ମୁମ୍ବାଇ ୧୪।୭: ମୁକେଶ ଅମ୍ବାନୀଙ୍କ ସାନ ପୁଅର ବିବାହ ଚର୍ଚ୍ଚା ଏବେ ସବୁଆଡେ। ଏହି ରାଜକୀୟ ବିବାହ ଏବେ ବିଶ୍ୱରେ ଶିରୋନାମା ପାଲଟିଛି। କୁହାଯାଉଛି ଏହି ବିବାହରେ ୫ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ବିବାହ ଉତ୍ସବରେ ଦେଶ-ଦୁନିଆର ତମାମ ବଡ଼ବଡ଼ ଲୋକେ ସାମିଲ ହୋଇଥିଲେ। ଏହି ତାଲିକାରେ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ଆରମ୍ଭ କରି ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପର୍ଯ୍ୟନ୍ତ ଯୋଗ ଦେଇଥିଲେ।
ରାଧିକା-ଅନନ୍ତଙ୍କ ବିବାହ ବେଶ୍ ଭବ୍ୟ ହୋଇଥିଲା, ସେହି ଅନୁସାରେ ମୁକେଶ ଅମ୍ବାନୀ ମଧ୍ୟ ମନଖୋଲା ଖର୍ଚ୍ଚ କରିଛନ୍ତି। ରିପୋର୍ଟ ଅନୁସାରେ ଏହି ବିବାହରେ ଯେତିକି ଅର୍ଥ ବ୍ୟୟ ହୋଇଛି ତାହା ମୁକେଶ ଅମ୍ବାନୀଙ୍କ ମୋଟ ସମ୍ପତ୍ତିର ମାତ୍ର ୦.୫ ପ୍ରତିଶତ। ଏହି ଗ୍ରାଣ୍ଡ ୱେଡିଂ ମୁକେଶ ଅମ୍ବାନୀଙ୍କୁ ରିଟର୍ଣ୍ଣ ଗିଫ୍ଟ ମଧ୍ୟ ଦେଇଛି। ଏତେ ଖର୍ଚ୍ଚ ପରେ ବି ସମ୍ପତ୍ତି ହ୍ରାସ ହେବା ବଦଳେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ବିବାହ ଯୋଗୁ ଆହୁରି ବଢି ଯାଇଛି। ସପ୍ତାହର ଶେଷ ଦିନ ଅର୍ଥାତ ବିଜନେସ୍ ଡେ ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସେୟାରରେ ୧ ପ୍ରତିଶତ ବୃଦ୍ଧି ହୋଇଥିବା ଦେଖାଯାଇଛି।
ଏହି ବୃଦ୍ଧି ଯୋଗୁ ମୁକେଶ ଅମ୍ବାନୀଙ୍କ ନେଟୱର୍ଥରେ ମଧ୍ୟ ଅଚାନକ ବୃଦ୍ଧି ହୋଇଛି। ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ ରିପୋର୍ଟ ଅନୁସାରେ ଅନନ୍ତ ଅମ୍ବାନୀଙ୍କ ବିବାହ ୧୨ ଜୁଲାଇ ଶୁକ୍ରବାର ଦିନ ରିଲାୟନ୍ସରେ ୧.୨୧ ବିଲିୟନ ଡଲାରର ବୃଦ୍ଧି ହୋଇଛି, ଅର୍ଥାତ ୧୦,୧୦୦ କୋଟି ଟଙ୍କାର ଗ୍ରୋଥ ମିଳିଛି। ଫଳରେ ମୁକେଶ ଅମ୍ବାନୀଙ୍କ ମୋଟ ନେଟୱର୍ଥ ୧୨୧ ବିଲିୟନ ଡଲାରକୁ ପହଞ୍ଚି ଯାଇଛି। କେବଳ ଚଳିତବର୍ଷ ଅମ୍ବାନୀଙ୍କ ନେଟୱର୍ଥରେ ୨୪.୨ ବିଲିୟନ ଡଲାରର ଅଭିବୃଦ୍ଧି ହେଲାଣି।
ଏଥିରେ ବିବାହର କଥା କହିବାକୁ ଗଲେ ରାଧିକା ଅନନ୍ତଙ୍କ ବିବାହ ୧୨ ଜୁଲାଇ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ଏହି ବିବାହ ଉତ୍ସବ ମୁମ୍ବାଇର ଜିଓ ୱାର୍ଲଡ ସେଣ୍ଟରରେ ରିତିରିବାଜର ସହ ସମ୍ପନ୍ନ ହୋଇଯାଇଛି। ଗତ ରାତି ଅର୍ଥାତ ଶନିବାର ନବ ବିବାହିତ ଦମ୍ପତ୍ତିଙ୍କ ଲାଗି ‘ଆଶିର୍ବାଦ’ ସେରିମନିର ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯୋଗ ଦେଇଥିଲେ ଓ ବରବଧୂଙ୍କୁ ଆଶିର୍ବାଦ କରିଥିଲେ। ନୂଆ ବୋହୂ ରାଧିକା ମର୍ଚ୍ଚାଣ୍ଟ ଲକ୍ଷ୍ମୀଙ୍କ ସହିତ ଅମ୍ବାନୀଙ୍କ ପରିବାରରେ ଏଣ୍ଟ୍ରି କରିଛନ୍ତି।