ମୁଣ୍ଡ ଉପରେ ୫୦ଲକ୍ଷର ପୁରସ୍କାର ଥିବା ନକ୍ସଲ ଦମ୍ପତ୍ତିଙ୍କ ଆତ୍ମସମର୍ପଣ, ଜାଣନ୍ତୁ କ’ଣ କହିଲା ତେଲେଙ୍ଗାନା ପୋଲିସ

Published By : Prameya-News7 Bureau | July 17, 2025 IST

ରାଚାକୋଣ୍ଡା ୧୭।୭: ଛତିଶଗଡ଼ର ବସ୍ତରରେ ଦୀର୍ଘ ସମୟରୁ ସକ୍ରିୟ ଥିବା ନକ୍ସଲ ଦମ୍ପତ୍ତି ସଞ୍ଜୀବ ଓରଫ ଲେଗୁ ଦାଦା ଓ ତାଙ୍କ ପତ୍ନୀ ପାର୍ବତୀ ଓରଫ ଦିନା ଗୁରୁବାର ତେଲେଙ୍ଗାନା ପୋଲିସରେ ଆତ୍ମସମର୍ପଣ କରିଛନ୍ତି। ଛତିଶଗଡରେ ଏହି ନକ୍ସଲ ଦମ୍ପତ୍ତିଙ୍କ ଉପରେ ୫୦ଲକ୍ଷ ଟଙ୍କାର ପୁରସ୍କାର ଥିଲା। ରାଚାକୋଣ୍ଡା ପୋଲିସ କମିଶନର ସୁଧିର ବାବୁ କହିଛନ୍ତି ଯେ ୪୫ ବର୍ଷ ଅଣ୍ଡରଗ୍ରାଉଣ୍ଡ ରହିବା ପରେ ସଞ୍ଜୀବ ଓ ତାଙ୍କ ପତ୍ନୀ ମୁଖ୍ୟସ୍ରୋତକୁ ଫେରିଛନ୍ତି। 

ମେଡଚଲ ମଲ୍କାଜଗିରି ଜିଲ୍ଲାର ୟପ୍ରଲର ମୂଳ ବାସିନ୍ଦା ସଞ୍ଜୀବ ଓରଫ ଲେଗୁ ଦାଦା ୧୯୮୦ ମସିହାରେ ସିପିଆଇ(ଏମଏଲ) ପ୍ୟୁପିଲସ୍ ୱାରରେ ସାମିଲ ହୋଇଥିଲେ। ନକ୍ସଲଙ୍କ ଚେତନା ନାଟ୍ୟମଣ୍ଡଳୀର ମୁଖ୍ୟ ମଧ୍ୟ ଥିଲା ଲେଗୁ ଦାଦା। ଏହି ନାଟ୍ୟମଣ୍ଡଳୀ ସଙ୍ଗଠନର ବିଚାରଧାରାକୁ ଗାଁ ଗାଁରେ ପ୍ରଚାର କରୁଥିଲା। ସେ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ମଧ୍ୟ ସକ୍ରିୟ ସଦସ୍ୟ ଥିଲା। ୨୦୦୨ ମସିହାରେ ଇଲାପୁରରେ ହୋଇଥିବା ଗୁଳିକାଣ୍ଡ ଘଟଣାରୁ ସେ ସୁରକ୍ଷିତ ବର୍ତ୍ତି ଯାଇଥିଲା। 

ପୋଲିସ ଅନୁସାରେ ଲେଗୁ ଓ ଦିନାଙ୍କ ଆତ୍ମସମର୍ପଣ ପରେ ସୁରକ୍ଷା ବଳଙ୍କୁ ନକ୍ସଲ ଅପରେସନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ସୂଚନା ମିଳିପାରେ। ଏଥିରେ ରାଚାକୋଣ୍ଡା ପୋଲିସ କମିଶନର ସଞ୍ଜୀବ ଓ ତାଙ୍କ ପତ୍ନୀ ସାମାଜିକ ମୁଖ୍ୟଧାରକୁ ଫେରିବା ମାଓବାଦ ଆନ୍ଦୋଳନ ପ୍ରତି ତେଲେଙ୍ଗାନା ପୋଲିସର ସମଗ୍ର ଓ ବ୍ୟାପକ ରଣନୀତିର ବିଜୟ ବୋଲି କହିଛନ୍ତି। ସେ ତେଲେଙ୍ଗାନାର ଅଣ୍ଡରଗ୍ରାଉଣ୍ଡ ନକ୍ସଲଙ୍କୁ ନିଜନିଜ ଗାଁକୁ ଫେରିବାକୁ ନିବେଦନ କରିଛନ୍ତି। 

ସେ କହିଛନ୍ତି ଯେ ସିପିଆଇ (ମାଓବାଦୀ) ଆନ୍ଦୋଳନ ଛାଡି ମୁଖ୍ୟଧାରାରେ ସାମିଲ ହେଉଥିବା ପ୍ରତ୍ୟେକ ନକ୍ସଲଙ୍କୁ ତେଲେଙ୍ଗାନା ସରକାରଙ୍କ ଦ୍ୱାରା ଘୋଷିତ ପୁନର୍ବାସ ଯୋଜନା ଅନୁସାରେ ଲାଭ ପ୍ରଦାନ କରାଯିବ। ସେହିପରି ଯୁବ ତତ୍ୱଙ୍କୁ ଏପରି ସଂସ୍ଥାଙ୍କ ସମ୍ପର୍କରେ ନ ଆସିବାକୁ ନିବେଦନ କରିଛନ୍ତି। ଯେଉଁମାନେ ଏଥିରେ କାମ କରୁଛନ୍ତି ସେମାନେ ମଧ୍ୟ ଏହି ଦମ୍ପତ୍ତିଙ୍କ ଭଳି ସାମାଜିକ ମୁଖ୍ୟସ୍ରୋତକୁ ଫେରି ଆସନ୍ତୁ ବୋଲି ପୋଲିସ କମିଶନର କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.