ଆଉ କେହି ହୋଇପାରିବେନି ‘କ୍ୟାପ୍ଟେନ କୁଲ୍’, ଟ୍ରେଡମାର୍କ ପଞ୍ଜିକରଣ କଲେ ମହେନ୍ଦ୍ର ସିଂ ଧୋନୀ

Published By : Prameya-News7 Bureau | June 30, 2025 IST

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ତାଙ୍କର ଲୋକପ୍ରିୟ ନାଁ 'କ୍ୟାପ୍ଟେନ କୁଲ୍' ଉପରେ ଆଇନତଃ ଅଧିକାର ପାଇପାରନ୍ତି । ଧୋନୀ କିଛି ଦିନ ପୂର୍ବେ 'କ୍ୟାପ୍ଟେନ କୁଲ୍' ନାଁ ପାଇଁ ଟ୍ରେଡ୍‌ମାର୍କ ପଞ୍ଜିକରଣ ଆବେଦନ କରିଥିଲେ, ଯାହାକୁ ଏବେ ଅନୁମୋଦନ କରାଯାଇଛି । ଖେଳ ପ୍ରଶିକ୍ଷଣ, ପ୍ରଶିକ୍ଷଣ ସୁବିଧା ଓ ସ୍ପୋର୍ଟ୍ସ କୋଚିଂ ସେବା ପାଇଁ କ୍ଲାସ୍ ୪୧ ଅଧିନରେ ଧୋନୀ ଏହି ଟ୍ରେଡ୍‌ମାର୍କ ପଞ୍ଜିକରଣ  କରିଛନ୍ତି । ଏହି ଟ୍ରେଡ୍‌ମାର୍କ ତାଙ୍କ ନାଁକୁ ଆଇନର ସୁରକ୍ଷା ଦେବା ସହ ତାଙ୍କ ବ୍ରାଣ୍ଡ ଭେଲ୍ୟୁ ଓ ପରିଚୟକୁ ମଧ୍ୟ ମଜଭୁତ କରିବ ।

ଧୋନୀଙ୍କ ଓକିଲ ମାନସୀ ଅଗ୍ରୱାଲ୍ ଏହା ଉପରେ ସୂଚନା ଦେଇ କହିଛନ୍ତି, ଏହି ମାମଲା ଦର୍ଶାଉଛି ଯେ ବ୍ୟକ୍ତିଗତ ବ୍ରାଣ୍ଡିଂ ଓ ପରିଚୟ ସହ ଜଡ଼ିତ ବିଶିଷ୍ଟତା କିପରି ଆଇନତଃ କାମ କରେ । ଧୋନୀଙ୍କ କ୍ୟାପ୍ଟେନ କୁଲ୍ ଟ୍ରେଡମାର୍କକୁ ପ୍ରଥମେ ଟ୍ରେଡମାର୍କ ଆକ୍ଟର ଧାରା ୧୧(୧) ଅଧିନରେ ଆପତ୍ତି ମିଳିଥିଲା । ଏହାର କାରଣ ଥିଲା, ଏହି ନାଁରେ ପୂର୍ବରୁ ଗୋଟିଏ ଟ୍ରେଡ୍‌ମାର୍କ ପଞ୍ଜିକୃତ ଅଛି ଓ ନୂଆ ଟ୍ରେଡ୍‌ମାର୍କ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରିପାରେ । କିନ୍ତୁ ଧୋନୀ ଯୁକ୍ତି ରଖିଥିଲେ ଯେ କ୍ୟାପ୍ଟେନ କୁଲ୍ ନାଁ ଧୋନୀଙ୍କ ସହ ଗତ ଅନେକ ବର୍ଷ ଜଡ଼ିତ ରହିଛି । ମିଡିଆ, ପ୍ରଶଂସକ ଓ ଲୋକେ ଏହାକୁ ବହୁ ମାତ୍ରାରେ ସ୍ୱୀକୃତି ବି ଦେଇଛନ୍ତି ।

ଆହୁରି କୁହାଯାଇଛି, ଏହି ନାଁ ଏବେ କେବଳ ଉପନାମ ହୋଇନାହିଁ ବରଂ ଧୋନୀଙ୍କ କମର୍ଶିଆଲ ପରିଚୟ ହୋଇସାରିଛି । ଧୋନୀଙ୍କ ଲୋକପ୍ରିୟତା, ମିଡିଆରେ କଭରେଜ୍ ଓ ପ୍ରଶଂସକଙ୍କ ପରିଚୟ କାରଣରୁ ଏହି ନାଁ ଅନ୍ୟ କାହା ପାଇଁ ଭ୍ରମ ସୃଷ୍ଟି କରିବ ନାହିଁ । ଧୋନୀଙ୍କ ଏହି ପରିଚୟ ପୂର୍ବ ଟ୍ରେଡ୍‌ମାର୍କ ପୂର୍ବରୁ ରହିଛି ଓ ଅଧିକ ପ୍ରସିଦ୍ଧ ମଧ୍ୟ । ଟ୍ରେଡ୍‌ମାର୍କ ରେଜିଷ୍ଟ୍ରି ଏହି ଯୁକ୍ତିକୁ ସ୍ୱୀକାର କରିଛି ଓ କ୍ୟାପ୍ଟେନ କୁଲ୍ କେବଳ ଏକ ସାଧାରଣ ଶବ୍ଦ ନୁହେଁ ବରଂ ଧୋନୀଙ୍କ ପର୍ସନାଲିଟି, ବ୍ରାଣ୍ଡ ଓ ଛବିର ଅଂଶ ଅଟେ । 

ଧୋନୀଙ୍କ ଏହି ମାମଲା ଦର୍ଶାଉଛି ଯେ କୌଣସି ବ୍ୟକ୍ତି ବିଶେଷ ନିଜ ପରିଚୟ ଓ ଛବିକୁ ଟ୍ରେଡ୍‌ମାର୍କ ଜରିଆରେ ଆଇନତଃ ସୁରକ୍ଷା ଦେଇପାରିବେ । ପୂର୍ବରୁ କୌଣସି ସାମଗ୍ରୀକୁ ସମାନ ଟ୍ରେଡ୍‌ମାର୍କ ମିଳିଥିଲେ ବି ଅସୁବିଧା ହୁଏନି । ଧୋନୀଙ୍କ ଓକିଲ କହିଛନ୍ତି, ଏହା ଏକ ପ୍ରଭାବଶାଳୀ ଉଦାହରଣ, ଯେଉଁଥିରେ କୌଣସି ଖେଳାଳିଙ୍କ ପରିଚୟକୁ ଏକ ବ୍ରାଣ୍ଡ ରୂପେ ମାନ୍ୟତା ଦିଆଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.