T 20 World Cup: ଜନସେନଙ୍କ ଅର୍ଦ୍ଧଶତକ, ପ୍ରଥମ ସେମିରେ ନ୍ୟୁଜିଲାଣ୍ଡକୁ ୧୭୦ ରନ ଟାର୍ଗେଟ୍ ଦେଲା ଦ. ଆଫ୍ରିକା

NEWS7
nawazuddin-siddiqui-charges-rs-1-for-manto

କୋଲକାତା: ଇଡେନ ଗାର୍ଡେନ୍ସରେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଉଛି ଟି-୨୦ ବିଶ୍ଵକପ୍ ୨୦୨୬ର ପ୍ରଥମ ମ୍ୟାଚ୍। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୮ ଓ୍ଵିକେଟ୍ ହରାଇ ୧୬୯ ରନ କରିଛି। ମ୍ୟାଚ୍ ଜିତି ସେମିରେ ପହଞ୍ଚିବା ପାଇଁ କିଓ୍ଵି ଦଳ ଆଗରେ ରହିଛି ୧୭୦ ରନର ବିଜୟ ଲକ୍ଷ୍ୟ। ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜନସେନ ୫୫ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିବା ବେଳେ ଡିଓ୍ଵାର୍ଲ୍ଡ ବ୍ରେଭିସ ୩୪ ରନ ଓ ଟ୍ରିଷ୍ଟନ ଷ୍ଟବ୍ସ ୨୯ ରନ କରିଛନ୍ତି। ବୋଲିଂରେ ନ୍ୟୁଜିଲାଣ୍ଡ ପକ୍ଷରୁ ରଚିନ ରବୀନ୍ଦ୍ର, କୋଲ ମ୍ୟାକୋଞ୍ଚି ଓ ମାଟ୍ ହେନରୀ ପ୍ରତ୍ୟେକଙ୍କୁ ୨ଟି ଲେଖାଏଁ ଓ୍ଵିକେଟ୍ ମିଳିଛି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକାର ଆରମ୍ଭ ନୈରାଶ୍ୟଜନକ ଥିଲା। ଦଳ ୨ ରନରେ ଦୁଇଟି ଓ୍ଵିକେଟ୍ ହରାଇଥିଲା। କ୍ଵିଣ୍ଟନ ଡି କକ୍(୧୦ ରନ ) ଓ ରିୟାନ ରିକଲଟନ ଖାତା ଖୋଲି ପାରି ନ ଥିଲେ। ପୁଣି ଅଧିନାୟକ ଆଡନ ମାରକ୍ରମ ୧୮ ରନ କରି ଆଉଟ୍ ହେବା ଦକ୍ଷିଣ ଆଫ୍ରିକାକୁ  ବଡ଼ ଝଟକା ଦେଇଥିଲା। ଡେଭିଡ ମିଲର(୬ ରନ) ନିରାଶ କରିଥିଲେ। ଅନ୍ୟପଟେ ଡିଓ୍ଵର୍ଲ୍ଡ ବ୍ରେଭିସ କ୍ରିଜରେ ଜମି ୩୪ ରନର ଉପଯୋଗୀ ଇନିଂସ ଖେଳିଥିଲେ।

୭୭ ରନରେ ୫ ଓ୍ଵିକେଟ୍ ହରାଇ ମୁସ୍କିଲ ସ୍ଥିତିରେ ଥିବା ଦକ୍ଷିଣ ଆଫ୍ରିକାର ଇନିଂସ ସମ୍ଭାଳିଥିଲେ ଟ୍ରିଷ୍ଟନ ଷ୍ଟବ୍ସ ଓ ମାର୍କୋ ଜନସେନ। ଦୁଇ ବ୍ୟାଟର ଦ୍ରୁତ ବ୍ୟାଟିଂ କରି ଷଷ୍ଠ ଓ୍ଵିକେଟ୍ ପାଇଁ ୭୩ ରନ ଯୋଡ଼ି ଦଳର ସ୍ଥିତି ମଜବୁତ କରିଥିଲେ। ଷ୍ଟବ୍ସ ୨୯ ରନ କରି ଆଉଟ୍ ହୋଇଥିଲେ। ତଥାପି ମାର୍କୋ ଜନସେନ ଦମଦାର ବ୍ୟାଟିଂ କରି ୫୫ ରନରେ ଅପରାଜିତ ଥିଲେ। ତାଙ୍କର ଏହି ଇନିଂସରେ ୨ ଚୌକା ଓ ୫ ଛକା ସାମିଲ୍। ଫଳରେ ଦକ୍ଷିଣ ଆଫ୍ରିକା ୧୬୯ ରନ କରି ପାରିଥିଲା।