ନୂଆଦିଲ୍ଲୀ ୦୬।୦୬: ତୀବ୍ର ହେଉଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଏଲନ ମସ୍କଙ୍କ ମଧ୍ୟରେ ସଂପର୍କ । ଉଭୟଙ୍କ ବନ୍ଧୁତା ଏବେ ଚରମ ସ୍ଥିତିରେ ପହଞ୍ଚିଛି । ସଂପର୍କ ଏବେ ଭାଙ୍ଗୁଥିବା ପରି ମନେ ହେଉଛି । ଏପରିକି ଦୁହେଁ ଖୋଲାଖୋଲି ସାର୍ବଜନିକ ଭାବେ ପରସ୍ପର ବିରୋଧରେ ବୟାନବାଜି କରିବା ଆରମ୍ଭ କରିଦେଇଛନ୍ତି । ଏହାରି ମଧ୍ୟରେ ଚର୍ଚ୍ଚା ହେଉଛି କି, ନୂଆ ରାଜନୈତିକ ଦଳ ଆରମ୍ଭ କରିବେ ଏଲନ ମସ୍କ । ପରୋକ୍ଷରେ ଏନେଇ ସଙ୍କେତ ଦେଇଛନ୍ତି ମସ୍କ।
ମସ୍କ ଗୁରୁବାର Xରେ ଏକ ପୋଲ୍ ପୋଷ୍ଟ କରିଥିଲେ । ଏଥିରେ ୟୁଜର୍ସଙ୍କୁ ପଚାରିଥିଲେ କି ଏବେ ନୂଆ ରାଜନୈତିକ ଦଳ ଗଠନ କରିବାର ସମୟ କି ? ମସ୍କ ଲେଖିଛନ୍ତି, "ଆମେରିକାରେ ଏକ ନୂଆ ରାଜନୈତିକ ଦଳ ଗଠନ କରିବାର ସମୟ କ'ଣ ଯାହା ପ୍ରକୃତରେ ମଧ୍ୟବିତ୍ତ ବର୍ଗର ୮୦% ପ୍ରତିନିଧିତ୍ୱ କରେ?"
ସେପଟେ ଡୋନାଲ୍ଡ ଟ୍ରମ୍ପ ବି ଏହାକୁ ଦେଖି ରିଆକ୍ଟିଭ୍ ହୋଇଥିଲେ । ପଛକୁ ନ ହଟି ରାଷ୍ଟ୍ରପତି ତାଙ୍କ ସୋସିଆଲ ପୋଷ୍ଟରେ ରଖିଥିଲେ ରିପ୍ଲାୟ । ସେ କହିଥିଲେ ଯେ ସେ ମସ୍କଙ୍କ ଉପରେ ସେ "ବହୁତ ନିରାଶ" ଅଛନ୍ତି । ଯିଏକି ଏକଦା ତାଙ୍କର ବିଶ୍ୱସ୍ତ ସମର୍ଥକ ଓ ହ୍ୱାଇଟ୍ ହାଉସର ଜଣେ ବିଶ୍ୱସ୍ତ ବ୍ୟକ୍ତି ଥିଲେ।
ଟ୍ରମ୍ପ ଆଉ ଏକ ପାଦ ଆଗକୁ ଯାଇ ମସ୍କଙ୍କ କମ୍ପାନୀଗୁଡ଼ିକୁ ଦିଆଯାଇଥିବା ଆମେରିକୀୟ ସରକାରୀ ଚୁକ୍ତିନାମା ଓ ସବ୍ସିଡି ପ୍ରତ୍ୟାହାର କରିବାକୁ ଧମକ ଦେଇଥିଲେ । ଟ୍ରମ୍ପ ଲେଖିଛନ୍ତି ଆମର ବଜେଟରେ ଟଙ୍କା ସଞ୍ଚୟ କରିବାର ସବୁଠାରୁ ସହଜ ଉପାୟ ହେଉଛି ଏଲନଙ୍କ ସରକାରୀ ସବସିଡି ଓ ଚୁକ୍ତିନାମାକୁ ସମାପ୍ତ କରିବା । ମୁଁ ସର୍ବଦା ଭାବୁଥିଲି ଯେ ବାଇଜେନ୍ ଏହାକୁ କାହିଁକି କରିନଥିଲେ ।
ଓଭାଲ ଅଫିସରେ ଟ୍ରମ୍ପ କହିଥିଲେ "ସତ କହିବାକୁ ଗଲେ, ମୁଁ ଭାବୁଛି ସେ ଏବେ ଏହି ସ୍ଥାନ ହରାଇଛନ୍ତି" । ଟ୍ରମ୍ପ କହିଛନ୍ତି କି ମସ୍କ କ୍ଷମତାର ଆଭ୍ୟନ୍ତରୀଣ ପରିସର ଛାଡିବା ପାଇଁ ଦୁଃଖିତ ଅଛନ୍ତି ।
ସୂଚନା ଥାଉକି, ଟ୍ରମ୍ପ ଓ ମସ୍କଙ୍କ ମଧ୍ୟରେ କିଛି ମାସ ପୂର୍ବେ ଘନିଷ୍ଠ ସମ୍ପର୍କ ଥିଲା। ଗତ ଜୁଲାଇରେ ପେନସିଲଭାନିଆରେ ଏକ ରାଲିରେ ଟ୍ରମ୍ପ ଅଳ୍ପକେ ରକ୍ଷା ପାଇବା ପରେ ମସ୍କ ସମର୍ଥନର ପ୍ରତିଶ୍ରୁତି ଦେଇଥିଲେ। ସେ ଏକ ରାଜନୈତିକ କାର୍ଯ୍ୟ କମିଟି ମଧ୍ୟ ଗଠନ କରିଥିଲେ । ଟ୍ରମ୍ପଙ୍କ ଅଭିଯାନକୁ ସମର୍ଥନ କରିବା ପାଇଁ ସାର୍ବଜନୀନ ଭାବରେ ଉପସ୍ଥିତ ହୋଇଥିଲେ।
ମସ୍କ ତାଙ୍କ ଶପଥ ଗ୍ରହଣ ସମାରୋହ ସମୟରେ ଟ୍ରମ୍ପଙ୍କ ପଛରେ ଠିଆ ହୋଇଥିଲେ । କ୍ୟାବିନେଟ ବୈଠକରେ ବି ସାମିଲ ହୋଇଥିଲେ । ତାଙ୍କୁ ପ୍ରାୟତଃ MAGA ଟୋପି ପିନ୍ଧି ଏୟାର ଫୋର୍ସ ୱାନରେ ଟ୍ରମ୍ପଙ୍କ ସହିତ ଯାତ୍ରା କରୁଥିବା ଦେଖିବାକୁ ମିଳୁଥିଲା । କିନ୍ତୁ ବର୍ତ୍ତମାନ ଏହା ଏକ ଭୟଙ୍କର ବାକ୍ ଯୁଦ୍ଧରେ ପରିଣତ ହୋଇଛି।
ମସ୍କ ଓଭାଲ ଅଫିସରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଧିକାରିକ ଭାବେ ଟ୍ରମ୍ପଙ୍କଠାରୁ ଅଲଗା ହୋଇଥିବା ଘୋଷଣା କରିଥିଲେ । ତାଙ୍କ ଆଖି କଳା ଦେଖାଯାଉଥିଲା । ଏହାକୁ ନେଇ ସେ କହିଥିଲେ କି ଏହା ତାଙ୍କ ସାନ ପୁଅ ପାଇଁ ହୋଇଛି । ତଥାପି ଅନେକ ଲୋକ ଏହାକୁ ସରକାରୀ ସେବାରେ ତାଙ୍କର ଖରାପ ସମୟ ପାଇଁ ଦାୟୀ କରିଛନ୍ତି।