ନୂଆଦିଲ୍ଲୀ: ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ସଂସଦରେ ସଂସଦର ମୌସୁମୀ ଅଧିବେଶନରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ୧୪୫ ସାଂସଦଙ୍କ ଦସ୍ତଖତ ଥିବା ସ୍ମାରକପତ୍ର ଦିଆଯାଇଛି । ଏଥିରେ ଜଷ୍ଟିସ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ସୁପାରିଶ କରାଯାଇଛି । ସେହିପରି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କୁ ବି ୫୪ ସାଂସଦଙ୍କ ସମର୍ଥନ ଥିବା ପତ୍ର ଦିଆଯାଇଛି । ଅପରାହ୍ଣ ୨ରେ ବିରୋଧୀ ଦଳ ନେତା ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଭେଟିଥିଲେ ଓ ମହାଭିଯୋଗ ପ୍ରସ୍ତାବକୁ ସମର୍ଥନ ଜଣାଇ ପତ୍ର ଦେଇଥିଲେ ।
ଏହା ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ରବିବାର କହିଥିଲେ ଯେ ୧୦୦ରୁ ଅଧିକ ସାଂସଦଙ୍କ ଦସ୍ତଖତ ହୋଇସାରିଛି । ଜଷ୍ଟିସ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଅଣିଯିବା ଦରକାର ବୋଲି ଏହି ସାଂସଦମାନଙ୍କ ମତ ରହିଛି । ଲୋକସଭା ସାଂସଦଙ୍କୁ ଦିଆଯାଇଥିବା ପତ୍ରରେ ଦସ୍ତଖତ କରିଥିବା ସାଂସଦଙ୍କ ମଧ୍ୟରେ ଟିଡିପି, କଂଗ୍ରେସ, ଜେଡିୟୁ, ଜନସେନା ପାର୍ଟି, ଶିବସେନା, ସିପିଏମ୍ ନେତାଙ୍କ ସାମିଲ ଅଛନ୍ତି । ଏନସିପି-ଏସପିରୁ ସୁପ୍ରିଲା ସୁଲେ, ବିଜେପିରୁ ଅନୁରାଗ ଠାକୁର, ରବିଶଙ୍କର ପ୍ରସାଦ, ରାଜୀବ ପ୍ରତାପ ରୁଡ୍ଡି ଓ ପିପି ଚୌଧୁରୀ ପରି ନେତାଙ୍କ ଦସ୍ତଖତ ରହିଛି । ଏମାନଙ୍କ ବ୍ୟତୀତ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ମହାଭିଯୋଗ ପ୍ରସ୍ତାବର ସମର୍ଥନ କରିଛନ୍ତି । ପାର୍ଟି ମହାସଚିବ କେସି ବେଣୁଗୋପାଳ ମଧ୍ୟ ଏଥିରେ ଦସ୍ତଖତ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ସାଂସଦ କେ.ସୁରେଶ ପୂର୍ବରୁ କହିଥିଲେ ଯେ ଜଷ୍ଟିସ୍ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାକୁ ଆମର ପୂର୍ଣ୍ଣ ସମର୍ଥନ ରହିଛି ।
ଉଲ୍ଲେଖଯୋଗ୍ୟ ଯେ ଏହାରି ଭିତରେ ଜଷ୍ଟିସ ବର୍ମା ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରିିଛନ୍ତି । ସେ ସୁପ୍ରିମକୋର୍ଟ ଦ୍ୱାରା ଗଠିତ ପ୍ୟାନେଲର ସେହି ରିପୋର୍ଟ ଉପରେ ପ୍ରଶ୍ନ ଉଠାଇଛନ୍ତି, ଯେଉଁଥିରେ ମହାଭିଯୋଗ ପ୍ରସ୍ତାବ ପାଇଁ ସୁପାରିଶ କରାଯାଇଛି । ତାଙ୍କ ଯୁକ୍ତି ଯେ ଇନ୍-ହାଉସ୍ ପ୍ୟାନେଲ୍ ଏପରି ସୁପାରିଶ କରିପାରିବ ନାହିଁ । ଏହା ବ୍ୟତୀତ ଔପଚାରିକ ଅଭିଯୋଗ ନହେବା ଓ ତଦନ୍ତ ପ୍ରକ୍ରିୟାରେ ତାଙ୍କ ବୟାନ ନିଆଯାଇ ନଥିବା ସେ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ଗତ ମେ ୮ରେ ଜଜ୍ଙ୍କ ଘରୁ ଟଙ୍କା ମିଳିବା ମାମଲାରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ ପଠାଇଥିଲେ ସିଜେଇ ସଞ୍ଜୀବ ଖନ୍ନା । ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଘରୁ ନଗଜ ମିଳିବା ମାମଲାରେ ତିନି ସଦସ୍ୟ ଇନ୍-ହାଉସ କମିଟି ତଦନ୍ତ କରିଥିଲା । ସିଜେଆଇ ଖନ୍ନା ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଜଷ୍ଟିସ ବର୍ମାଙ୍କଠାରୁ ମେ ୬ରେ ମିଳିଥିବା ଜବାବକୁ ମଧ୍ୟ ସଂଲଗ୍ନ କରିଥିଲେ । ଏଥିରେ ଜଷ୍ଟିସ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରକ୍ରିୟା ଚଲାଇବା ପାଇଁ ସୁପାରିଶ କରାଯାଇଥିଲା ।
ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୧୪ରେ ରାତି ପ୍ରାୟ ୧୧.୩୫ ମିନିଟରେ ଜଷ୍ଟିସ୍ ବର୍ମାଙ୍କ ଲୁଟିୟନ୍ସ ଦିଲ୍ଲୀ ସ୍ଥିତ ଘରେ ନିଆଁ ଲାଗିବା ପରେ ଫାୟାର ବ୍ରିଗେଡ୍ ନିଆଁକୁ ଆୟତ୍ତ କରିଥିଲେ । ଏହି ସମୟରେ କଥିତ ରୂପେ ତାଙ୍କ ଘରୁ ବିପୁଳ ମାତ୍ରାରେ ନଗଦ ଟଙ୍କା ମିଳିଥିଲା ।