ପେଙ୍ଗଙ୍ଗ୍ ହ୍ରଦ ନିକଟରେ କଲୋନୀ ବସାଇଛି ଡ୍ରାଗନ୍; ସାଟେଲାଇଟ୍ ଚିତ୍ରରୁ ଧରାପଡ଼ିଲା ଚୀନର ଚାଲାକି

Published By : Prameya-News7 Bureau | October 14, 2024 IST

ନୂଆଦିଲ୍ଲୀ: ଚୀନ ଏବଂ ଭାରତ ମଧ୍ୟରେ ସୀମା ବିବାଦ ବଢ଼ିବାରେ ଲାଗିଛି । ଭାରତ ସରକାର କୂଟନୈତିକ ଉପାୟରେ ଉତ୍ତେଜନା କମ୍ କରିବାକୁ ପ୍ରାୟାସ କରୁଥିବା ବେଳେ ଚୀନ୍ କିନ୍ତୁ ଏହାର ଓଲଟା କାମ କରୁଛି । ଏଲଏସିକୁ ଲାଗି କରି ନିର୍ମାଣ ଜାରି ରଖିଛି ବେଜିଂ । ପେଙ୍ଗଙ୍ଗ୍ ହ୍ରଦ ଠାରୁ ମାତ୍ର କିଛି ଦୂରରେ କଲୋନୀ ବସାଇଛି ଡାଗ୍ରନ । ଇଣ୍ଡିଆ ଟୁଡେ ରିପୋର୍ଟ ମୁତାବକ, ସାଟେଲାଇଟ୍ ଚିତ୍ରରୁ ଚୀନର ଚାଲାକୀ ଧରାପଡ଼ିଛି । ଏହି ଫଟୋ ଚିତ୍ରରେ ସ୍ପଷ୍ଟ ଭାବେ ଦେଖାଯାଉଛି ଚୀନ୍ ପେଙ୍ଗଙ୍ଗ୍ ହ୍ରଦଠାରୁ ମାତ୍ର ୩୮ କିଲୋମିଟର ଦୂରରେ ବଡ଼ ବଡ଼ ବିଲ୍ଡିଂ ନିର୍ମାଣ କରିଛି । 

୨୦୨୦ରେ ପେଙ୍ଗଙ୍ଗ୍ ହ୍ରଦର ଯେଉଁ ସ୍ଥାନରେ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ହୋଇଥିଲା । ସେହି ସ୍ଥାନରେ ସି-ଜିନପିନ୍ ସରକାର କଲୋନୀ ବସାଇଛନ୍ତି । ଉକ୍ତ ସ୍ଥାନକୁ ଭାରତ ନିଜର କହୁଥିବା ବେଳେ  ଚୀନ ମଧ୍ୟ ତାହାର ବୋଲି କହୁଛି । ପେଙ୍ଗଙ୍ଗ ହ୍ରଦର ଏହି ପାର୍ଶ୍ବକୁ ନେଇ ବିବାଦ ଲାଗି ରହିଥିବା ବେଳେ ବେଜିଂ କିପରି ନିର୍ମାଣ କଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।    

ତିବ୍ବତ ଅଞ୍ଚଳରେ ଭାରତୀୟ ସୀମାକୁ ଲାଗି କରି ଚୀନ୍ ନିର୍ମାଣ କରିଥିବା କଲୋନୀର ସଦ୍ୟ ଫଟୋ ଚିତ୍ର ଉତ୍ତୋଳନ କରିଛି ଆମେରିକାର ଏକ କମ୍ପାନି । ମୈକ୍ସାର ଟେକ୍ନୋଲୋଜୀ ଅକ୍ଟୋବର ୯ ତାରିଖରେ ସାଟେଲାଇଟରୁ ଏହି ଚିତ୍ର ଉଠାଇଛି । ୧୭ ହେକ୍ଟର ଜମିରେ ଚୀନ୍ କଲୋନୀ ବସାଇଛି । ଏହି ନୂଆ କଲୋନୀ ୟେମାଗୋଉ ରୋଡ୍ ନିକଟରେ ରହିଛି । ଏହାର ଉଚ୍ଚତା ୪,୩୪୭ ମିଟର ବା ୧୪,୨୬୨ ଫୁଟ୍ ହେବ ।  

ତକ୍ଷଶୀଳା ଇନଷ୍ଟିଚ୍ୟୁଟ୍ ର ଜିଓସ୍ପେଶାଲ୍ ରିସର୍ଚ୍ଚ ପ୍ରୋଗ୍ରାମର ପ୍ରମୁଖ ଏବଂ ପ୍ରଫେସର ଡା. ଓ୍ବାଇ ନିତ୍ୟାନନ୍ଦନମ କହିଛନ୍ତି, ଏହ ସ୍ଥାନରେ ଚୀନ ପ୍ରାୟ ୧୦୦ରୁ ଅଧିକ ବିଲ୍ଡିଂ ନିର୍ମାଣ କରିଛି । ଯେଉଁଥିରେ ଆବାସିକ ଘର, ସରକାରୀ ବିଲ୍ଡିଂ ରହିଛି । ସେହିପରି ଆଗକୁ ପାର୍କ ଏବଂ ହେଲିପ୍ୟାଡ୍ ନିର୍ମାଣ କରିବାର ଯୋଜନା ରହିଛି ବୋଲି ସେ କହିଛନ୍ତି । ନୂଆ ନିର୍ମାଣକୁ ଦେଖି ଲାଗୁଛି ୨୦୨୪ ସୁଦ୍ଧା ସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ ହୋଇଯିବ । ଏହି କଲୋନୀ ଦୁଇ ଭାଗରେ ବିଭକ୍ତ ହୋଇଛି । ଏଥିରେ ଆଡମିନିଷ୍ଟ୍ରେଟିଭ୍ ଏବଂ ଅପରେସନାଲ ଜୋନ୍, ଷ୍ଟୋରଜେ ବ୍ୟବସ୍ଥା ରହିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.