ନୂଆଦିଲ୍ଲୀ ୨୪/୦୬: ଚର୍ଚ୍ଚିତ ଚେହେରା, ଇନଫୋସିସ୍ ପ୍ରତିଷ୍ଠାତା ଏନ୍. ଆର୍. ନାରାୟଣ ମୂର୍ତ୍ତି । ପୂର୍ବରୁ ୭୦ ଘଣ୍ଟା କାମ କରିବାକୁ ପରାମର୍ଶ ଦେଉଥିବା ମୂର୍ତ୍ତି ଏବେ ପୁଣି ଥରେ ଲାଇମଲାଇଟ୍କୁ ଆସିଛନ୍ତି । ନିକଟରେ ଦେଇଥିବା ସାକ୍ଷାତକାରରେ ସେ ଏମିତି କିଛି କହିଛନ୍ତି ଯାହାକୁ ନେଇ ବେଶ୍ ଆଲୋଚନା । ସେ କହିଛନ୍ତି ତାଙ୍କର ସମସ୍ତ ସ୍ପିଚ୍ ପ୍ରସ୍ତୁତ କରିବା ପାଇଁ ସେ ChatGPT ବ୍ୟବହାର କରନ୍ତି ।
ପୂର୍ବରୁ, ପ୍ରତ୍ୟେକ ସ୍ପିଚ୍ ପ୍ରସ୍ତୁତ କରିବାକୁ ତାଙ୍କୁ ପ୍ରାୟ ୨୫ ରୁ ୩୦ ଘଣ୍ଟା ସମୟ ଲାଗୁଥିଲା । କିନ୍ତୁ ଏବେ ସେ କେବଳ ୫ ଘଣ୍ଟାରେ ସମାନ କାମ କରିପାରଉଛନ୍ତି । ମୂର୍ତ୍ତିଙ୍କ କହିବା କଥା ଯେ ଏହି AI ବ୍ୟବହାର ଯୋଗୁଁ ତାଙ୍କର କାର୍ଯ୍ୟର ଦକ୍ଷତା ପାଞ୍ଚ ଗୁଣ ବୃଦ୍ଧି ପାଇଛି । ନାରାୟଣ ମୂର୍ତ୍ତି କିଛି ମାସ ପୂର୍ବରୁ ଯୁବପିଢ଼ିଙ୍କୁ ସପ୍ତାହରେ ୭୦ ଘଣ୍ଟା କାମ କରିବାକୁ ପରାମର୍ଶ ଦେଇଥିଲେ । ଯାହା ଯୋଗୁଁ ସେ ବହୁତ ଚର୍ଚ୍ଚାରେ ଆସିଥିଲେ ।
ମନିକଣ୍ଟ୍ରୋଲ୍ ସହିତ କଥାବାର୍ତ୍ତା ସମୟରେ ସେ କହିଥିଲେ ଯେ ପୂର୍ବରୁ ସେ ତାଙ୍କ ଭାଷଣର ବିଷୟବସ୍ତୁ ପ୍ରସ୍ତୁତ କରିବାକୁ ଅନେକ ପରିଶ୍ରମ କରୁଥିଲେ । କିନ୍ତୁ ତାଙ୍କ ପୁଅ ରୋହନ ମୂର୍ତ୍ତି ତାଙ୍କୁ ChatGPT ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ । ତା’ପରେ ତାଙ୍କର ପ୍ରସ୍ତୁତି ପ୍ରକ୍ରିୟା ସମ୍ପୂର୍ଣ୍ଣ ବଦଳି ଯାଇଛି । ଏବେ ସେ ChatGPT ସାହାଯ୍ୟରେ ପୂର୍ବରୁ ପ୍ରସ୍ତୁତ ଡ୍ରାଫ୍ଟକୁ ପ୍ରସ୍ତୁତ କରୁଛନ୍ତି, ଯାହା ତାଙ୍କର ବହୁତ ସମୟ ବଞ୍ଚାଇଦେଉଛି ।
ନାରାୟଣ ମୂର୍ତ୍ତି ବିଶ୍ୱାସ କରନ୍ତି ଯେ AI ମଣିଷକୁ ବଦଳାଇବ ନାହିଁ । କିନ୍ତୁ ସେ ଅଧିକ ପ୍ରଭାବଶାଳୀ ଓ ହାତ ଫୂର୍ତ୍ତି କରିବାର ବଡ ମାଧ୍ୟମ। ସେ କୁହନ୍ତି ଯେ ଏହି ପ୍ରଯୁକ୍ତିବିଦ୍ୟା କେବଳ ସେତେବେଳେ ଉପଯୋଗୀ ଯେତେବେଳେ ଲୋକମାନେ ଏହାକୁ ସଠିକ୍ ଉପଯୋଗ କରନ୍ତି । ସେ ତାଙ୍କ ପୁଅର କଥା ଦୋହରାଇ କହିଲେ ଯେ ଯଦି ଆମେ AI କୁ ଆମର ଆବଶ୍ୟକତା ଅନୁଯାୟୀ ଉପଯୋଗ କରିବା ତେବେ ସେ ଆମକୁ ବହୁ ମାତ୍ରାରେ ଉପଯୋଗୀ ହେବ ।
ସେ ଆହୁରି ବି କହିଥିଲେ ଯେ ଭାରତୀୟ IT କମ୍ପାନୀଗୁଡ଼ିକ ଏହି ପ୍ରଯୁକ୍ତିବିଦ୍ୟାକୁ ଦ୍ରୁତ କୋଡିଂ, ଭୁଲ ହ୍ରାସ ଓ ଅଧିକ ଜଟିଳ ସମସ୍ୟା ସମାଧାନ କରିବା ଭଳି କାର୍ଯ୍ୟ ପାଇଁ ବ୍ୟବହାର କରିପାରିବେ । ତାଙ୍କ ଅନୁସାରେ, ଯେତେବେଳେ AI ସାଧାରଣ ଓ ପୁନରାବୃତ୍ତିମୂଳକ କାର୍ଯ୍ୟ ପରିଚାଳନା କରେ । ସେତେବେଳେ ଇଞ୍ଜିନିୟର ଓ ପ୍ରୋଗ୍ରାମରମାନେ ସ୍ମାର୍ଟ-ଚ୍ୟାଲେଞ୍ଜିଂ କାର୍ଯ୍ୟ ଉପରେ ଧ୍ୟାନ ଦେଇପାରିବେ।
ଏହି ଅବସରରେ ମୂର୍ତ୍ତି ୧୯୭୦ ଦଶକରେ ବ୍ରିଟେନରେ ବ୍ୟାଙ୍କଗୁଡ଼ିକରେ କମ୍ପ୍ୟୁଟରର ଆଗମନ ସହିତ AIର ପ୍ରଭାବକୁ ତୁଳନା କରିଥିଲେ । ସେ କହିଥିଲେ ଯେ ସେହି ସମୟରେ ମଧ୍ୟ ଲୋକମାନେ ଭୟ କରୁଥିଲେ ଯେ କମ୍ପ୍ୟୁଟର ଚାକିରି ଛଡ଼ାଇ ନେବ । କିନ୍ତୁ ପ୍ରକୃତରେ ତାହା ଓଲଟା ହେଲା । ଧୀରେ ଧୀରେ କମ୍ପ୍ୟୁଟର କାମକୁ ଦ୍ରୁତତର କରିବା ଚାକିରି ବି ବୃଦ୍ଧି କରିଥିଲା । ସେହିପରି, AI ମଧ୍ୟ ଲୋକଙ୍କୁ ସହଯୋଗ କରିବ । ସେମାନଙ୍କର କାମକୁ ସହଜ କରିବ । ବଡ଼ ସମସ୍ୟା ସମାଧାନ କରିବାକୁ ସକ୍ଷମ କରିବ।