ବଦଳିବ ନୂଆଦିଲ୍ଲୀ ରେଳ ଷ୍ଟେସନର ନାମ! ରେଳ ମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି ବିଜେପି ସାଂସଦ

Published By : Prameya-News7 Bureau | July 06, 2025 IST

ନୂଆଦିଲ୍ଲୀ ୭।୭:  ଦିଲ୍ଲୀ ରେଳ ଷ୍ଟେସନର ନାମ ବଦଳାଇବା ଦାବି ଏବେ ଜୋର ଧରିବାରେ ଲାଗିଛି। କିଛି ଦିନ ପୂର୍ବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପୁରୁଣା ଦିଲ୍ଲୀ ରେଳ ଷ୍ଟେସନ ନାମ ବଦଳାଇ ‘ମହାରାଜା ଅଗ୍ରସେନ ଷ୍ଟେସନ’ ରଖିବାକୁ ଦାବି କରିଥିଲେ। ଏବେ ଚାନ୍ଦିନୀ ଚୌକ ବିଜେପି ସାଂସଦ ପ୍ରବୀଣ ଖଣ୍ଡେଲୱାଲ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖି ନୂଆ ଦିଲ୍ଲୀ ରେଳ ଷ୍ଟେସନର ନାମ ବଦଳାଇ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ନାମରେ ନାମିତ କରିବାକୁ ଦାବି କରିଛନ୍ତି। 

ଖଣ୍ଡେଲୱାଲ ତାଙ୍କ ପତ୍ରରେ ଭାରତ ରତ୍ନ ଅଟଳଜୀଙ୍କ ସ୍ମୃତିକୁ ଜାତୀୟ ରାଜଧାନୀରେ ଅମର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଓ ଭାବନାତ୍ମକ ପଦକ୍ଷେପ ହେବ ବୋଲି କହିଛନ୍ତି। ସେହିପରି ସେ ଦିଲ୍ଲୀ ଜଙ୍କସନ ରେଲୱେ ଷ୍ଟେସନର ନାମ ମହାରାଜା ଅଗ୍ରେସନ ରେଲୱେ ଷ୍ଟେସନ ରଖିବା ଲାଗି ମଧ୍ୟ ଆଗ୍ରହ କରିଛନ୍ତି। ଖଣ୍ଡେଲୱାଲ କହିଛନ୍ତି ଯେ ସେ ଖୁବ୍ ଶୀଘ୍ର ଏହି ପ୍ରସଙ୍ଗରେ ରେଳମନ୍ତ୍ରୀ ବୈଷ୍ଣଙ୍କୁ ଭେଟିବେ ଓ ସଂସଦର ଆଗାମୀ ଅଧିବେଶନରେ ଏହି ବିଷୟକୁ ଉଠାଇବେ। 

ଖଣ୍ଡେଲୱାଲ ରେଳମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ନୂଆ ଦିଲ୍ଲୀ ରେଳ ଷ୍ଟେସନ ଦେଶର ସବୁଠୁ ମୁଖ୍ୟ, ବ୍ୟସ୍ତତମ ଓ ଐତିହାସିକ ରେଳ ଷ୍ଟେସନ, ଯାହା ରାଜଧାନୀର ପ୍ରବେଶ ଦ୍ୱାର ଭାବେ କାମ କରୁଛି ବୋଲି କହିଛନ୍ତି। ଏହାର ନାମକରଣ ଅଟଳଜୀଙ୍କ ଭଳି ମହାନ ନେତାଙ୍କ ନାମରେ କରିବା କେବଳ ଉଚିତ ହେବନି ବରଂ ଦିଲ୍ଲୀ ଓ ଦେଶର ନାଗରିକଙ୍କ ଭାବନାର ମଧ୍ୟ ସମ୍ମାନ ହେବ। ସେ କହିଛନ୍ତି ଯେ ଅଟଳଜୀଙ୍କ ଜୀବନ ଦେଶ ସେବା, ଗଣତାନ୍ତ୍ରିକ ମୂଲ୍ୟ ଓ ସାମୂହିକ ବିକାଶ ପ୍ରତି ସମର୍ପିତ ଥିଲା। 

ସାଂସଦ ଖଣ୍ଡେଲୱାଲ ଏହା ମଧ୍ୟ କହିଛନ୍ତି ଯେ ଯେଉଁପରି ମୁମ୍ବାଇରେ ମହାରାଜା ଛତ୍ରପତି ଶିବାଜୀ ଟର୍ମିନସ ଓ ବେଙ୍ଗାଲୁରୁରେ କ୍ରାନ୍ତିବୀର ସଙ୍ଗୋଲୀ ରାୟନ୍ନା ଷ୍ଟେସନ ଭଳି ପ୍ରମୁଖ ଷ୍ଟେସନଙ୍କ ନାମକରଣ ଐତିହାସିକ ମହାନାୟକଙ୍କ ନାମରେ କରାଯାଇଛି, ସେହି ପ୍ରକାର ଦିଲ୍ଲୀ ଭଳି ଜାତୀୟ ରାଜଧାନୀର କେନ୍ଦ୍ରସ୍ଥଳରେ ଥିବା ଷ୍ଟେସନକୁ ଅଟଳଜୀଙ୍କ ଭଳି ଜାତୀୟ ପ୍ରତୀକଙ୍କ ନାମରେ କରାଯିବା ଦରକାର। ସେ ଜୋର ଦେଇ କହିଛନ୍ତି ଯେ ଏହି ନାମକରଣ ନା କେବଳ ଏକ ଶ୍ରଦ୍ଧାଞ୍ଜଳି ହେବ ବରଂ ଆଗାମୀ ପିଢୀଙ୍କ ଲାଗି ପ୍ରେରଣାର ଉତ୍ସ ହୋଇ ରହିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.