ନୂଆଦିଲ୍ଲୀ ୧୧।୦୨: ଗରିବ ପରିବାରର ଝିଅ । ଅଟୋ ଡ୍ରାଇଭର ହେଉଛନ୍ତି ବାପା । ରୋଗରେ ନିଜ ଭାଇଙ୍କୁ ହରାଇଛନ୍ତି । ଏମିତିକି ନିଜେ ମଧ୍ୟ ଟିବିରେ ପୀଡିତ । କିନ୍ତୁ ସ୍ବପ୍ନ ହେଉଛି ଡାକ୍ତର ହେବା । ଏଥିପାଇଁ ସେ କରିଛନ୍ତି କଠିନ ପରିଶ୍ରମ । ଆଉ ନିଜର ସ୍ବପ୍ନକୁ କରିଛନ୍ତି ସାକାର ।
ନିଟ୍ ପାସ୍ କରିଛନ୍ତି, ଆଉ ହୋଇଛନ୍ତି ଡାକ୍ତର । ଏବେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ସାଜିଛନ୍ତି ପ୍ରେରଣା । ରୁବି ପ୍ରଜାପତି । ଗୁଜରାଟର ବାସିନ୍ଦା । NEET-UG ପରୀକ୍ଷାରେ ସେ ରଖିଛନ୍ତି ୬୩୫ ନମ୍ବର । ପରିବାରର ଆର୍ଥିକ ଅନଟନ ସତ୍ତ୍ବେ ସେ ହାରିନାହାନ୍ତି । ରୁବିଙ୍କ ଦୃଢ଼ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ତାଙ୍କୁ ଆଣିଦେଇଛି ସଫଳତା ।
ରୁବିଙ୍କ ବାପା ଜଣେ ଅଟୋରିକ୍ସା ଡ୍ରାଇଭର । ତାଙ୍କ ମାଆ ପଶୁପାଳନ କାମ କରନ୍ତି । ପରିବାରର ଆର୍ଥିକ ଅବସ୍ଥା ଭଲ ନୁହେଁ । ତଥାପି ସେ ପରିବାର ପ୍ରତିପୋଷଣ ପାଇଁ ଦିନରାତି କରୁଥିଲେ କଠିନ ପରିଶ୍ରମ । ୯ ବର୍ଷ ପୂର୍ବେ ରୁବିଙ୍କ ସାନ ଭାଇ ମୃତ୍ୟୁବରଣ କରିଥିଲେ । ତାଙ୍କ ବଡ଼ ଭାଇ ଅସୁସ୍ଥ ରହୁଥିଲେ । ତାଙ୍କୁ କଥା କହିବାରେ ମଧ୍ୟ ଅସୁବିଧା ହେଉଥିଲା ।
ଏସବୁରେ ରୁବି ଗଭୀର ପ୍ରଭାବିତ ହୋଇଥିଲେ । ଏମିତିକି ରୁବି ନିଜେ ମଧ୍ୟ ଟିବିରେ ଥିଲେ ପୀଡିତ । ସେ ୨୦୧୮ ମସିହାରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିଲେ । ରୋଗର ଏହି ଅଭିଜ୍ଞତା ତାଙ୍କୁ ଡାକ୍ତରଙ୍କ ଗୁରୁତ୍ୱ ବିଷୟରେ ସଚେତନ କରାଇଲା। ସେ ଡାକ୍ତର ହୋଇ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ନେଇଥିଲେ ନିଷ୍ପତ୍ତି । କିନ୍ତୁ ତାଙ୍କର ଏହି ଯାତ୍ରା ଆଦୌ ସହଜ ନଥିଲା ।
କିନ୍ତୁ ସେ ପଛକୁ ହଟିନଥିଲେ । ନିଜର ଦୃଢ ଇଚ୍ଛାଶକ୍ତିକୁ କରିଥିଲେ ଆହୁରି ସୁଦୃଢ । ସେ ଆର୍ଥିକ ଅନଟନ ସତ୍ତ୍ବେ ଆଗକୁ ବଢିଥିଲେ । ଏହି ସମୟରେ ରୁବିଙ୍କ କାକା ତାଙ୍କୁ ଆର୍ଥିକ ସାହାଯ୍ୟ କରିଥିଲେ । ଯାହା ରୁବିଙ୍କୁ ଆଗକୁ ବଢ଼ିବାରେ କରିଥିଲା ବହୁତ ସାହାଯ୍ୟ । ରୁବିଙ୍କ NEET କୋଚିଂର ଖର୍ଚ୍ଚ ବହନ କରୁଥିଲେ କାକା । ଏହାବ୍ୟତୀତ ମାଆଙ୍କର ସବୁବେଳେ ରୁବିଙ୍କ ଉପରେ ରହିଥିଲା ଦୃଢ ବିଶ୍ୱାସ ।
କୋଚିଙ୍ଗର ଗୋଟିଏ ବର୍ଷ ପରେ ରୁବି ଭଲ ପ୍ରଦର୍ଶନ କରିପାରି ନଥିଲେ । ଯାହା ତାଙ୍କୁ ନିରାଶ କରିଥିଲା । କିନ୍ତୁ ସେ ହାର ନ ମାନି ଏକ ନୂଆ ରଣନୀତି ପାଇଁ ହୋଇଥିଲେ ପ୍ରସ୍ତୁତ । ରୁବି ତାଙ୍କ ପାଠପଢ଼ାର ଶୈଳୀ ବଦଳାଇ ଦେଲେ । ଶିକ୍ଷିବାର ନୂଆ ରଣନୀତି ତିଆରି କରିଥିଲେ । ଆଉ ହୋଇଥିଲେ ସଫଳ । ଏବେ ରୁବି ଅନ୍ୟ ଶିକ୍ଷାର୍ଥୀଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା ।