ପୋଲିସ-ବିକ୍ଷୋଭକାରୀଙ୍କ ସଂଘର୍ଷରେ ୧୦ ଜଣଙ୍କ ମୃତ୍ୟୁ, ନାଇରୋବିରେ ଲକଡାଉନ ଘୋଷଣା

Published By : Prameya-News7 Bureau | July 08, 2025 IST

ନୂଆଦିଲ୍ଲୀ: ଅଶାନ୍ତ କେନିୟା। ପୋଲିସ ଏବଂ ପ୍ରଦର୍ଶନକାରୀ ମୁହାଁମୁହିଁ। ସଂଘର୍ଷରେ ୧୦ ଜଣଙ୍କ ମୃତ୍ୟୁ। ନାଇରୋବିରେ ଲକଡାଉନ ଘୋଷଣା। କେନିଆରେ ସରକାର ବିରୋଧୀ ପ୍ରତିବାଦ ସମୟରେ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ପାଣ୍ଠି ଦ୍ୱାରା ଅନୁଦାନପ୍ରାପ୍ତ ମାନବାଧିକାର କମିଶନ କହିଛି। ନିୟନ୍ତ୍ରଣ କରିବା ପାଇଁ କଠୋର ପଦକ୍ଷେପ ନେଇଛି ପ୍ରଶାସନ। ରାଜଧାନୀ ନାଇରୋବିକୁ ଯାଉଥିବା ପ୍ରମୁଖ ରାସ୍ତାଗୁଡ଼ିକୁ ଅବରୋଧ କରାଯାଇଛି। ଅଧିକାଂଶ ବ୍ୟବସାୟ ବନ୍ଦ କରାଯାଇଛି।

ସୋମବାର ପୋଲିସ ନାଇରୋବି ସହରର ଅଧିକାଂଶ ରାସ୍ତାକୁ ବନ୍ଦ କରିଦେଇଛି। ସାଧାରଣ ଲୋକ ଏବଂ ବ୍ୟବସାୟୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଅଧିକାଂଶ ଦୋକାନ ଏବଂ କାର୍ଯ୍ୟାଳୟକୁ ତାଲା ପଡ଼ିଥିବା ଦେଖାଯାଇଥିଲା। ପୋଲିସ ରାସ୍ତାରେ ଯାଉଥିବା ଲୋକଙ୍କୁ ଅଟକାଇ ଯାଞ୍ଚ ମଧ୍ୟ କରିଥିଲା।

ପ୍ରଦର୍ଶନକାରୀମାନେ ରାସ୍ତାରେ ଟାୟାର ଜାଳିଛନ୍ତି। ଅନେକ ସ୍ଥାନରେ ପୋଡ଼ାଜଳା କରିଛନ୍ତି। କ୍ରୋଧିତ ଲୋକମାନେ ପୋଲିସ ଉପରେ ପଥର ମଧ୍ୟ ଫିଙ୍ଗିଛନ୍ତି। ଜବାବରେ, ପୋଲିସ ଲୁହ ବୁହା ଗ୍ୟାସ ମାଡ଼ କରିଥିଲା ଓ ଲାଠିଚାର୍ଜ କରିଥିଲା।

୭ ଜୁଲାଇରେ କେନିଆରେ 'ସବା-ସବା' ଦିବସ ପାଳନ କରାଯାଏ। ୩୫ ବର୍ଷ ପୂର୍ବେ ଏହି ଦିନ ଦେଶରେ ବହୁଦଳୀୟ ଗଣତନ୍ତ୍ର ଦାବି କରି ଏକ ବଡ଼ ଆନ୍ଦୋଳନ ହୋଇଥିଲା। ବର୍ତ୍ତମାନ ସେହି ଦିନ ଲୋକମାନେ ପୁଣି ଥରେ ରାସ୍ତାକୁ ଓହ୍ଲାଇଥିଲେ। ଏଥର ସେମାନଙ୍କର ଟାର୍ଗେଟ୍ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ, ଦୁର୍ନୀତି ଏବଂ ମୁଦ୍ରାସ୍ଫୀତି । ଲୋକମାନେ ରାଷ୍ଟ୍ରପତି ୱିଲିୟମ୍ ରୁଟୋଙ୍କ ଇସ୍ତଫା ଦାବି କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.