କାଠମାଣ୍ଡୁ ୧୦।୮: ପର୍ବତୀୟ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ନେପାଳ ସୁଦୂର ପଶ୍ଚିମ କ୍ଷେତ୍ରର ପାଖାପାଖି ୧୦୦ଟି ଶୃଙ୍ଗ ଆରୋହଣ ନିଃଶୁଳ୍କ ଘୋଷଣା କରିଛି। ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ହିମାଳୟ ରାଷ୍ଟ୍ର ଏବେ ପର୍ବତାରୋହୀଙ୍କୁ ଆକର୍ଶିତ କରିବାକୁ ଚାହୁଁଛି ଯେଉଁଠାକୁ ପର୍ଯ୍ୟଟକ ଖୁବ୍ କମ ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାର ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ କରନାଲୀ ଓ ସୁଦୂର ପାଶ୍ଚିମ ପ୍ରାନ୍ତର ୯୭ଟି ଶୃଙ୍ଗ ନିମନ୍ତେ ରୟାଲ୍ଟି ଛାଡ କରିଛନ୍ତି।
ଏହି ସବୁ ଶୃଙ୍ଗର ଉଚ୍ଚତା ୫,୮୭୦ ମିଟରରୁ ଆରମ୍ଭ କରି ୭,୧୩୨ ମିଟର ପର୍ଯ୍ୟନ୍ତ। ଏଣୁ ସରକାରଙ୍କ ପଦକ୍ଷେପ ଯୋଗୁ ସୀମିତ ପର୍ଯ୍ୟଟକ ଗତିବିଦ୍ଧି ଥିବା ପର୍ଯ୍ୟଟନସ୍ଥଳକୁ ଲୋକଙ୍କ ଆଗମନ ବଢିବ ବୋଲି ଆଶା କରାଯାଉଛି। ପର୍ଯ୍ୟଟକ ବିଭାଗ ନିର୍ଦ୍ଦେଶକ ହିମାଲ ଗୌତମ ଗଣମାଧ୍ୟମକୁ କହିଛନ୍ତି ଯେ ଏହାର ଉଦ୍ଦେଶ୍ୟ ଦୂର ଦୂରାନ୍ତ ଅଞ୍ଚଳକୁ ଅଧିକ ପର୍ଯ୍ୟଟକ ଆକର୍ଷିତ କରିବା ଓ ସ୍ଥାନୀୟ ସମୂଦାୟ ନିମନ୍ତେ ଆୟର ସ୍ରୋତ ସୃଷ୍ଟି କରିବା।
ସେ କହିଛନ୍ତି ଯେ ଏହି ପଦକ୍ଷେପ ଯୋଗୁ ନେପାଳର ଏପରି ପାର୍ବତୀୟ କ୍ଷେତ୍ରକୁ ପ୍ରୋତ୍ସାହନ ମିଳିବ ଯେଉଁଠାକୁ ପର୍ବତାରୋହୀ କମ ଯାଇଥାନ୍ତି। ସରକାର ମଧ୍ୟ ଏହି ପ୍ରସ୍ତାବ ଦେଇଛନ୍ତି ଯେ ଯେଉଁମାନେ ମାଉଣ୍ଟ ଏଭରେଷ୍ଟ ଆରୋହଣ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ପୂର୍ବରୁ ଅନୁନ୍ୟ ୭୦୦୦ ମିଟର ଉଚ୍ଚ ଏକ ଶୃଙ୍ଗ ଚଢିବାର ଅଭିଜ୍ଞତା ବାଧ୍ୟତାମୂଳକ କରାଯିବ। ଏହି ପ୍ରସ୍ତାବ ପର୍ଯ୍ୟଟନ ଅଧିନିୟମର ସଂଶୋଧନର ଅଂଶବିଶେଷ ଓ ଏହାକୁ ବିଚାର ନିମନ୍ତେ ଉଚ୍ଚ ସଦନକୁ ପଠାଯାଇଛି।
ଚଳିତବର୍ଷ ପ୍ରାରମ୍ଭରେ ନେପାଳ ଘୋଷଣା କରିଥିଲା ଯେ ମାଉଣ୍ଟ ଏଭରେଷ୍ଟ ଆରୋହଣ ନିମନ୍ତେ ପ୍ରତି ପର୍ବତାରୋହୀ ଏବେ ଅସୁଲ କରାଯାଉଥିବା ୧୧ ହଜାର ଡଲାରକୁ ବଢାଇ ୧୫ ହଜାର ଡଲାର କରିଦିଆଯିବ। ସରକାରଙ୍କ ଏହି ସଂଶୋଧିତ ଶୁଳ୍କ ୧ ସେପ୍ଟେମ୍ବର ୨୦୨୫ରୁ କାର୍ଯ୍ୟକାରୀ ହେବ। ଏହି ଶୁଳ୍କ ବୃଦ୍ଧି ଲାଗୁ ହେବା ପରେ ମାଉଣ୍ଟ ଏଭରେଷ୍ଟ ଚଢିବା ପର୍ବତାରୋହୀଙ୍କ ନିମନ୍ତେ ମହଙ୍ଗା ହୋଇଯିବ।