LIVE TV

ଓହାଇଓ ଗଭର୍ଣ୍ଣର ନିର୍ବାଚନ ଦୌଡ଼ରେ ଭାରତୀୟ ବଂଶୋଦ୍ଭବ, ବିବେକ ରାମାସ୍ୱାମୀଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇଲେ ଟ୍ରମ୍ପ

NEWS7
muslim-religious-leaders-appealing-to-get-corona-vaccine-soon-through-loudspeaker

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ବଂଶୋଦ୍ଭବ ବ୍ୟବସାୟୀ ତଥା ପୂର୍ବତନ ରିପବ୍ଲିକାନ ପ୍ରାର୍ଥୀ ବିବେକ ରାମାସ୍ୱାମୀଙ୍କୁ ଓହାଇଓ ରାଜ୍ୟର ଗଭର୍ଣ୍ଣର ନିର୍ବାଚନ ପାଇଁ ନିଜ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି । ଟ୍ରମ୍ପ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଉପରେ ପୋଷ୍ଟ କରି କହିଛନ୍ତି, ‘ବିବେକ ଜଣେ ଯୁବ, ମଜଭୁତ ଓ ବୁଦ୍ଧିମାନ ନେତା’, ଯିଏ ଆମେରିକାରୁ ଆଗକୁ ନେବା ପାଇଁ କ୍ଷମତା ରଖନ୍ତି ।

ଟ୍ରମ୍ପ ଲେଖିଛନ୍ତି, "ବିବେକ ରାମାସ୍ୱାମୀ ଓହାଇଓର ରାଜ୍ୟପାଳ ପାଇଁ ନିର୍ବାଚନ ଲଢ଼ୁଛନ୍ତି, ଯେଉଁ ରାଜ୍ୟରୁ ମୁଁ ୨୦୧୬, ୨୦୨୦ ଏବଂ ୨୦୨୪ରେ ତିନିଥର ବିଜୟୀ ହୋଇଥିଲି । ମୁଁ ବିବେକଙ୍କୁ ଭଲ ଭାବରେ ଜାଣେ, ତାଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିଛି, ଏବଂ ସେ ସତରେ ସ୍ୱତନ୍ତ୍ର । ସେ କେବଳ ବୁଦ୍ଧିମାନ ଏବଂ ଶକ୍ତିଶାଳୀ ନୁହଁନ୍ତି, ବରଂ ତାଙ୍କ ଦେଶ ପ୍ରତି ପ୍ରକୃତ ପ୍ରେମ ଥିବା ଜଣେ ଭଲ ବ୍ୟକ୍ତି ମଧ୍ୟ ।"

ସେ ଆହୁରି କହିଛନ୍ତି ଯେ ରାଜ୍ୟପାଳ ହେବା ପରେ ବିବେକ ଅର୍ଥନୈତିକ ବିକାଶ, ଟିକସ ହ୍ରାସ, 'ମେଡ୍ ଇନ୍ ଆମେରିକା' ଅଭିଯାନକୁ ପ୍ରୋତ୍ସାହିତ କରିବା ଏବଂ ସୀମା ସୁରକ୍ଷା ଉପରେ ଧ୍ୟାନ ଦେବେ । ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ବିବେକ ଆଇନ ଶୃଙ୍ଖଳା, ସାମରିକ ବାହିନୀ ଏବଂ ନିର୍ବାଚନ ସ୍ୱଚ୍ଛତାକୁ ସୁରକ୍ଷା ଦେବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିବେ । ଟ୍ରମ୍ପ ଲେଖିଛନ୍ତି, "ବିବେକ ରାମାସ୍ୱାମୀ ଓହାଇଓ ପାଇଁ ଜଣେ ଉତ୍କୃଷ୍ଟ ରାଜ୍ୟପାଳ ପ୍ରମାଣିତ ହେବେ । ତାଙ୍କ ପ୍ରତି ମୋର ପୂର୍ଣ୍ଣ ସମର୍ଥନ ରହିଛି । ସେ ଆପଣଙ୍କୁ କେବେ ନିରାଶ କରିବେ ନାହିଁ।"

ରାମାସ୍ୱାମୀଙ୍କ ଜନ୍ମ ୧୯୮୫ରେ ଦକ୍ଷିଣ-ପଶ୍ଚିମ ଓହାଇଓର ସିନସିନାଟିରେ ହୋଇଥିଲା । ତାଙ୍କ ବାପା, ଭି.ଜି.ରାମାସ୍ୱାମୀ କେରଳର ପାଲକ୍କଡରୁ ବାସିନ୍ଦା ଥିଲ । କେରଳର ଏକ ସ୍ଥାନୀୟ କଲେଜରୁ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିବା ପରେ, ତାଙ୍କ ପିତା, ଭି.ଜି. ରାମାସ୍ୱାମୀ, ଓହାଇଓର ଏଭେଣ୍ଡେଲରେ ଥିବା ଜେନେରାଲ ଇଲେକ୍ଟ୍ରିକ୍ ପ୍ଲାଣ୍ଟରେ କାମ କରିବାକୁ ଯାଇଥିଲେ । ବିବେକଙ୍କ ମାଆ ସିନସିନାଟିରେ ଜଣେ ମନସ୍ତତ୍ତ୍ୱବିତ୍ ଥିଲେ । ତାଙ୍କ ପତ୍ନୀ ଅପୂର୍ବ ତିୱାରୀ ରାମାସ୍ୱାମୀ ଓହାଇଓ ଷ୍ଟେଟ୍ ୟୁନିଭର୍ସିଟି ୱେକ୍ସନର୍ ମେଡିକାଲ୍ ସେଣ୍ଟରରେ ଜଣେ ଡାକ୍ତର ।