ନୂଆଦିଲ୍ଲୀ: ଗିଗ୍ ଓ୍ବାର୍କସଙ୍କୁ ପେନସନ୍ ସୁବିଧା ପାଇଁ ଅଣାଯାଇଥିବା ସାମାଜିକ ସୁରକ୍ଷା କବଚ ପ୍ରସ୍ତାବକୁ କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ଅନ୍ତିମ ରୂପ ଦେବାକୁ ଯାଉଛି । ଏଥିରେ ଗିଗ୍ ଓ୍ବାର୍କସଙ୍କୁ ପେନସନ ଦେବାକୁ ଏଗ୍ରେଗେଟର୍ସ କମ୍ପାନିଠୁ ଦୁଇ ପ୍ରତିଶତ ଅଂଶଧନ ନେବାକୁ ପ୍ରସ୍ତାବ ଦିଆଯାଇଛି ।
ବିଶେଷ ସୂତ୍ର ମିଳିଥିବା ଖବର ଅନୁଯାୟୀ, ଶ୍ରମ ମନ୍ତ୍ରାଳୟ ଏଗ୍ରେଗେଟର୍ସ କମ୍ପାନିଠୁ ସମସ୍ତ ଟ୍ରାଞ୍ଜାକ୍ସନ ବିଲ୍ର ଅଧିକତମ ଦୁଇ ପ୍ରତିଶତ ଗିଗ୍ ଓ୍ବାର୍କସଙ୍କ ପେନସନରେ ଦେବାକୁ ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି । ଶ୍ରମ ମନ୍ତ୍ରାଳୟରୁ ମିଳିଥିବା ସଙ୍କେତ ମୁତାବକ, ଗିଗ୍ ଓ୍ବାର୍କସଙ୍କୁ ପେନସନ୍ ସୁବିଧା ପ୍ରସ୍ତାବକୁ ଶୀଘ୍ର କ୍ୟାବିନେଟ୍ ମଞ୍ଜୁରି ପାଇଁ ପଠାଯିବ । ଗିଗ୍ କର୍ମଚାରୀମାନେ ପାରମ୍ପରିକ ନିଯୁକ୍ତିଦାତା-କର୍ମଚାରୀ ପ୍ରଣାଳୀ ବାହାରେ ଜୀବିକା ଅର୍ଜନ କରନ୍ତି । ସେମାନଙ୍କୁ କାମ ପାଇଁ ପାରିଶ୍ରମିକ ଆଧାରରେ ନିଯୁକ୍ତି ଦିଆଯାଏ । ଏମାନଙ୍କୁ ସାଧାରଣତଃ ମୋବାଇଲ୍ ଆପ୍ ମାଧ୍ୟମରେ କ୍ୟାବ୍ ଚଳାନ୍ତି କିମ୍ବା ଅନଲାଇନ୍ ଡେଲିଭରୀ ଭଳି କାର୍ଯ୍ୟ କରନ୍ତି । ବର୍ତ୍ତମାନ ସମୟରେ ଗୀଗ୍ ଓ୍ବାର୍କସଙ୍କ ସଂଖ୍ୟା ପ୍ରାୟ ଏକ କୋଟି ହେବ । ତେବେ କେନ୍ଦ୍ର ସରକାରଙ୍କ ଦ୍ବାରା ପେନସନ ସୁବିଧା ଆରମ୍ଭ ହେଲେ ସମସ୍ତ ଏଥିରେ ଉପକୃତ ହେବେ । ଏହାଛଡ଼ା ଶ୍ରମ ମନ୍ତ୍ରାଳୟ ଗୀଗ୍ ଓ୍ବାର୍କସ ପେନସେନ ସୁବିଧା ଦାୟିତ୍ବ କର୍ମଚାରୀ ଭବିଷ୍ୟନିଧି ସଂଗଠନ ଦେବାକୁ ପ୍ରସ୍ତାବ ଦେଇଛି ।
ସୂତ୍ର ଅନୁଯାୟୀ, ଫ୍ଲିପକାର୍ଟ, ଆମାଜନ୍, ଉବର, ଓଲା, ସ୍ବିଗୀ, ଜମାଟୋ, ବ୍ଲିକିଟ୍ ଭଳି ବଡ଼ ଏଗ୍ରିଗେଟର୍ସ କମ୍ପାନିର ପ୍ରତିନିଧିମାନଙ୍କ ସହିତ ଆଲୋଚନା ପରେ ପ୍ରତି ଟ୍ରାଞ୍ଜାକ୍ସନର ଦୁଇ ପ୍ରତିଶତ ରାଶି ଗୀଗ୍ ଓ୍ବାର୍କସ ପେନସନ ଫଣ୍ଡକୁ ଦେବାକୁ ସହମତି ପ୍ରକାଶ ପାଇଛି । ଏହାପରେ ଶ୍ରମ ମନ୍ତ୍ରାଳୟ ପେନସନ୍ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି ପାଇଁ ପଠାଇବାକୁ ପ୍ରସ୍ତୁତି କରିଛି ।..