ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୬ରେ ଋତୁରାଜ ଗାୟକ୍ୱାଡ଼ ଚେନ୍ନାଇର କ୍ୟାପ୍ଟେନ୍ ରହିବେ। ଦଳର ଆଇକନ କୁହାଯାଉଥିବା ମହେନ୍ଦ୍ର ସିଂହ ଧୋନୀ ଏହି ସୂଚନା ଦେଇଛନ୍ତି। କହୁଣୀରେ ଆଘାତ ଯୋଗୁ ଚଳିତ ସିଜନର ସେକେଣ୍ଡ ହାପ୍ରେ ଖେଳିପାରି ନଥିଲେ ଗାୟକ୍ୱାଡ଼ା। ତାଙ୍କ ବଦଳରେ ଧୋନୀ କ୍ୟାପ୍ଟେନ୍ ଦାୟିତ୍ୱ ସମ୍ଭାଳିଥିଲେ।
ତେବେ ଚଳିତ ଆଇପିଏଲ ଚେନ୍ନାଇ ପାଇଁ ଭଲ ନଥିଲା। ଦଳ ପଏଣ୍ଟ ଟେବୁଲ୍ରେ ତଳଆଡ଼େ ରହିଥିଲା। ହେଲେ ଶେଷ ମ୍ୟାଚ୍ରେ ଟେବୁଲ୍ରେ ଶୀର୍ଷରେ ଥିବା ଗୁଜରାଟ ଟାଇଟନ୍ସକୁ ୮୩ ରନ୍ର ବଡ଼ ବ୍ୟବଧାନରେ ପରାସ୍ତ କରି ହ୍ୟାପି ଏଣ୍ଡିଂ କରିଥିଲା।
ମ୍ୟାଚ୍ ଶେଷ ପରେ ସମସ୍ତେ ଧୋନୀଙ୍କ ଆଇପିଏଲ୍ ଫ୍ୟୁଚର ନେଇ ଉତ୍କଣ୍ଠାରେ ଥିଲେ। ହେଲେ ସାମ୍ବାଦିକ ସମ୍ମିଳନୀରେ ଧୋନୀ ଦଳର ଅନ୍ୟ ବିଷୟରେ ମତ ରଖିଥିଲେ ବି ନିଜ ଅବସର ନେଇ କୌଣସି ପ୍ରତିକ୍ରିୟା ଦେଇନଥିଲେ। ଏହାକୁ ଏଡ଼ାଯାଇଥିଲେ। ତେବେ ୨୦୨୬ ପାଇଁ ଋତୁରାଜ ଗାୟକ୍ୱାଡ଼ ହିଁ କ୍ୟାପ୍ଟେନ୍ ରହିବେ ବୋଲି ସେ ସ୍ପଷ୍ଟ କରି ଦେଇଥିଲେ।
ଏନେଇ ଧୋନୀ କହିଥିଲେ “ ଦଳରେ କିଛି ଅଭାବ ରହିଯାଇଛି ଯାହାକୁ ଆମେ ପୂରଣ କରିବାକୁ ଚାହୁଁଛୁ। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେତେବେଳେ ଋତୁ ପରବର୍ତ୍ତୀ ସିଜନରେ ଫେରିବେ, ଅତି କମରେ ଆମେ ତାଙ୍କୁ ଏପରି ଏକ ଦଳ ଦେଇପାରିବୁ ଯେଉଁଠାରେ ତାଙ୍କୁ କେବଳ ପ୍ଲେଇଂ ଇଲେଭେନରେ ଫିଟ୍ ହୋଇପାରିବେ। ତାଙ୍କୁ ଆଉ ବେଶି କିଛି ଚିନ୍ତା କରିବାକୁ ପଡିବ ନାହିଁ।”
ରବିବାର ଅହମ୍ମଦାବାଦରେ ଚେନ୍ନାଇ ଓ ଗୁଜରାଟ ମଧ୍ୟରେ ଖେଳାଯାଇଥିବା ୬୭ ତମ୍ ମ୍ୟାଚରେ ଚେନ୍ନାଇ ପ୍ରଥମ ବ୍ୟାଟିଂ କରି ୨୩୦ ରନ୍ କରିିଥିଲା। ଟାର୍ଗେଟ୍ର ପିଛା କରି ପଡ଼ିଆକୁ ଓହ୍ଲାଇ ଥିବା ଗୁଜରାଟ ମାତ୍ର ୧୪୭ରେ ଅଲ୍ ଆଉଟ୍ ହୋଇ ଯାଇଥିଲା। ଦଳ ପକ୍ଷରୁ ସାଇ ସୁଦର୍ଶନ ସର୍ବାଧିକ ୪୧ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟର ବଡ଼ ସ୍କୋର କରିପାରି ନଥିଲେ। ଫଳରେ ଦଳ ୮୩ ରନର ବଡ଼ ବ୍ୟବଧାନରେ ଚେନ୍ନାଇ ଠାରୁ ପରାଜିତ ହୋଇଥିଲା।
ବିଜୟ ସହ ଚେନ୍ନାଇର ଆଇପିଏଲ୍ ୨୦୨୫ର ଅଭିଯାନ ସମାପ୍ତ ହୋଇଛି। ଅନ୍ୟପଟେ ଗୁଜରାଟ୍କୁ ଟପ୍-୨ରେ ରହିବାର ଆଶାକୁ ମଧ୍ୟ ବଡ଼ ଧକ୍କା ଲାଗିଛି। କାରଣ ଅନ୍ୟ ଦଳର ପ୍ରଦର୍ଶନ ଉପରେ ନିର୍ଭର କରେ ଯେ ଦଳ ଟପ୍-୨ରେ ରହିବ କି ନାହିଁ। କାରଣ ୧୨ ମ୍ୟାଚ୍ରୁ ୯ଟି ଜିତି ୧୮ ପଏଣ୍ଟ ପାଇଥିବା ଗୁଜରାଟ କ୍ରମାଗତ ଶେଷ ଦୁଇଟି ମ୍ୟାଚ୍ରେ ପରାଜିତ ହୋଇଛି। ୧୪ ମ୍ୟାଚ୍ରୁ ଜିଟି ୯ ବିଜୟ ଓ ୫ ପରାଜୟ ସହ ୧୪ ପଏଣ୍ଟ ହାସଲ କରିଛି।