ବିଡି ପାଇଁ ମାଡପିଟ୍, ୧୨ ଦିନ ପରେ ଚାଲିଗଲା ଜୀବନ, ଦୁଇ ଗିରଫ

Published By : Prameya-News7 Bureau | July 22, 2025 IST

ଭଦ୍ରକ: ବିଡି ପାଇଁ ହତ୍ୟା । ମାଡପିଟର ୧୨ ଦିନ ପରେ ଯୁବକ ମୃତ । ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧୀନ ଇଚ୍ଛାପୁର ଗୋଲକ ମଣ୍ଡଳ ହତ୍ୟାକାଣ୍ଡ ଉପରୁ ପରଦା ଉଠାଇଛି ସାବରଙ୍ଗ ପୋଲିସ। 

ପ୍ରାପ୍ତ ସୂଚନା ଅନୁଯାୟୀ, ସାମାନ୍ୟ ଗୋଟିଏ ବିଡି ମାଗିବାକୁ ନେଇ ହୋଇଥିଲା ମାରପିଟ । ମାରପିଟର ୧୨ଦିନ ପରେ ଚାଲିଗଲା ଗୋଲକଙ୍କ ଜୀବନ। ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଇଚ୍ଛାପୁର ଅଂଚଳର ଭବାନୀବିନ୍ଧା ଗ୍ରାମରେ ଚଳିତ ମାସ ୯ ତାରିଖରେ ଇଚ୍ଛାପୁର ଛକ ନିକଟରେ ସାମାନ୍ୟ ବିଡି ଟାଣିବା ପାଇଁ ବଚସା ନେଇ ଭବାନୀବିନ୍ଧା ଗ୍ରାମର ଗୋଲକ ମଣ୍ଡଳଙ୍କୁ ବ୍ରହ୍ମପୁର ଗ୍ରାମର ରୁଗା ଅରଖ ଓ ବାଘ ଅରଖ ପ୍ରବଳ ପିଟାପିଟି କରିଥିଲେ । ପରେ ଗୋଲକଙ୍କୁ ଭଦ୍ରକ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଗୋଲକଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହେଉଥିଲେ ମଧ୍ୟ ମେଡ଼ିକାଲରେ ଡାକ୍ତର କୌଣସି ପରୀକ୍ଷା ନିରୀକ୍ଷା ନକରି କେବଳ ମେଡ଼ିସିନ ଇଞ୍ଜେକ୍ସନ ଦେଇ ବିଦା କରିଥିଲେ। 

Also read: ପାଟଣା ଏମ୍ସରେ ଯୁବ ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ : ଜନ୍ମମାଟିକୁ ଫେରିଲା ମରଶରୀର, ଗାଁ ଶ୍ମଶାନରେ ଶେଷକୃତ୍ୟ

ମାତ୍ର ଗତ ୨୦ ତାରିଖରେ ତାଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ହେବାରୁ ଭଦ୍ରକ ମେଡିକାଲରେ ପୁନର୍ବାର ଭର୍ତ୍ତି କଲା ପରେ ଛାତି ହାଡ଼ ଭାଙ୍ଗିଥିବା ଜଣାପଡ଼ିଥିଲା । ଭଦ୍ରକ ମେଡିକାଲରୁ କଟକ ମେଡିକାଲକୁ ସ୍ଥାନାନ୍ତର ନେଇ ପ୍ରସ୍ତୁତି ବେଳେ ଯନ୍ତ୍ରଣାରେ ଗୋଲକଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ପରିବାର ଲୋକେ ସାବରଙ୍ଗ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାଡପିଟରେ ସଂପୃକ୍ତ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭଦ୍ରକ ସଦର ଏସଡିପିଓ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.