ଧାର୍ମିକ ଚରମପନ୍ଥୀ ଓ ବିଭାଜନକାରୀ ଶକ୍ତିଙ୍କ ସହ ମେଣ୍ଟ କରିଛନ୍ତି ମହମଦ ୟୁନୁସ: ତସ୍ଲିମା ନସରିନ

NEWS7
new-criminal-laws-replacing-colonial-era-codes-to-come-into-effect-from-july-1

ତିରୁଅନନ୍ତପୁରମ ୯।୧: ବାଂଲାଦେଶ-ସ୍ୱିଡିସ୍ ଲେଖିକା ତସ୍ଲିମା ନସରିନ ବାଂଲାଦେଶ ଅନ୍ତରୀଣ ସରକାରଙ୍କ ଉପରେ ଗୁରୁତର ଆରୋପ ଲଗାଇଛନ୍ତି। କହିଛନ୍ତି ମୁଖ୍ୟ ପରାମର୍ଶଦାତା ମହମଦ ୟୁନୁସ ଦେଶରେ ‘ଧାର୍ମିକ ଚରମପନ୍ଥୀ’ ଓ ‘ବିଭାଜନକାରୀ ଶକ୍ତି’ଙ୍କ ସହ ମେଣ୍ଟ କରିଛନ୍ତି। କେରଳ ବିଧାନସଭା ଅନ୍ତର୍ଜାତୀୟ ପୁସ୍ତକ ମହୋତ୍ସବ (କେଏଲଆଇବିଏଫ)ର ଚତୁର୍ଥ ସଂସ୍କରଣରେ ‘ଶାନ୍ତି ନିମନ୍ତେ ପୁସ୍ତକ’ ଶୀର୍ଷକ ଆୟୋଜିତ କାର୍ଯ୍ୟକ୍ରମରେ ନସରିନ କହିଛନ୍ତି ଯେ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନୀତ ୟୁନୁସ ଏପରି ଏଜେଣ୍ଡା ସବୁକୁ ପ୍ରୋତ୍ସାହିତ କରୁଛନ୍ତି ଯାହା ଧର୍ମ ନିରପେକ୍ଷତା ଓ ସାଧାରଣ ନାଗରିକଙ୍କ ଲାଗି ବିପଦଜନକ।

ସେ କହିଛନ୍ତି ଯେ ଯେତେବେଳେ କିଛି ଧାର୍ମିକ ଉନ୍ମାଦୀ ଓ ଚରମପନ୍ଥୀମାନେ ତାଙ୍କ ଜୀବନକୁ ବିପଦରେ ପକାଇଲେ ଓ ତାଙ୍କ ପୁସ୍ତକ ନେଇ ଫତୱା ଜାରି କଲେ ସେତେବେଳେ ବାଂଲାଦେଶ ସରକାର ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କଲେନି। ଏହା ବଦଳେ ମୋର ଗିରଫ ପାଇଁ ୱାରେଣ୍ଟ ଜାରି କଲେ। ନସରିନ କହିଛନ୍ତି ଯେ ଯଦି ସରକାର ସେତେବେଳେ ଧାର୍ମିକ ଉନ୍ମାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିଥାନ୍ତେ ତେବେ ବାଂଲାଦେଶ ପରିସ୍ଥିତି ଆଜି ଏପରି ନଥାନ୍ତା।

ନସରିନ କହିଛନ୍ତି ଯେ ବାଂଲାଦେଶର ସରକାରମାନେ ନିଜ ରାଜନୈତିକ ହିତ ପାଇଁ ଦେଶରେ ଧର୍ମକୁ ଦୂରୁପଯୋଗ କରିଛନ୍ତି। ସେ ବାଂଲାଦେଶ ସରକାରଙ୍କ ଉପରେ ଆରୋପ ଲଗାଇଛନ୍ତି ଯେ ସେ ଉନ୍ମାଦୀଙ୍କ ସମର୍ଥନ ହାସଲ ନିମନ୍ତେ ଧାର୍ମିକ ବିଦ୍ୟାଳୟସବୁ ସ୍ଥାପନା କରୁଛନ୍ତି। ଏହା ଦ୍ୱାରା ସରକାର ଶାସନରେ ଅଧିକ ସମୟ ରହିପାରିବେ ବୋଲି ସେମାନଙ୍କ ଧାରଣା। ଯଦି ସରକାର ଧର୍ମ ନିରପେକ୍ଷ ଶିକ୍ଷଣାନୁଷ୍ଠାନ ଓ ବିଜ୍ଞାନ ଆକାଡେମୀ ନିର୍ମାଣ କରିଥାନ୍ତେ ତେବେ ଏହା ବହୁତ ଭଲ ହୋଇଥାନ୍ତା।