ୱେଲିଂଟନ ୪।୮: ନ୍ୟୁଜିଲ୍ୟାଣ୍ଡରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ସୁଟକେସ୍ ରୁ ଏକ ୨ ବର୍ଷର ଶିଶୁ ଜୀବିତ ଉଦ୍ଧାର ହେବା ପରେ ମହିଳାଙ୍କୁ ଶିଶୁ ଉପେକ୍ଷା ଅଭିଯୋଗରେ ଗିରଫ କରାଯାଇଛି। ଅଧିକାରୀଙ୍କ ସୂଚନା ଅନୁସାରେ ବସ୍ ର ଲଗେଜ ରଖିବା ସ୍ଥାନରେ ରଖା ଯାଇଥିବା ସୁଟକେସ୍ ରୁ ଶିଶୁକୁ ଉଦ୍ଧାର କରାଯାଇଛି। ଡିଟେକ୍ଟିଭ ଇନିସ୍ପେକ୍ଟର ସାଇମନ ହ୍ୟାରିସନ କହିଛନ୍ତି ଯେ ଏହି ଘଟଣା ଉତ୍ତର ଅକଲ୍ୟାଣ୍ଡର କାଇବାକାର।
ମହିଳା ଯାତ୍ରୀ ବସ୍ ରୁ ଓହ୍ଲାଇ ଯିବା ବେଳେ ଚାଳକଙ୍କୁ ତାଙ୍କ ସୁଟକେସ୍ ବଢାଇଦେବାକୁ କହିଥିଲେ। ଏଥିରେ ଚାଳକ ସୁଟକେସ ଆଣିବା ବେଳେ ସେଥିରେ ହଲଚଲ ଅନୁଭବ କରିଥିଲେ। ଏଣୁ ସୁଟକେସ୍ ଖୋଲିବାରୁ ସେଥିରୁ ଏକ ଦୁଇ ବର୍ଷର ଶିଶୁ କନ୍ୟା ବାହାରିଥିଲା। ସୁଟକେସ୍ ରେ ଶିଶୁଟିର ଶରୀର ତାତି ଯାଇଥିଲା ହେଲେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିଲା। ତେବେ ପିଲାଟି କେତେ ସମୟରୁ ସୁଟକେସ୍ ରେ ବନ୍ଦ ଥିଲା ସେ ନେଇ ଅଧିକାରୀ କୌଣସି ସୂଚନା ଦେଇ ନାହାନ୍ତି। ତେବେ ଶିଶୁକୁ ଉଦ୍ଧାର କରାଯିବା ପରେ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା।
ହସ୍ପିଟାଲରେ ଶିଶୁ ଆଡମିଟ୍ କରାଯାଇଥିବା ବେଳେ ତାଙ୍କୁ ଡାକ୍ତର ଦିନକ ଲାଗି ନିଜ ତତ୍ୱାବଧାନରେ ରଖିଥିଲେ। ପୋଲିସ ଶିଶୁଟି ପ୍ରତି ଅମାନବୀୟ ଓ କୃର ଆଚରଣ ନିମନ୍ତେ ମହିଳାଙ୍କୁ ଗିରଫ କରିଛି। ତେବେ ମହିଳା ଅଥବା ଶିଶୁଙ୍କ ପରିଚୟ ଉଜାଗର କରିନି ପୋଲିସ୍।