ନୂଆଦିଲ୍ଲୀ ୧୪।୦୪; ହନୁମାନ ଜୟନ୍ତୀକୁ ନେଇ ନେପାଳରେ ହଙ୍ଗାମା । ସ୍ଥିତି ଅଣାୟତ ହେବା ପରେ ନେପାଳର ବୀରଗଞ୍ଜ ବଜାରରେ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରି । ସମ୍ପୃକ୍ତ ଅଞ୍ଚଳରେ ପୋଲିସ୍ ପକ୍ଷରୁ କଡା ନଜର ରଖାଯାଇଛି । ଏହି ଘଟଣାରେ କିଛି ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୪୦ ଜଣ ଗିରଫ କରାଯାଇଛି । କୁହାଯାଉଛି ଯେ ନେପାଳର ପରସା ଜିଲ୍ଲାର ବୀରଗଞ୍ଜ ପୌରପାଳିକାରେ ହନୁମାନ ଜୟନ୍ତୀ ଅବସରରେ ଆୟୋଜିତ ଶୋଭା ଯାତ୍ରା ସମୟରେ ହିଂସାତ୍ମକ ସଂଘର୍ଷ ଘଟିଥିଲା। ଏହାକୁ ନେଇ ପ୍ରଶାସନ ଚିନ୍ତିତ ହୋଇପଡ଼ିଥିଲା। ଏହା ପରେ, ଶନିବାର କର୍ଫ୍ୟୁ ଜାରି କରାଯାଇଥିଲା। କାଠମାଣ୍ଡୁ ପୋଷ୍ଟ ଅନୁଯାୟୀ, ଏଥିରେ ଅତି କମରେ ୪୦ ଜଣଙ୍କୁ ଗିରଫ କରାଯାଇଛି।
ଧାର୍ମିକ କାର୍ଯ୍ୟକ୍ରମ ପାଇଁ ଏକତ୍ରିତ ହୋଇଥିବା ଲୋକଙ୍କ ଉପରେ ପଥର ମାଡ଼ ହୋଇଥିବା ଜଣାପଡ଼ିଛି। ଯାହା ଫଳରେ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ଘଟଣାରେ ଅନେକ ପୋଲିସ କର୍ମଚାରୀ ଏବଂ ସ୍ଥାନୀୟ ବାସିନ୍ଦା ଆହତ ହୋଇଥିଲେ। ଜିଲ୍ଲା ପ୍ରଶାସନ କାର୍ଯ୍ୟାଳୟ ଭାରତୀୟ ସୀମାନ୍ତ ସହର ରକ୍ସୌଲ (ବିହାର) ନିକଟରେ ଅବସ୍ଥିତ ବୀରଗଞ୍ଜର ମଧ୍ୟଭାଗରେ ଶନିବାର ସନ୍ଧ୍ୟା ୬.୩୦ରୁ ରବିବାର ମଧ୍ୟାହ୍ନ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରିଛି। ଜିଲ୍ଲା ପ୍ରଶାସନ କାର୍ଯ୍ୟାଳୟ ପକ୍ଷରୁ ଏକ ନୋଟିସ ଜାରି କରାଯାଇ କୁହାଯାଇଛି ଯେ, "ହନୁମାନ ଜୟନ୍ତୀ ପାଳନ ସମୟରେ ଉତ୍ତେଜନା ବୃଦ୍ଧି ପାଇବା ହେତୁ, 'ବୀରଗଞ୍ଜ ମହାନଗର'ର ୱାର୍ଡ ନମ୍ବର ୧୪, ୧୫, ୧୬ ଏବଂ ୧୫ରେ ଶନିବାର ସନ୍ଧ୍ୟା ୬.୩୦ରୁ ରବିବାର ଦିନ ୧୨ ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।"
ପୋଲିସ କହିଛି, "ଘଣ୍ଟଘର ଅଞ୍ଚଳରୁ ଆରମ୍ଭ ହୋଇ ସହରର ଅନ୍ୟାନ୍ୟ ପ୍ରମୁଖ ସ୍ଥାନକୁ ଯାଉଥିବା ଶୋଭାଯାତ୍ରା ସମୟରେ ହୋଇଥିବା ସଂଘର୍ଷରେ କିଛି ପୋଲିସ କର୍ମଚାରୀ ଏବଂ ସ୍ଥାନୀୟ ଲୋକ ଆହତ ହୋଇଛନ୍ତି। ଉତ୍ତେଜନା ବୃଦ୍ଧି ପାଇବା ପରେ ବୀରଗଞ୍ଜରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କର୍ଫ୍ୟୁ ଲାଗୁ କରାଯାଇଥିବା ଆଦେଶ ଅନୁଯାୟୀ, କେନ୍ଦ୍ରୀୟ ବୀରଗଞ୍ଜରେ ଲୋକଙ୍କ ଗତିବିଧି, ରାଲି, ସଭା, ପ୍ରତିବାଦ ଏବଂ ସମାବେଶକୁ ନିଷେଧ କରାଯାଇଛି।