LIVE TV
LIVE TV

ବିକାଶର ନୂଆ ଅଧ୍ୟାୟ ହେବ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ, ଉପକୂଳ ସହ ଯୋଡି ହେବ ପଶ୍ଚିମ ଓଡିଶା

NEWS7
murder-case-linked-to-land-sale-dispute-police-investigating-the-case-the-incident-happened-in-baripada

ଭୁବନେଶ୍ୱର, ୨୮/୧୧: ଓଡିଶା ରେଳ ସଂଯୋଗରେ ନୂଆ ଅଧ୍ୟାୟ । ଖୋର୍ଦ୍ଧା ରୋଡ୍ - ବଲାଙ୍ଗିର ନୂଆ ରେଳ ଲାଇନ ଓଡ଼ିଶାରେ ରେଳ ସଂଯୋଗର ଚିତ୍ର ବଦଳାଇ ଦେବ । ପଶ୍ଚିମ ଓଡ଼ିଶା ସହ ଉପକୂଳକୁ ଯୋଡ଼ିବ । ଫଳରେ ରାଜ୍ୟରେ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ । ୩୦୧ କିଲୋମିଟରର ଏହି ରେଳ ଲାଇନ ହେବା ଦ୍ୱାରା ନୟାଗଡ଼, ବୌଦ୍ଧ, ସୋନପୁର ଓ ବଲାଙ୍ଗିର ଜିଲ୍ଲାରେ ପରିବହନ ବ୍ୟାପକ ହେବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବ କହିଛନ୍ତି।

ସେ କହିଛନ୍ତି ଯେ, ରେଳ ସଂଯୋଗ ହେଉଥିବା ଜିଲ୍ଲାଗୁଡ଼ିକରେ ବ୍ୟାବସାୟିକ ଅଭିବୃଦ୍ଧି ହେବ । ରାଜ୍ୟର କୌଣସି ଅଞ୍ଚଳ ପଛୁଆ ହୋଇ ରହିବ ନାହିଁ । ବିକାଶ ପହଁଚିବ । ଆଞ୍ଚଳିକ ବିକାଶ କ୍ଷେତ୍ରରେ ସନ୍ତୁଳନ ଆସିପାରିବ । ଖୋର୍ଦ୍ଧାରୋଡ୍- ବଲାଙ୍ଗିର ରେଳ ପ୍ରକଳ୍ପର ବୃତ୍ତଙ୍ଗ ଜଳ ପ୍ରକଳ୍ପ ଉପରେ ୪.୭୭୮ କିଲୋମିଟର ଐତିହାସିକ ଭାୟାଡକ୍ଟ ସମ୍ପୂର୍ଣ୍ଣ ହେବା ପରେ ଏହା ଭାରତର ଦ୍ୱିତୀୟ ଦୀର୍ଘତମ ରେଳ ଭାୟାଡକ୍ଟ ହେବ । ଏହି ଭାୟାଡକ୍ଟ ନୟାଗଡ଼ ଜିଲ୍ଲାର ବୁଗୁଡ଼ା ଓ ବାଣିଗୋଚ୍ଛା ଷ୍ଟେସନକୁ ସଂଯୋଗ କରିବ । ଏହି ପ୍ରକଳ୍ପରେ ହାତୀ ଅଣ୍ଡରପାସ୍ ଏବଂ ଓଭରପାସ୍, ଉତ୍ସର୍ଗୀକୃତ ବନ୍ୟପ୍ରାଣୀ କରିଡର ଏବଂ ହାତୀ ସମେତ ଅନ୍ୟାନ୍ୟ ବନ୍ୟପ୍ରାଣୀଙ୍କ ଅବାଧ ଯାତାୟାତ ପାଇଁ ବନ କର୍ତ୍ତୃପକ୍ଷଙ୍କ ପରାମର୍ଶରେ ଡିଜାଇନ୍ କରାଯାଇଛି । ଯାହା ମଣିଷ ଓ ପଶୁ ସଂଘର୍ଷକୁ ହ୍ରାସ କରିବ ।

ଆହୁରି ଜଣାପଡିଛି ଯେ, ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ, ଜଙ୍ଗଲ ଅଞ୍ଚଳରେ ପର୍ଯ୍ୟଟନର ବିକାଶ ହେବ । ପରିବେଶ ସୁରକ୍ଷାକୁ ପ୍ରାଥମିକତା ଦେଇ ରେଳ ନେଟୱାର୍କକୁ ସୁଦୃଢ଼ କରାଯିବ । ଏହା ପୂର୍ବ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ, ଖୋର୍ଦ୍ଧାରୋଡ୍ ଏବଂ ବଲାଙ୍ଗିର ରେଳ ପ୍ରକଳ୍ପ ଦ୍ୱାରା ଯାତ୍ରୀମାନେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିବେ । ରେଳ ପ୍ରକଳ୍ପର ଦଶପଲ୍ଲାର ଜାମୁସାହି ଏବଂ କୁଲୁରୁକୁମ୍ପା ମଧ୍ୟରେ ପୂର୍ବତଟ ରେଳ ବିଭାଗ ପକ୍ଷରୁ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି । ଏହି ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ସାରିବାକୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଜୋରସୋରରେ ଲାଗିଛନ୍ତି। ଆସାମର ବାଜିବିଲ୍ ସେତୁ ପରେ ଏହା ଦେଶର ଦ୍ୱିତୀୟ ଦୀର୍ଘତମ ଭାୟାଡକ୍ଟ ହେବ ବୋଲି ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ନିର୍ମାଣ କାର୍ଯ୍ୟର ୬୦ ପ୍ରତିଶତ ଶେଷ ହୋଇଛି। ଆସନ୍ତା ୨୦୨୬ ମାର୍ଚ୍ଚ ସୁଦ୍ଧା ଏହି ଭାୟାଡକ୍ଟ ସେତୁ ନିର୍ମାଣ କାର୍ଯ୍ୟ ଶେଷ ପାଇଁ ଲକ୍ଷ୍ୟ ରଖା ଯାଇଥିବା କୁହାଯାଇଛି । ଏହା ଉପରେ ବିଳାସପୂର୍ଣ୍ଣ ଭିଷ୍ଟାଡୋମ୍ ଟ୍ରେନ୍ ମଧ୍ୟ ଚଳାଚଳ କରିବ ବୋଲି ଜଣାପଡିଛି।