ଛତିଶଗଡ ୨୬/୦୬: ଏନକାଉଣ୍ଟରରେ ଟଳିଲା ହାର୍ଡକୋର ମାଓବାଦୀ । ଝାଡଖଣ୍ଡର ଲାତେହାରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ନିପାତ ହୋଇଛି ମାଓ କମାଣ୍ଡର ମନୀଷ ଯାଦବ । ରବିବାର ବିଳମ୍ବିତ ରାତିରେ ସୁରକ୍ଷାବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲୁଥିବା ବେଳେ ମନୀଷ ଯାଦବ ନିପାତ ହୋଇଛି । ନିହତ ମନୀଷ ଉପରେ ଥିଲା ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି । ସେହିପରି ଆଉ ଜଣେ ମାଓବାଦୀ କୁନ୍ଦର ଖେରୱାରକୁ ଗିରଫ କରାଯାଇଛି । କୁରନ୍ଦ ଉପରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା ।
ସୂଚନାଥାଉକି, ଲାତେହାରର ମହୁଆନ୍ଦାର ଥାନା ଅନ୍ତର୍ଗତ କରମଖାଡ ଏବଂ ଦାଉନା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଜଙ୍ଗଲ ମଧ୍ୟରେ କିଛି ମାଓବାଦୀ ଲୁଚି ରହିଥିବାର ଜଣା ପଡିବା ପରେ ସୁରକ୍ଷାବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ହୋଇଥିଲା । ରବିବାର ରାତିରୁ ଆରମ୍ଭ ହୋଇଥିବା ଏହି ଅପରେସନ ସୋମବାର ସକାଳ ପର୍ଯ୍ୟନ୍ତ ଚାଲିଥିଲା । ସୋମବାର ସକାଳେ ଜଣେ ମାଓବାଦୀର ମୃତଦେହ ମିଳିଥିଲା । ପରେ ତାହା ମନୀଷ ଯାଦବର ବୋଲି ଜଣା ପଡିଥିଲା ।
ପାଲାମୁ ଡିଆଇଜି ୱାଇ.ଏସ ରମେଶ କହିଛନ୍ତି ଯେ, ହାର୍ଡକୋର ମାଓବାଦୀ ମନୀଷ ଯାଦବ ତା’ର ସ୍ୱାଡର୍ ସହ ଜଙ୍ଗଲରେ ଲୁଚିଥିବାର ଖବର ମିଳିବା ପରେ ଏକ ପୋଲିସ ଟିମ୍ ଗଠନ ହୋଇ ସର୍ଚ୍ଚ ଅପରେସନ କରାଯାଇଥିଲା । ତେବେ ସୁରକ୍ଷାକର୍ମୀଙ୍କୁ ଦେଖି ମାଓବାଦୀମାନେ ଗୁଳି ଚାଳନା କରିଥିଲେ । ସୁରକ୍ଷାବାହିନୀ ପକ୍ଷରୁ ଏହାର କଡା ଜବାବ ଦିଆଯାଇଥିଲା । ପ୍ରତି ଜବାବରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିଲା ମନୀଷ ଯାଦବ । ଘଟଣାସ୍ଥଳରୁ ଦୁଇଟି ରାଇଫଲ ସହ ଅନ୍ୟାନ୍ୟ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି ।