ପୁରୀ : ଶ୍ରୀକ୍ଷେତ୍ରରେ ଆଜି ନିଳାଦ୍ରୀ ବିଜେ । ରତ୍ନବେଦୀକୁ ବାହୁଡ଼ିବେ ମହାବାହୁ । ଜନ୍ମବେଦୀରେ ଲୀଳାଖେଳା ସାରିବା ପରେ ଆଜି ପୁର୍ନବାର ନୀଳକନ୍ଦରକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ମହାପ୍ରଭୁଙ୍କ ପତିତପାବନ ଯାତ୍ରାର ଆଜି ଶେଷ କରି ଗୋଟି ପହଣ୍ଡିରେ ରଥାରୂଢ ଠାକୁର ଶ୍ରୀମନ୍ଦିରକୁ ବିଜେ କରିବେ ।
ବଡ଼ଭାଇ, ଭଉଣୀଙ୍କ ସମେତ ସୁଦର୍ଶନଙ୍କ ପହଣ୍ଡି ସରିବ। ହେଲେ କାଳିଆ ସାଆନ୍ତଙ୍କ ବାଟ ଓଗାଳିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ । ବିଜେ ପଥରେ ଲକ୍ଷ୍ମୀ-ନାରାୟଣ କଳି ନୀତି ହେବ । ପରେ ରସଗୋଲା ଦେଇ ଧର୍ମପତ୍ନୀଙ୍କ ମନ ତୋଷିବେ ଶ୍ରୀଜଗନ୍ନାଥ । ନୀଳାଦ୍ରି ବିଜେରେ ଠାକୁରଙ୍କ ଏସବୁ ମାନବୀୟ ଲୀଳା ଦେଖି ଧନ୍ୟ ହେବେ ଲକ୍ଷାଧିକ ଭକ୍ତ । ଅପରାହ୍ଣ ୪ଟାରେ ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇ ରାତି ୧୦ଟା ସୁଦ୍ଧା ସରିବ ବୋଲି ସମୟ ଧାର୍ଯ୍ୟ କରିଛି ଶ୍ରୀମନ୍ଦିର ପ୍ରଶାସନ ।
ପୁଷ୍ପାଳକ ସେବକମାନେ ପ୍ରଥମେ ଶ୍ରୀମଦନମୋହନ ଓ ଶ୍ରୀରାମକୃଷ୍ଣଙ୍କୁ ଦକ୍ଷିଣଘରେ ବିଜେ କରାଇବେ । ଏହାପରେ ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ପହଣ୍ଡି ହେବେ । ଏହା ପୂର୍ବରୁ ରତ୍ନସିଂହାସନ ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧା ସରି ଅଖଣ୍ଡ ବଇଠା ବସିଥିବ । ନୀଳାଦ୍ରି ବିଜେ ପାଇଁ ସ୍ଥିର ହୋଇଥିବା ସମୟକ୍ରମେ ପ୍ରାତଃ ୪ଟାରେ ତିନି ରଥରେ ମଙ୍ଗଳାଳତି ହେବ । ରଥରେ ଅନ୍ୟାନ୍ୟ ନୀତି ହୋଇ ସନ୍ଧ୍ୟାଧୂପ ବଢିବ ଅପରାହ୍ନ ସାଢ଼େ ୧ଟାରେ । ଏହାପରେ ସାଢ଼େ ୩ଟା ସୁଦ୍ଧା ରଥରେ ଚାରମାଳ ବନ୍ଧା ହୋଇ ସିଂହାସନ ମାଜଣା ହେବ । ୩ଟା୫୦ମିନିଟ୍ରେ ପୁଷ୍ପାଞ୍ଜଳି ଅର୍ପଣ ହୋଇ ବିଜେ କାହାଳି ବାଜିଲେ ଠାକୁରଙ୍କ ପହଣ୍ଡି ଆରମ୍ଭ ହେବ। ଉକ୍ତ ଦେବନୀତି ସ୍ୱଚକ୍ଷୁରେ ଦେଖିବାକୁ ଏହି ଦିନକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି ଭକ୍ତ । ଏହି ଅବସରରେ ଠାକୁରଙ୍କୁ ରସଗୋଲା ଭୋଗ କରାଯିବାର ପରମ୍ପରା ରହିଛି ।