନରେ ଖେଳାଯିବ ମୋଟ ୭୪ଟି ମ୍ୟାଚ୍ । କିନ୍ତୁ ଏହା ପୂର୍ବରୁ ଆଇପିଏଲ ଅଧ୍ୟକ୍ଷଙ୍କୁ ଏକ ଚିଠି ଲେଖିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଇପିଏଲ ଅଧ୍ୟକ୍ଷଙ୍କୁ ଲେଖାଯାଇଥିବା ଚିଠିରେ କୁହାଯାଇଛି ଯେ ଆଇପିଏଲ ମ୍ୟାଚ୍ ସମୟରେ ତମାଖୁ ଓ ମଦ ବିଜ୍ଞାପନ ଦେଖାଯିବା ଉଚିତ୍ ନୁହେଁ ।

ଚିଠିରେ କୁହାଯାଇଛି ଯେ ଭାରତରେ କର୍କଟ, ଫୁସଫୁସ ରୋଗ, ମଧୁମେହ ଓ ଉଚ୍ଚ ରକ୍ତଚାପ ଭଳି ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି ଅଣ-ସଂକ୍ରମିତ ରୋଗ ବୃଦ୍ଧିର ମୁଖ୍ୟ କାରଣ ହେଉଛି ତମାଖୁ ଏବଂ ମଦ୍ୟପାନ। ତମାଖୁ ଜନିତ ମୃତ୍ୟୁ ସଂଖ୍ୟାରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ଅଛି । ଏଠାରେ ପ୍ରତିବର୍ଷ ମଦ ମୃତ୍ୟୁ ବି ପାଖାପାଖି ୧୪ ଲକ୍ଷ ରହିଛି । 

ଚଳିତ ବର୍ଷ IPL ୨୨ ମାର୍ଚ୍ଚରୁ ଆରମ୍ଭ ହେଉଛି। ଏହା ଦେଶର ସବୁଠାରୁ ବଡ଼ କ୍ରୀଡା ଇଭେଣ୍ଟ। ଏହି ପ୍ଲାଟଫର୍ମ ମାଧ୍ୟମରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ତମାଖୁ ଓ ମଦ୍ୟପାନକୁ ପ୍ରୋତ୍ସାହିତ କରାଯାଏ। ଏପରିି ସ୍ଥିତିରେ, ଆଇପିଏଲ ଷ୍ଟାଡିୟମ ପରିସର ଭିତରେ ଏବଂ ବାହାରେ ତମାଖୁ, ମଦ୍ୟପାନ ବିଜ୍ଞାପନ ପ୍ରଦର୍ଶନକୁ କଡ଼ାକଡ଼ି ବାରଣ କରାଯିବା କଥା । 

ଏହି ବିଜ୍ଞାପନଗୁଡ଼ିକ କେବଳ ଆଇପିଏଲ ଷ୍ଟାଡିୟମରେ ନୁହେଁ ବରଂ ଟେଲିଭିଜନ ପ୍ରସାରଣ ସମୟରେ ମଧ୍ୟ ନିଷେଧ କରାଯାଉ । ଚିଠିରେ କୁହାଯାଇଛି ଯେ ଆଇପିଏଲ ସମ୍ବନ୍ଧୀୟ ଇଭେଣ୍ଟ ସମୟରେ ତମାଖୁ ଓ ମଦ୍ୟପାନ ଉତ୍ପାଦର ବିକ୍ରୟ ମଧ୍ୟ ନିଷେଧ କରାଯିବା ଉଚିତ।

IPL ୨୦୨୫ କେବେଠାରୁ ଖେଳାଯିବ?

IPL ୨୦୨୫ ସିଜିନ୍ ୨୨ ମାର୍ଚ୍ଚରେ ଆରମ୍ଭ ହେବ। ଅର୍ଥାତ୍ ଏହି ଦିନ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ୍ ଖେଳାଯିବ। ୨୫ ମଇରେ ଅନୁଷ୍ଠିତ ହେବ ଫାଇନାଲ ମ୍ୟାଚ୍ । ସେହିଭଳି ଏଥର ଟୁର୍ଣ୍ଣାମେଣ୍ଟର ପ୍ଲେ ଅଫ୍ ମ୍ୟାଚ୍ ହାଇଦ୍ରାବାଦ ଏବଂ କୋଲକାତାରେ ଅନୁଷ୍ଠିତ ହେବ। ଏହି ଗ୍ରାଉଣ୍ଡରେ କ୍ୱାଲିଫାୟର-୨ ଏବଂ ଫାଇନାଲ ମ୍ୟାଚ୍ ମଧ୍ୟ ଖେଳାଯିବ । କ୍ୱାଲିଫାୟର-୧ ଏବଂ ଏଲିମିନେଟର ମ୍ୟାଚ୍ ହାଇଦ୍ରାବାଦରେ ଅନୁଷ୍ଠିତ ହେବ।

୧୦ଟି ଦଳ ମଧ୍ୟରେ କେତେ ମ୍ୟାଚ୍ ହେବ?

ଗତ ଥର ପରି ଏହି ସିଜିନରେ ମଧ୍ୟ ୧୦ଟି ଦଳ ଆଇପିଏଲରେ ଅଂଶଗ୍ରହଣ କରିବେ। ଏହି ଦଳଗୁଡ଼ିକ ମଧ୍ୟରେ ୬୫ ଦିନରେ ଫାଇନାଲ୍ ସମେତ ମୋଟ ୭୪ ଟି ମ୍ୟାଚ୍ ଖେଳାଯିବ। ଏହି ସମସ୍ତ ମ୍ୟାଚ୍ କେବଳ ଭାରତର ୧୩ଟି ସ୍ଥାନରେ ଅନୁଷ୍ଠିତ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.