ରାଷ୍ଟ୍ରୀୟ ଲକ୍ଷପତି ଦିଦି ସମ୍ମିଳନୀ-୨୦୨୫ : ସର୍ବାଧିକ ୯୮ ପ୍ରତିଶତ ଲକ୍ଷପତି ଦିଦି ସୃଷ୍ଟିକରି ନୟାଗଡ ଜିଲ୍ଲା ରାଜ୍ୟରେ ପ୍ରଥମ

Published By : Prameya-News7 Bureau | May 29, 2025 IST

ଭୁବନେଶ୍ବର ଲୋକସେବା ଭବନ କନଭେନସନ ସେଣ୍ଟର ଠାରେ ମିଶନ ଶକ୍ତି ବିଭାଗ ପକ୍ଷରୁ ଆୟୋଜିତ ହୋଇଯାଇଛି ରାଷ୍ଟ୍ରୀୟ ଲକ୍ଷପତି ଦିଦି ସମ୍ମିଳନୀ-୨୦୨୫ । ଏହି ସମ୍ମିଳନୀରେ ଦେଶର ୨୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଲକ୍ଷପତି ଦିଦି ଓ ସରକାରୀ ଅଧିକାରୀ ମାନେ ଯୋଗଦେଇଥିଲେ । 

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଥିଲେ ଯେ, ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୂରଦର୍ଶୀ ମାର୍ଗଦର୍ଶନରେ ଲକ୍ଷପତି ଦିଦି ଯୋଜନା ମହିଳା ମାନଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରିବାର ମାର୍ଗ ପ୍ରସ୍ତୁତ କରିଛି । ଏହା କେବଳ ରୋଜଗାରର କଥା ନୁହେଁ । ପରନ୍ତୁ, ଏହାର ମୂଳ ଉଦ୍ଦେଶ୍ୟ ହେଉଛି ମହିଳା ମାନଙ୍କୁ ଆର୍ଥିକ ସ୍ୱାଧୀନତା ଦେବା ଏବଂ ଗ୍ରାମାଞ୍ଚଳ ମହିଳାଙ୍କ ମଧ୍ୟରେ ନେତୃତ୍ୱ ଭାବନା ଜାଗ୍ରତ କରିବା ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଲକ୍ଷପତି ଦିଦି ଯୋଜନା କେବଳ ଏକ କଲ୍ୟାଣକାରୀ ଯୋଜନା ନୁହେଁ, ଏହା ହେଉଛି ଏକ ସମାବେଶୀ ଓ ସ୍ଥାୟୀ ବିକାଶର ରଣନୀତି । ଓଡିଶା ଲକ୍ଷପତି ଦିଦି ମିଶନକୁ ପ୍ରତିବଦ୍ଧତାର ସହ କାର୍ଯ୍ୟକାରୀ କରିଛି । ପ୍ରାୟ ୧୭ ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି ଭାବେ ଗଢି ଆଜି ଓଡିଶା ଭାରତ ବର୍ଷରେ  ପ୍ରଥମ ସ୍ଥାନ ଅଧିକାର କରିଛି । ଏହି ସଫଳତା ଆମ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ନିଷ୍ଠା, ମିଶନ ଶକ୍ତି ଏବଂ ଓଡିଶା ଜୀବିକା ମିଶନର ଆନ୍ତରିକତା ଓ ତୃଣମୂଳ ସ୍ତରରେ ଦକ୍ଷତାପୂର୍ଣ୍ଣ କାର୍ଯ୍ୟର ଫଳସ୍ୱରୂପ ଆମକୁ ମିଳିଛି । 

ସେ ଆହୁରି କହିଥିଲେ, ଓଡିଶାର ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ୠଣ ଉପଲବ୍ଧ କରାଯାଉଛି। ରିଭଲଭିଂ ଫଣ୍ଡ ସହାୟତାକୁ ୧୫ ହଜାର ଟଙ୍କାରୁ ବଢାଇ ୩୦ ହଜାର ଟଙ୍କାକୁ କରାଯାଇଛି। କମୁନିଟି ଇନଭେଷ୍ଟମେଣ୍ଟ ଫଣ୍ଡକୁ ବଢାଇ ୩୫ ଲକ୍ଷ ଟଙ୍କାରୁ ୬୦ ଲକ୍ଷ ଟଙ୍କାକୁ କରାଯାଇଛି। ଏହା ଦ୍ୱାରା SHG ସଦସ୍ୟା ମାନେ ନିଜ ବ୍ୟବସାୟ ଓ ଜୀବିକାକୁ ଆତ୍ମ ବିଶ୍ୱାସର ସହ ଆଗକୁ ନେଇ ପାରୁଛନ୍ତି। ସୁଭଦ୍ରା ଶକ୍ତି ମେଳା ମାଧ୍ୟମରେ SHG ମହିଳା ମାନେ ଲକ୍ଷାଧିକ ଟଙ୍କାର ବ୍ୟବସାୟ କରି ନିଜର ପରିଚୟ ସୃଷ୍ଟି କରିବା ସହିତ ଆତ୍ମବିଶ୍ୱାସ ବଢାଇ ପାରୁଛନ୍ତି। ଆମର ସୁଭଦ୍ରା ଶକ୍ତି କାଫେ ଏକ ନୂଆ ଜୀବିକା ମଡେଲ୍ ଭାବେ ଆରମ୍ଭ ହୋଇଛି। ଏହା ମାଧ୍ୟମରେ SHG ମହିଳା ମାନେ ବଡ ବଡ କାଫେ ଚଳାଉଛନ୍ତି। ଆମ ମହିଳା ମାନଙ୍କ ନିଷ୍ଠା ଓ କଠିନ ପରିଶ୍ରମ ବର୍ତ୍ତମାନ ବ୍ୟବସାୟ ଜରିଆରେ ଅନ୍ତର୍ଜାତୀୟ ବଜାରରେ ପ୍ରବେଶ କରୁଛି। 

ଏହି ଅବସରରେ ରାୟଗଡା ଜିଲ୍ଲାର ଲକ୍ଷପତି ଦିଦି ବିନ୍ଧ୍ୟବାଶିନୀ, ମହାରାଷ୍ଟ୍ରର ଶୋଭା ଦିଗମ୍ବର କଦମ୍ ସେମାନଙ୍କର ସଫଳତାର ଅନୁଭୂତି ଓ ଅଭିଜ୍ଞତାକୁ ବର୍ଣ୍ଣନା କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ଲକ୍ଷପତି ଦିଦି ଭାବରେ ଦେବଗଡ ଜିଲ୍ଲାର ଶକୁନ୍ତଳା ଧଳ, ଗଜପତି ଜିଲ୍ଲାର ସୁଲମୀ ଦଳବେହେରା ଏବଂ କେନ୍ଦ୍ରାପଡା ଜିଲ୍ଲାର ମମତା ନାଥ ଶର୍ମାଙ୍କୁ ପୁରସ୍କୃତ କରିଥିଲେ । ଜିଲ୍ଲାରେ ୯୮ ପ୍ରତିଶତ ଲକ୍ଷପତି ଦିଦି ସୃଷ୍ଟି କରି ପ୍ରଥମ ସ୍ଥାନ ଅଧିକାର କରିଥିବା ନୟାଗଡ ଜିଲ୍ଲା ଏବଂ ୯୭ ପ୍ରତିଶତ ଲକ୍ଷପତି ଦିଦି ସୃଷ୍ଟି କରି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା କେନ୍ଦ୍ରାପଡା, କଟକ, ଭଦ୍ରକ, ଜଗତସିଂହପୁର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିବା ସହିତ ରାଜ୍ୟ ସ୍ତରରେ ଶ୍ରେଷ୍ଠ ଅଧିକାରୀ ଭାବେ ଓଡିଶା ଜୀବିକା ମିଶନ, ଭୁବନେଶ୍ୱରର ଦେବୀ ପ୍ରସାଦ ନାୟକଙ୍କୁ ପୁରସ୍କୃତ କରିଥିଲେ ।  

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଲକ୍ଷପତି ଦିଦିଙ୍କ ଉପରେ ପର୍ଯ୍ୟବସିତ ଏକ ଭିଡିଓ, ଏକ କଫି ଟେବୁଲ ବୁକ୍ ଓ ବୁକଲେଟ୍ ଉନ୍ମୋଚନ କରିଥିଲେ । ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ ଏବଂ ନିର୍ଦ୍ଦେଶିକା ଡଃ ମୋନିକା ପ୍ରିୟଦର୍ଶିନୀ ଉପସ୍ଥିତ ଥିଲେ ।

You Can Read:

ମହିଳାଙ୍କ ଆଖିରେ ଲୁହ ନୁହେଁ ମୁହଁରେ ଖୁସି ଦେଖିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିବଦ୍ଧ

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.