Gig Workers Strike: ଗିଗ୍ ୱାର୍କର୍ସଙ୍କ ଧର୍ମଘଟ ମଧ୍ୟରେ ସ୍ୱିଗି ଓ ଜୋମାଟୋର ବଡ଼ ଘୋଷଣା: ୧୫୦ ପର୍ଯ୍ୟନ୍ତ ମିଳିବ ଇନ୍‌ସେଣ୍ଟିଭ୍

NEWS7
new-team-india-jersey-adidas-shares-first-glimpse-of-test-odi-and-t20i-shirts

ନୂଆଦିଲ୍ଲୀଦେଶବ୍ୟାପୀ ଗିଗ୍ କର୍ମଚାରୀ, ଅର୍ଥାତ୍ ଡେଲିଭରି ବ୍ୟକ୍ତିମାନଙ୍କ ଧର୍ମଘଟ ମଧ୍ୟରେ, ସ୍ୱିଗି ଏବଂ ଜୋମାଟୋ ବଡ଼ ଘୋଷଣା କରିଛନ୍ତି। ପିକ୍ ଆୱାର ଏବଂ ଇଅର ଏଣ୍ଡ ଡେଜ୍ ବା ବର୍ଷ ଶେଷ ଦିନରେ ଅଧିକ ଇନ୍ସେଣ୍ଟିଭ୍ ଦେବାକୁ ଘୋଷଣା କମ୍ପାନୀ କରିଛନ୍ତି। ଜୋମାଟୋ ଡେଲିଭରି ପାର୍ଟନରମାନଙ୍କୁ ମେସେଜ୍ ଦେଇ କହିଛି ଯେ ପିକ୍ ଆୱାର (ସନ୍ଧ୍ୟା ୬ଟାରୁ ରାତି ୧୨ଟା) ସମୟରେ, ପ୍ରତ୍ୟେକ ଅର୍ଡର ପାଇଁ ୧୨୦-୧୫୦ ଟଙ୍କା ପେଆଉଟ୍ ମିଳିବ। ଦିନସାରା ଅର୍ଡର ସଂଖ୍ୟା ଏବଂ ଆଭେଲେବିଲିଟି ଉପରେ ନିର୍ଭର କରି ୩,୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାରର ପ୍ରତିଶ୍ରୁତି ଦେଇଛି କମ୍ପାନୀ।

ସେହିପରି ସ୍ୱିଗି କହିଛି ଯେ ଡେଲିଭରି କର୍ମଚାରୀମାନେ ୩୧ ଡିସେମ୍ବର ଏବଂ ୧ ଜାନୁଆରୀରେ ମିଳିତ ଭାବରେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ। ନୂଆ ବର୍ଷର ପୂର୍ବ ସନ୍ଧ୍ୟାରେ, ସେମାନେ ପିକ୍ ଆୱାର (ସନ୍ଧ୍ୟା ୬ରୁ ରାତି ୧୨ଟା) ସମୟରେ ₹୨,୦୦୦ ପର୍ଯ୍ୟନ୍ତ ରୋଜଗାର କରିପାରିବେ।

ଦେଶ ସାରା ହରତାଳ କରୁଛନ୍ତି ଗିଗ୍ ୱାର୍କର

ଡିସେମ୍ବର ୩୧ ତାରିଖରେ ଦେଶବ୍ୟାପୀ ଧର୍ମଘଟରେ ପ୍ରାୟ ୧୦୦,୦୦୦ ଗିଗ୍ କର୍ମଚାରୀ ଯୋଗ ଦେବେ ବୋଲି ଆଶା କରାଯାଉଛି। ଏହା ଅନଲାଇନରେ ଖାଦ୍ୟ ଏବଂ ତେଜରାତୀ ସାମଗ୍ରୀ ଅର୍ଡର କରୁଥିବା ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। ୟୁନିଅନଗୁଡ଼ିକ ଅଭିଯୋଗ କରିଛନ୍ତି ଯେ ଜୋମାଟୋ ଏବଂ ସ୍ୱିଗି ଭଳି କମ୍ପାନୀଗୁଡ଼ିକ ସେମାନଙ୍କୁ ଶୋଷଣ କରୁଛନ୍ତି ଏବଂ ସେମାନଙ୍କୁ ମୌଳିକ ଆଇନଗତ ଅଧିକାରରୁ ବଞ୍ଚିତ କରୁଛନ୍ତି। ସେମାନେ ଦାବି କରୁଛନ୍ତି ଯେ ଯଦି ସେମାନଙ୍କ ଦାବି ଶୁଣାଯିବ ନାହିଁ ତେବେ ଦେଶରେ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଏହାର ପ୍ରଭାବ ପଡ଼ିବ। ଏହା ପୂର୍ବରୁ ମଧ୍ୟ ୨୫ ଡିସେମ୍ବର ଡେଲିଭର ୱାର୍କରମାନେ ହରତାଳ କରିଥିଲେ। ଏଥିରେ ପାଖାପାଖି ୪୦ ହଜାର ୱାର୍କର୍ସ ସାମିଲ ଥିଲା।

ଗିଗ୍ ୱାର୍କର୍ସଙ୍କର ହରତାଳ କରିବାର ୫ କାରଣ

ଡେଲିଭରି ପାର୍ଟନର ଏବଂ ରାଇଡର୍ସମାନଙ୍କ ଧର୍ମଘଟ କୌଣସି ଗୋଟିଏ କାରଣରୁ ହୋଇ ନାହିଁ। ଦୀର୍ଘଦିନ ଧରି ସେମାନେ ଅଭିଯୋଗ କରି ଆସଥିବା ଏକାଧିକ କାରଣ ଯୋଗ ହୋଇଛି।

ଏକ୍ସପର୍ଟଙ୍କ ମତରେ-

୧. ସୋସିଆଲ୍ ସିକ୍ୟୁରିଟି ଏବଂ ୱେଲ୍ଫେୟାର ଫଣ୍ଡର ଅଭାବ-ଗିଗ୍ କର୍ମଚାରୀଙ୍କ ସବୁଠାରୁ ବଡ଼ ଦାବି ହେଉଛି ସାମାଜିକ ସୁରକ୍ଷା। ସରକାରୀ ନିୟମ ସତ୍ତ୍ୱେ, ଅନେକ ରାଜ୍ୟ ଏପର୍ଯ୍ୟନ୍ତ ଏହି କର୍ମଚାରୀମାନଙ୍କୁ ପେନସନ, ସ୍ୱାସ୍ଥ୍ୟ ବୀମା, କିମ୍ବା ପିଏଫ୍ ଭଳି ସୁବିଧା ପ୍ରଦାନ କରୁ ନାହାଁନ୍ତି। ତେଣୁ ଏହା ମଧ୍ୟ ଗିଗ୍ୱାର୍କର୍ସଙ୍କର ଅସନ୍ତୋଷର କାରଣ ପାଲିଟିଛି।୨. ଆୟ ହ୍ରାସ ହେଉଥିବା ବେଳେ କମ ଇନ୍ସେଣ୍ଟିଭ୍-କାମ ଆରମ୍ଭରେ କମ୍ପାନୀଗୁଡ଼ିକ ଡେଲିଭରି ପାର୍ଟନରମାନଙ୍କୁ ଅଧିକ ଇନ୍ସେଣ୍ଟିଭ୍ ଦେଉଥିଲେ। କିନ୍ତୁ ବର୍ତ୍ତମାନ ଏହା କମାଇ ଦିଆଯାଇଛି। ପୂର୍ବରୁ ସେମାନେ ଅର୍ଡର ପିଛା ୪୦ ରୁ ୬୦ ଟଙ୍କା ପାଉଥିଲେ। ବର୍ତ୍ତମାନ, ଏହା ୧୫ ରୁ ୨୫ ମଧ୍ୟରେ ହ୍ରାସ ପାଇଛି।

୩. ଖରାପ ୱାର୍କିଂ କଣ୍ଡିସନ ଓ ୧୦ ମିନିଟ୍ରେ ଡେଲିଭରି କରିବାର ଚାପ-ବ୍ଲିଙ୍କିଟ୍ ଏବଂ ଜେପ୍ଟୋ ଭଳି କ୍ୱିକ୍ କମର୍ଶ ଆପ୍ ଗୁଡ଼ିକରେ ୧୦-୧୨ ମିନିଟ୍ ଭିତରେ ଡେଲିଭରି କରିବାର ଚାପ ରହିଥାଏ। ତେଣୁ ଏହି ଚାପ ଯୋଗୁ ଦୁର୍ଘଟଣାର ଆଶଙ୍କା ରହିଛି ବୋଲି ଶ୍ରମିକମାନେ ଅଭିଯୋଗ କରଛନ୍ତି।୪. ମନଇଚ୍ଛା ଆଇଡିବ୍ଲକ୍ କରିବା-ଗିଗ୍ କର୍ମଚାରୀମାନଙ୍କର ଏକ ପ୍ରମୁଖ ଅଭିଯୋଗ ହେଲା, କମ୍ପାନୀଗୁଡ଼ିକ ପୂର୍ବରୁ ସୂଚନା ନଦେଇ କୌଣସି ବୈଧ କାରଣ ବିନା ଆଇଡି ବ୍ଲକ୍ କରିଦେଉଛନ୍ତି। ଯାହା ଫଳରେ ସେମାନେ ହଠାତ୍ ଚାକିରି ହରାଉଛନ୍ତି ।

୫.ଗିଗ୍ ୱାର୍କର୍ସଙ୍କୁ ଆଇନ ମାନ୍ୟତା- ବର୍ତ୍ତମାନ, ଏହି କର୍ମଚାରୀମାନଙ୍କୁ କମ୍ପାନୀଗୁଡ଼ିକର ପାର୍ଟନର ବୋଲି କୁହାଯାଉଛି, କର୍ମଚାରୀ ନୁହେଁ। ତେଣୁ ଏମାନଙ୍କୁ କର୍ମଚାରୀର ମାନ୍ୟତା ମିଳୁ ବୋଲି ୱାର୍କସ୍ମାନେ ଧର୍ମଘଟ କରିଛନ୍ତି।

ସୂଚନା ଥାଉକି,ତେଲେଙ୍ଗାନା ଗିଗ୍ ଆଣ୍ଡ୍ ପ୍ଲାଟଫର୍ମ ୱାର୍କର୍ସ ୟୁନିଅନ୍ (TGPWU) ଏବଂ ଇଣ୍ଡିଆନ୍ ଫେଡେରେସନ୍ ଅଫ୍ ଆପ୍-ବେସ୍ଡ ଟ୍ରାନ୍ସପୋର୍ଟ ୱାର୍କର୍ସ (IFAT) ଦ୍ୱାରା ଏହି ଧର୍ମଘଟ ଡାକରା ଦିଆଯାଇଛି। ମହାରାଷ୍ଟ୍ର, କର୍ଣ୍ଣାଟକ, ଦିଲ୍ଲୀ-ଏନସିଆର, ପଶ୍ଚିମବଙ୍ଗ ଏବଂ ତାମିଲନାଡୁର ଆଞ୍ଚଳିକ ସଂଗଠନଗୁଡ଼ିକ ମଧ୍ୟ ଏହି ଧର୍ମଘଟକୁ ସମର୍ଥନ କରିଛନ୍ତି। ଯାହାର ପ୍ରଭାବ ଏହି ଅଞ୍ଚଳଗୁଡ଼ିକରେ ଅଧିକ ପଡ଼ିବାର ସମ୍ଭାବନା ରହିଛି। ତେବେ ଏହି ଆନ୍ଦୋଳନ ପ୍ରଭାବ ଇ-କମର୍ସ ପ୍ଲାଟ୍ ଉପରେ ସେତେଟା ପଡ଼ି ନପାରେ। ତେବେ ଫୁଡ୍ ଡେଲିଭରି ଆପ୍ ଗୁଡ଼ିକ ଉପରେ ପଡ଼ିପାରେ।