ତାତିରୁ ମିଳିବନି ଆଶ୍ୱସ୍ତି, ଆହୁରି ୧୦ ଦିନ ଯମ ଯନ୍ତ୍ରଣା

Published By : Prameya-News7 Bureau | April 25, 2024 IST

ଭୁବନେଶ୍ୱର ୨୫।୦୪ : ଆଶା ଥିଲା କାଳବୈଶାଖୀ ତ୍ରାହି ଆଣିବ । ମାତ୍ର ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳକୁ ଛାଡ଼ିଦେଲେ, ସେଭଳି ବର୍ଷା ହେଲାନି । ବୁଧବାର ଭୁବନେଶ୍ୱରରେ ଦିନ ୨ଟା ଯାଏଁ ଜଳେଇବା ପରେ ଅପରାହ୍ନରେ ଟିକିଏ ବର୍ଷା ଛିଞ୍ଚିଲା । ଆଗକୁ ଆଉ ବର୍ଷା ନାହିଁ । ଦୂର ଦୂର ଯାଏଁ ବର୍ଷା ସମ୍ଭାବନା ଦେଖାଯାଉନି । 

ପାଣିପାଗ ପୂର୍ବାନୁମାନ ଦେଖାଉଛି ଛାତି ଥରାଇ ଦେଲା ଭଳି ଚିତ୍ର । ଲଗାତାର ୧୦ ଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଆଉଟୁ ପାଉଟୁ ହେଉଥିବା ଓଡ଼ିଶାବାସୀ ଆହୁରି ୧୦ ଦିନ ଯମ ଯନ୍ତ୍ରଣାରେ ଛଯପଟ ହେବେ । ଜଳିବେ, ସିଝିବେ, ସନ୍ତୁଳି ହେବେ ଏ ନିଆଁ ମାଡ଼ରେ । 

ସୋଆ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି, ଏବେ ବର୍ଷା ନାହିଁ । ଆସନ୍ତା ମେ’ ପହିଲା ବେଳକୁ ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା ହୋଇପାରେ । ଏହା ସାମାନ୍ୟ ଆଶ୍ୱସ୍ତି ଦେବ । ମାତ୍ର ତା’ ପରେ ବି ତାତି ଖସିବନି । ଆସନ୍ତା ୪/୫ ତାରିଖ ଯାଏଁ ତାତିରୁ ବଡ଼ ଧରଣର ଆଶ୍ୱସ୍ତି ଆଶା ଦେଖାଯାଉନି । ତା’ପରେ ବି ବର୍ଷା ହେବ କି ନାହିଁ, ଏବେଠାରୁ ଆକଳନ ସହଜ ନୁହେଁ । 

ଚଳିତ ଏପ୍ରିଲରେ ଏଯାବତ୍‌ ରାଜ୍ୟରେ ୧୨ ଦିନ ଗ୍ରୀଷ୍ମ ପ୍ରବାହ ସହିଲାଣି ଓଡ଼ିଶା । ଗତ ୧୫ ତାରିଖରୁ ଲଗାତାର ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସ୍ୱାଭାବିକଠାରୁ ଏଥର ଏପ୍ରିଲରେ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ୪ ଗୁଣା ବଢ଼ିଗଲାଣି ଏଯାବତ୍‌ । ପୂର୍ବାନୁମାନ ଯାହା, ଏଥର ଏପ୍ରିଲରେ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ୬ ଗୁଣା ବଢ଼ିପାରେ ସ୍ୱାଭାବିକ ତୁଳନାରେ । 

ପାଣିପାଗ ବିଭାଗ ଆଶା କରିଥିଲା, କାଳବୈଶାଖୀ ବର୍ଷା ତାତିରୁ ସାମୟିକ ଆଶ୍ୱସ୍ତି ଦେବ । ମାତ୍ର ଏଯାଏଁ ସେଭଳି ବଡ଼ ବର୍ଷା ହେଲାନି । ପଶ୍ଚିମା ଝଡ଼ ପ୍ରଭାବରେ  ରାଜ୍ୟକୁ ବାଦଲ ଆସିଲା ସତ, ମାତ୍ର ବର୍ଷା ବିସ୍ତୃତ ଅଞ୍ଚଳରେ ହେଲାନି । ଦକ୍ଷିଣ ଓଡ଼ିଶାର ଗଞ୍ଜାମରେ ଆଜି ଅପରାହ୍ନରେ ପବନ ସହ ପ୍ରବଳ ବର୍ଷା ହୋଇଛି । ମାତ୍ର ଭୁବନେଶ୍ୱରରେ ଅତି ହାଲୁକା ବର୍ଷା ରେକର୍ଡ ହୋଇଛି । ଅପରପକ୍ଷରେ ବାଦଲ ଆକାଶରୁ ହଟିବା ଆରମ୍ଭ ହୋଇଯାଇଛି । ଏବେ ଆଉ ବର୍ଷା ସମ୍ଭାବନା ନାହିଁ । ଗୁରୁବାରଠାରୁ ସାରା ରାଜ୍ୟରେ ସାଏଁ କରି ଉପରମୁହାଁ ହେବ ପାରଦ, ରେକର୍ଡ ଭାଙ୍ଗିବ ତାତି । 

ପାଣିପାଗ ବିଭାଗର ତାଜା ପୂର୍ବାନୁମାନ ଅନୁସାରେ ଆସନ୍ତା ୫ ଦିନ ଭୀଷଣ ଗ୍ରୀଷ୍ମ ପ୍ରବାହ କଲବଲ କରିବ । ସାରା ଓଡ଼ିଶା ଜଳିବ ତାତି ପ୍ରକୋପରେ । ୨୫ ତାରିଖ (ଗୁରୁବାର) ଗଜପତି ଓ ଗଞ୍ଜାମରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଅନୁଗୁଳ, ନୟାଗଡ଼, ବଲାଙ୍ଗୀର, ବୌଦ୍ଧ, ନୂଆପଡ଼ା, କନ୍ଧମାଳ, ଖୋର୍ଦ୍ଧା, କଟକ ଓ ଢେଙ୍କାନାଳରେ ଗ୍ରୀଷ୍ମ ପ୍ରବାହ ଛଟପଟ କରିବ ।   

ଆସନ୍ତା ୨୬, ୨୭, ୨୮, ୨୯ ଓ ୩୦ ତାରିଖରେ ବି ସ୍ଥିତି ବଦଳିବନି । ବେଳକୁ ବେଳ ଆହୁରି କୋପ ବଢ଼ାଇବ ଗ୍ରୀଷ୍ମ ଲହରୀ । ୨୬ ତାରିଖ ବେଳକୁ ଟକଟକ ହୋଇ ଫୁଟୁଥିବ ସାରା ଓଡ଼ିଶା । ୨୬ରୁ ୩୦ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ଓ ଉପକୂଳ ଓଡ଼ିଶା ୪୪ ଡିଗ୍ରୀ ସେଲସିୟସ୍‌ ତାଉରେ ଭାଜି ହେଉଥିବ । ଏ ସମ୍ଭାବ୍ୟ ସ୍ଥିତି ସ୍ପଷ୍ଟ କରୁଛି, ପ୍ରଚଣ୍ଡ ତାତିର ଲହରୀ ଭୟାନକ ରୂପ ନେଇ ଚାଲିଛି । ଆଗକୁ ଆହୁରି ଭୟଙ୍କର ହେବ ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ କହୁଛି, କାଳବୈଶାଖୀ ସମ୍ଭାବନା ନାହିଁ । ବର୍ତ୍ତମାନ ବର୍ଷା ହେବାର ନାହିଁ । ତାତି କମିବାର ଆଶା ବି ଦେଖାଯାଉନି । ମାସ ଶେଷବେଳକୁ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୪୬ ଡିଗ୍ରୀ ସେଲସିୟସ୍‌ ଡେଇଁପାରେ ।

ସାଧାରଣତଃ ଏପ୍ରିଲରେ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ୩ ଦିନ ଭିତରେ ରହିବା କଥା । ଗତବର୍ଷ ଏପ୍ରିଲ ମାସରେ ଓଡ଼ିଶାରେ ୫ ଦିନ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥିଲା । ଏ ବର୍ଷ ଏଯାଏଁ ଏପ୍ରିଲରେ ୧୨ ଦିନ ଛଟପଟ କଲାଣି ଗ୍ରୀଷ୍ମ ପ୍ରବାହ । ମାସ ଶେଷବେଳକୁ ଏ ସଂଖ୍ୟା ୧୮ ହୋଇଯିବ । 

୨୦୧୬ ଏପ୍ରିଲ ମାସରେ ଓଡ଼ିଶାରେ ଏଭଳି ଭୟାନକ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥିଲା । ଗତ ବର୍ଷ ଜୁନ୍‌ ମାସରେ ରାଜ୍ୟରେ ଲଗାତାର ୧୨ ଦିନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାରା ଓଡ଼ିଶାକୁ କଲବଲ କରିଥିଲା । ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ଧସେଇ ପଶୁଛି ତତଲା ପବନ । ଗୁରୁଚାପ ବଳୟ ଏହାକୁ ଆହୁରି ଶକ୍ତିଶାଳୀ କରି ରାଜ୍ୟକୁ ଟାଣି ଆଣିବାରେ ସହାୟକ ହେଉଛି । ଅନ୍ୟପଟେ ସାମୁଦ୍ରିକ ପବନ ଦୁର୍ବଳ ରହୁଛି । ଜଳୀୟବାଷ୍ପ କମ୍‌ ରହୁଥିବାରୁ ବର୍ଷା ହୋଇପାରୁନି । ଦେଶରେ ସବୁଠୁ ଉତ୍ତପ୍ତ ପିଣ୍ଡ ପାଲଟିଛି ଓଡ଼ିଶା । ଓଡ଼ିଶାରେ ୧୫ ତାରିଖରୁ ଓ ପଶ୍ଚିମବଙ୍ଗରେ ୧୭ ତାରିଖରୁ ଏଭଳି ଗ୍ରୀଷ୍ମ ପ୍ରବାହ ସ୍ଥିତି ବଳବତ୍ତର ରହିଛି ।

  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.