ନୂଆଦିଲ୍ଲୀ: ଧନ, ସମ୍ପତ୍ତିର ଲୋଭ ଅସୀମିତ । ଯେତେ ଧନୀ ହେଲେ ବି ଆହୁରି ପାଇବାର ଇଚ୍ଛା କେବେ ମରେ ନାହିଁ । କିନ୍ତୁ ହୋଶି ତାକାୟୁକି ଅନେକ ବର୍ଷ ପୂର୍ବରୁ ଏହି କଥାକୁ ବୁଝିପାରିଥିଲେ । ଆଜି ସେ ଏହି ସବୁଠାରୁ ମୁକ୍ତି ପାଇସାରିଛନ୍ତି । ହୋଶି ଦିନେ ଜାପାନର ବ୍ୟୁଟି ଇଣ୍ଡଷ୍ଟ୍ରିରେ ଜଣେ ପରିଚିତ ନାଁ ଥିଲେ । ୧୫ଟି ବ୍ୟୁଟି ଷ୍ଟୋର ଚେନ୍ର ମାଲିକ ଥିଲେ । ସେ ଏବେ ତାଙ୍କ ଜୀବନର ପଥ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିସାରିଛନ୍ତି । ବର୍ତ୍ତମାନ ହୋଶି ତାକାୟୁକି 'ବାଲା କୁମ୍ଭ ଗୁରୁମୁନି' ଭାବରେ ଜଣାଶୁଣା । ତାଙ୍କ ପୂର୍ବ ଜୀବନରେ ହିମାଳୟ ଋଷି ହେବାର ସ୍ୱପ୍ନ ଏବଂ ନାଡି ଜ୍ୟୋତିଷରେ ଅନୁପ୍ରାଣିତ ହୋଇ ସେ ଆଧ୍ୟାତ୍ମିକତା ଆଡ଼କୁ ମୁହାଁଇଛନ୍ତି । ତାଙ୍କର ଏହି ପରିବର୍ତ୍ତନ କେବଳ ବ୍ୟକ୍ତିଗତ ନୁହେଁ, ଏହା ଏକ ବ୍ୟବସାୟିକ ଦୃଷ୍ଟିକୋଣକୁ ବି ଦର୍ଶାଉଛି ।
ଉତ୍ତରାଖଣ୍ଡରେ ଆଧ୍ୟାତ୍ମିକ ଚେତନା ଯାତ୍ରାରେ ବାହାରିଥିବା ହୋଶି ତାକାୟୁକି ନିଜେ ଟୋକିଓରେ ବ୍ୟୁଟି ଷ୍ଟୋର୍ ଚେନ୍ ଚଲାଉଥିଲେ । ଏବେ ସେ ଭଗବାନ ଶିବଙ୍କର ଜଣେ ଭକ୍ତ । ହରିଦ୍ୱାରର କାଉଡିଆ ଯାତ୍ରା ମାର୍ଗରେ ଗେରୁଆ ରଙ୍ଗର ଜନସମୁଦ୍ରରେ ସେ ସବୁଠୁ ଭିନ୍ନ ନଜର ଆସୁଥିଲେ । ଭଗବାନ ଶିବଙ୍କ ପ୍ରତି ତାଙ୍କର ବିଶ୍ୱାସ ଏବଂ ଭକ୍ତି ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା।
ପ୍ରାୟ ୨୦ ବର୍ଷ ପୂର୍ବେ ତାମିଲନାଡୁର ଏକ ନାଡି ଜ୍ୟୋତିଷ କେନ୍ଦ୍ର ପରିଦର୍ଶନ କରିବା ପରେ ହୋଶି ତାକାୟୁକିଙ୍କ ମଧ୍ୟରେ ଏହି ପରିବର୍ତ୍ତନ ଆରମ୍ଭ ହୋଇଥିଲା । ସେଠାରେ ତାଳପତ୍ର ଉପରେ କରାଯାଇଥିବା ଭବିଷ୍ୟବାଣୀ ତାଙ୍କ ପୂର୍ବ ଜୀବନ ବିଷୟରେ ଜାଣିବାକୁ ପାଇଥିଲେ । ସେ ହିମାଳୟର ଜଣେ ଋଷି ଥିବା ଜାଣିବାକୁ ପାଇଥିଲେ । ତାଙ୍କୁ ହିନ୍ଦୁ ଆଧ୍ୟାତ୍ମିକତାକୁ ଫେରିବାକୁ ଆହ୍ୱାନ କରାଯାଇଥିଲା । ବାରମ୍ବାର ଆସୁଥିବା ଉତ୍ତରାଖଣ୍ଡ ସ୍ୱପ୍ନ ତାଙ୍କ ଜୀବନକୁ ବଦଳାଇ ଦେଇଥିଲା ।
ତାକାୟୁକି ଟୋକିଓରେ ଥିବା ତାଙ୍କର ବ୍ୟବସାୟକୁ ଫୋଲୋଅର୍ସଙ୍କୁ ଛାଡ଼ିଥିଲେ । ପରେ ନିଜ ଘରକୁ ଏକ ଶିବ ମନ୍ଦିରରେ ପରିଣତ କରିଥିଲେ । ଏହାପରେ ତାଙ୍କ ଆଧ୍ୟାତ୍ମିକ ନାଁ ବାଲା କୁମ୍ଭ ଗୁରୁମୁନି ରଖିଥିଲେ । ଯାହା ତାଙ୍କର ସଂକଳ୍ପକୁ ଆହୁରି ଦୃଢ଼ କରିଥିଲା । ବର୍ତ୍ତମାନ ହୋଶି ୨୦ ଜଣ ଅନୁଗାମୀଙ୍କ ସହିତ ଭାରତରେ ଅଛନ୍ତି । ସେ ଡେରାଡୁନର ଏକ ଶିବିରରେ ସାଥୀ କାଉଡିଆଙ୍କୁ ମାଗଣା ଭୋଜନ ଦେଉଛନ୍ତି । ହୋଶି ଉତ୍ତରାଖଣ୍ଡରେ ଏକ ଆଶ୍ରମ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି । ସେ ପୁଡୁଚେରୀରେ ଏକ ବିଶାଳ ଶିବ ମନ୍ଦିର ପାଇଁ ୩୫ ଏକର ଜମି ମଧ୍ୟ କିଣିଛନ୍ତି । ବାଲା କୁମ୍ଭ ଗୁରୁମୁନିଙ୍କ ଅନୁସାରେ, ତାଙ୍କର ମିଶନ ହେଉଛି ତାଙ୍କ ଆତ୍ମାର ମୂଳକୁ ଖୋଜିବା ଏବଂ ସାରା ଭାରତରେ ଶିବ ମନ୍ଦିର ନିର୍ମାଣ କରିବା ।