ନୂଆଦିଲ୍ଲୀ ୧୧।୬: ଦିଲ୍ଲୀ ବିଶ୍ୱବିଦ୍ୟାଳୟ (ଡିୟୁ)ର ଦିଲ୍ଲୀ ସ୍କୁଲ ଅଫ ଇକୋନମିକ୍ସ (ଡିଏସଇ)ର ୪ ଜଣଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ଆର୍ଥିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ)ରେ ସାମିଲ କରାଯାଇଛି। ଏଥି ପାଇଁ ଡିୟୁ କୂଳପତି ପ୍ରଫେସର ୟୋଗେଶ ସିଂହ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଏହା ଏକ ଗୌରବର କ୍ଷଣ, ଏହି ପ୍ରତିଷ୍ଠିତ ଅର୍ଥଶାସ୍ତ୍ରୀମାନେ ଦେଶର ଆର୍ଥିକ ନୀତି ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିବେ।
ପ୍ରଫେସର ସିଂହ କହିଛନ୍ତି ଯେ ଦିଲ୍ଲୀ ସ୍କୁଲ ଅଫ ଇକୋନମିକ୍ସ ପରିବାରର ୪ ଜଣ ସଦସ୍ୟ ଭାରତୀୟ ଅର୍ଥ ବ୍ୟବସ୍ଥାର ବ୍ୟାପକ ଓ ବିବିଧ ଜ୍ଞାନରେ ଧନୀ। ସେହିପରି ଦିଲ୍ଲୀ ସ୍କୁଲ ଅଫ ଇକୋନମିକ୍ସ ଓ ଦିଲ୍ଲୀ ସ୍କୁଲ ଅଫ ପବ୍ଲିକ୍ ପଲିସି ଆଣ୍ଡ ଗଭର୍ଣ୍ଣାନ୍ସର ନିର୍ଦ୍ଦେଶକ ପ୍ରଫେସର ରାମ ସିଂହ ମଧ୍ୟ ଏଥିରେ ଅତ୍ୟନ୍ତ ଖୁସିବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନୂଆ ଆର୍ଥିକ ପରାମର୍ଶଦାତା ପରିଷଦର ନବ ନିଯୁକ୍ତ ଚେୟାରମ୍ୟାନ ପ୍ରଫେସର ଏସ୍.ମହେନ୍ଦ୍ର ଦେବ ଡିଏସଇର ପୂର୍ବତନ ଛାତ୍ର। ତାଙ୍କ ସହିତ ଡିଏସଇର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ପମ୍ମି ଦୂଆଙ୍କୁ ଇଏସି-ପିଏମର ସଦସ୍ୟ ନିୟୁକ୍ତ କରାଯାଇଛି।
ସେହିପରି ଡିଏସଇର ପୂର୍ବତନ ଛାତ୍ରୀ ଡ.ସମିକା ରବିଙ୍କୁ ଇଏସି-ପିଏମର ପୂର୍ଣ୍ଣକାଳୀନ ସଦସ୍ୟା ନିଯୁକ୍ତ କରାଯାଇଥିବା ବେଳେ ଡିଏସଇର ପୂର୍ବତନ ଛାତ୍ର ପ୍ରଫେସର ଚେତନ ଘାଟେଙ୍କୁ ସଦସ୍ୟ ନିଯୁକ୍ତ କରାଯାଇଛି। ସେମାନେ ଡିୟୁ କୂଳପତି ପ୍ରଫେସର ୟୋଗେଶ ସିଂହଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ କହିଛନ୍ତି ଯେ ଆମର ନୂଆ ଉଦ୍ୟମ ଓ ଗତିବିଦ୍ଧି ନିମନ୍ତେ ତାଙ୍କର ନିରନ୍ତର ସମର୍ଥନ ଓ ମାର୍ଗଦର୍ଶନ ରହିଛି। ଏହି କାରଣରୁ ଡିୟୁ-ଡିଏସଇ ପରିବାର ସଦସ୍ୟ ରାଷ୍ଟ୍ର ନିର୍ମାଣରେ ନିଜର ଭରପୁର ସହଯୋଗ ଦେଉଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ବିଜେପି ନେତା ତଥା ପ୍ରଫେସର ଗୌରବ ବଲ୍ଲଭଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆର୍ଥିକ ପରାମର୍ଶଦାତା ପରିଷଦରେ ସଦସ୍ୟ ମନୋନୀତ କରାଯାଇଥିଲା। କ୍ୟାବିନେଟ୍ ସଚିବାଳୟ ପକ୍ଷରୁ ଜୁନ ୪ ତାରିଖ ଦିନ ଜାରି ଆଦେଶରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା କମିଟିର ପୁନର୍ଗଠନକୁ ମଞ୍ଜୁରୀ ମିଳିଯାଇଛି। ପରିଷଦର କାର୍ଯ୍ୟକାଳ ଆଗାମୀ ୨ ବର୍ଷ ନଚେତ ଆଗାମୀ ଆଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ।
ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦ ଏକ ସ୍ୱାଧୀନ ସଂସ୍ଥା ଓ ସରକାର ଖାସ କରି ପ୍ରଧାନମନ୍ତ୍ରୀଙ୍କୁ ଆର୍ଥିକ ବ୍ୟାପାରରେ ପରାମର୍ଶ ଦେଇଥାନ୍ତି। ଏହି ପରାମର୍ଶ ପରିଷଦ ନିଜ ପକ୍ଷରୁ ଅଥବା ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଦିଆଯାଇଥିବା କୌଣସି ବିଷୟରେ ହୋଇପାରେ। ଏହା ଛଡା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ଅନ୍ୟ କାମ ମଧ୍ୟ ଏହି ପରିଷଦ କରନ୍ତି।