ଢାକା : ବାଂଲାଦେଶରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଥିବା ମଧ୍ୟବର୍ତ୍ତୀକାଳୀନ ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ। ମଙ୍ଗଳବାର ଏହି ବିରୋଧ ୪ର୍ଥ ଦିନରେ ପହଞ୍ଚିଛି। ନୂଆ ସେବା ଆଇନ ଫେରେଇ ନେବା ଦାବିକୁ ନେଇ କର୍ମଚାରୀଙ୍କ ଆନ୍ଦୋଳନ ଜୋରଦାର ହୋଇଛି, ଯେଉଁଥି ପାଇଁ ସରକାର ରାଜଧାନୀ ଢାକା ସ୍ଥିତ ସଚିବାଳୟରେ ଅର୍ଦ୍ଧସୈନିକ ବାହିନୀକୁ ମୁତୟନ କରି ଦେଇଛନ୍ତି।
ସଚିବାଳୟ ପରିସରର ପ୍ରବେଶ ଦ୍ୱାର ଗୁଡ଼ିକରେ ବର୍ଡର ଗାର୍ଡ ବାଂଲାଦେଶ (ବିଜିବି), ପୁଲିସର ସ୍ପେଶାଲ ୱେପନ୍ସ ଆଣ୍ଡ ଟ୍ୟାକ୍ଟିକ୍ସ (ଏସଡବ୍ଲ୍ୟୁଏଟି) ୟୁନିଟ୍ ଓ ଏଲିଟ ଆଣ୍ଟି-କ୍ରାଇମ୍ ଫୋର୍ସ ରାପିଡ୍ ଆକ୍ସନ ବଟାଲିୟନ (ଆରଏବି)କୁ ମୁତୟନ କରାଯାଇଛି। ଏହି ସଚିବାଳୟ ସେହି ସ୍ଥାନ , ଯେଉଁଠି ବାଂଲାଦେଶର ଅଧିକାଂଶ ମନ୍ତ୍ରଣାଳୟ ଓ ଗୁରୁତ୍ୱପୂର୍ଣ୍ଣ ସରକାରୀ ଅଫିସ ସବୁ ପରିଚାଳନା ହେଉଛି।
ଢାକା ମେଟ୍ରୋପଲିଟନ ପୁଲିସ ସଚିବାଳୟ ଓ ତାଙ୍କର ଆଖପାଖର ଅଞ୍ଚଳରେ କୌଣସି ବି ପ୍ରକାରର ରାଲି ଓ ଜନସଭା ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି। ସାମ୍ୱାଦିକ ଓ ସଧାରଣ ନାଗରିକଙ୍କୁ ମଧ୍ୟ ସଚିବାଳୟ ପରିସରରେ ପ୍ରବେଶ କରାଇ ଦିଆ ଯାଉ ନାହିଁ।
କାହିଁକି ହେଉଛି ଆନ୍ଦୋଳନ ?
ଏହି ବିରୋଧ ଏମିତି ସମୟରେ ହେଉଛି,ଯେବେ ଦେଶରେ ରାଷ୍ଟ୍ରୀୟ ନିର୍ବାଚନ ନେଇ ଦାବି ଜୋର ଧରିଛି। ମଧ୍ୟବର୍ତ୍ତୀକାଳୀନ ସରକାରକୁ କ୍ଷମତାକୁ ଆସିବାର ୯ ମାସ ହୋଇ ସାରିଛି, କିନ୍ତୁ ଏବେସୁଦ୍ଧା ନିର୍ବାଚନର କୌଣସି ଘୋଷଣା ହୋଇ ନାହିଁ। ଦ ଢାକା ଟ୍ରିବ୍ୟୁନର ରିପୋର୍ଟ ଅନୁସାରେ , ମଧ୍ୟବର୍ତ୍ତୀକାଳୀନ ସରକାରର କାର୍ଯ୍ୟକାଳରେ ବାଂଲାଦେଶରେ ଆଇନ ବ୍ୟବସ୍ଥାର ସ୍ଥିତି ଖରାପ ହୋଇଛି ଏବଂ ଏକ ନିର୍ବାଚିତ ସରକାରର ତତ୍କାଳ ଆବଶ୍ୟକ ଅନୁଭବ କରାଯାଉଛି।
ନୂଆ ସେବା ଆଇନ କଣ ?
ବିବାଦର କେନ୍ଦ୍ରବିନ୍ଦୁ ‘ପବ୍ଲିକ୍ ସର୍ଭିସ (ସଂଶୋଧନ) ଅଧ୍ୟାଦେଶ, ୨୦୨୫’ ଯାହାକୁ ରାଷ୍ଟ୍ରପତି ରବିବାର ଜାରି କରିଛନ୍ତି। ଏହି ଆଇନ ଅନୁସାରେ, ସରକାର ଚାରି ପ୍ରକାରର ଅନୁଶାସନାତ୍ମକ ଉଲ୍ଲଂଘନର ମାମଲାରେ କର୍ମଚାରୀଙ୍କୁ ,କୌଣସି ଔପଚାରିକ ବିଭାଗୀୟ ଯାଞ୍ଚ ବିନା କେବଳ ଶୋକଜ୍ ନୋଟିସ୍ ଦେଇ ବହିଷ୍କୃତ କରିପାରନ୍ତି।
କର୍ମଚାରୀ ସଙ୍ଗଠନ ଗୁଡ଼ିକର ଏହି ଅଧ୍ୟାଦେଶକୁ ‘ଅବୈଧ କଳା ଆଇନ’ ବୋଲି କହିଛନ୍ତି। ପ୍ରଦର୍ଶନକାରୀ ମାନେ କଳା ଆଇନ ବନ୍ଦ କର , କର୍ମଚାରୀ ଏହି ଅବୈଧ ଆଇନକୁ ଅସ୍ୱୀକାର କରୁଛନ୍ତି , କୌଣସି ବୁଝାମଣା ନୁହେଁ କେବଳ ସଂଘର୍ଷ , ୧୮ ଲକ୍ଷ କର୍ମଚାରୀ ଏକାଠି ହୋଇଛନ୍ତି ଭଳି ନାରା ଲଗାଇଛନ୍ତି। ସବୁ କର୍ମଚାରୀ ସଙ୍ଗଠନ ଗୁଡ଼ିକ ଘୋଷଣା କରିଛନ୍ତି ଯେ, ସେମାନେ ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ , ଯେପର୍ଯ୍ୟନ୍ତ ସରକାର ଏହି ଆଇନକୁ ଫେରେଇ ନେଇ ନାହାନ୍ତି।
ଅନ୍ୟପଟେ ସରକାରଙ୍କ ସମର୍ଥକ ଛାତ୍ର ସଙ୍ଗଠନ ଜୁଲାଇ ମଞ୍ଚ ମଧ୍ୟ ରାସ୍ତାକୁ ଓହ୍ଲାଇ ଆସିଛନ୍ତି ଏବଂ କର୍ମଚାରୀ ଆନ୍ଦୋଳନ ର ବିରୋଧରେ ବିରୋଧ ପ୍ରଦର୍ଶନ କରିଛନ୍ତି, ଯେଉଁଥି ପାଇଁ ସ୍ଥିତି ଆହୁରି ଉତ୍ତେଜନା ପୂର୍ଣ୍ଣ ହୋଇ ଯାଇଛି। ଏହାକୁ ନଜରରେ ରଖି ଅର୍ଦ୍ଧସୈନିକ ବାହିନୀ ସଜାଗ ରଖାଯାଇଛି। ଗତବର୍ଷ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଅୱାମୀ ଲିଗ୍ ସରକାରକୁ ଗାଦିଚ୍ୟୁତ କରିଥିବା ଛାତ୍ର ଆନ୍ଦୋଳନର ପ୍ରମୁଖ ନେତା ଅବଦୁଲ୍ଲା ପ୍ରଦର୍ଶନକାରୀଙ୍କୁ ଅପଦସ୍ଥ ପ୍ରଧାନମନ୍ତ୍ରୀଙ୍କର ସହଯୋଗୀ କହିଛନ୍ତି। ଖବର ଅନୁସାରେ ,କର୍ମଚାରୀଙ୍କ ଦ୍ୱାରା କାମ ବନ୍ଦ ରଖିବା କାରଣରୁ ପରିସର ଭିତରେ ସରକାରୀ କାର୍ଯ୍ୟକଳାପ ପ୍ରାୟତଃ ଠପ୍ ରହିଛି।