ବନ୍ୟାପାଣି କମୁଛି ସିନା ବଢି ଚାଲିଛି ଦୁର୍ଦ୍ଦଶା, ୬ଟି ପଞ୍ଚାୟତର ୨୦ରୁ ଅଧିକ ଗାଁ ପ୍ରଭାବିତ

Published By : Prameya-News7 Bureau | June 22, 2025 IST

ଭୋଗରାଇ ୨୨।୬: ବନ୍ୟାପାଣି କମୁଛି ସିନା ବଢି ଚାଲିଛି ଦୁର୍ଦ୍ଦଶା । ସୁବର୍ଣ୍ଣରେଖା ନଦୀର ଉପର ମୁଣ୍ଡର ରାଜଘାଟ ଠାରେ ବନ୍ୟା ପାଣି ବିପଦ ସଂକେତ ତଳେ ପ୍ରଭାବିତ ହେଉଥିଲେ ମଧ୍ୟ ବାଲେଶ୍ବର ଜିଲ୍ଲାର ଭୋଗରାଇ, ଜଳେଶ୍ବର, ବାଲିଆପାଳ ବ୍ଲକର  ଅନେକ ଗାଁ ପାଣି ପାଣି ଘେରରେ ରହିଛି । ଧୀରେ ଧୀରେ ବନ୍ୟା ପାଣି ଛାଡୁଥିବା ବେଳେ ଲୋକେ ନିଜ ନିଜ ଘରକୁ ଆସି ଆସବାବପତ୍ର ସଜାଡୁଛନ୍ତି । ହଠାତ ବନ୍ୟା ଫଳରେ ବାଲିଆପାଳ, ମଧୁପୁରା, ଅସ୍ତି, ଜାମକୁଣ୍ଡା, ବିଷ୍ଣୁପୁର ୬ଟି ପଂଚାୟତର ୨୦ରୁ ଅଧିକ ଗାଁ ପ୍ରଭାବିତ ହୋଇଛି । ଚୌଧୁରୀକୁଦ, ବିଷ୍ଣୁପୁର, ଚଢ଼ବସ୍ତ କାଳରୁହି, ପାଳଚମ୍ପି, ଜାମକୁଣ୍ଡା, କୁହ୍ଲା ଚଢ଼, ତାଳପଦା, ବଡ଼ ତାଳପଦା ଆଦି ଗାଁ ଏବେ ବି ବାହ୍ୟ ଜଗତରୁ ବିଚ୍ଛିନ୍ନ ରହିଛି । ଉପର ମୁଣ୍ଡରେ ପାଣିର ମାତ୍ର କାମୁଥିଲେ ବି ଉପରେ ଏବେବି  ୩ରୁ ୪ଫୁଟ ଉଚ୍ଚରେ ପାଣି ପ୍ରଭାବିତ ହେଉଛି ।ଏବେବି ଯୁଆଡେ ଚାହିଁବେ ପାଣି ଭର୍ତ୍ତି ହୋଇ ରହିଛି । ଫଳରେ ଲୋକେ ବୋଟରେ ଯାଆ ଆସ କରୁଛନ୍ତି । 

ସେହିପରି ଭୋଗରାଇ ବ୍ଲକର ୧୫ରୁ ଅଧିକ ପଞ୍ଚାୟତରେ ବନ୍ୟା ପାଣି ପଶି ଲୋକଙ୍କ ଜିନିଷପତ୍ର ନଷ୍ଟ ହୋଇଛି । ବିଶେଷ କରି କୁମ୍ଭୀରଗଡି ପଞ୍ଚାୟତର କୁଲ୍ହା, ପନ୍ତେଇ ଖୋଳାବାଡ଼ିଆ, କୁସୁଡ଼ା ଗବଗାଁ, ରସଲପୁର ଆଦି ଗ୍ରାମରେ ବିଭିନ୍ନ ଘର ପାଣିରେ ବୁଡି ରହିଥିବା ବେଳେ ଲୋକେ ଗୃହ ପାଳିତ ପଶୁ ଓ କୁନି କୁନି ଛୁଆ ପିଲାଙ୍କୁ ନେଇ ନଦୀ ବନ୍ଧ ଉପରେ ସାହାରା ନେଇଛନ୍ତି । ଭୋଗରାଇ କୁସୁଡ଼ା ଗାଁ ଅଧିକ ପ୍ରଭାବିତ ହୋଇଥିବା ବେଳେ ୨୦ରୁ ଉର୍ଦ୍ଧ୍ବ ପରିବାରର ଘର ସମ୍ପୂର୍ଣ୍ଣ ବୁଡି ଯାଇଛି । କୁସୁଡ଼ା ବାରିକ ସାହିର ୧୫ ପରିବାର ପଲିଥିନ ପକାଇ ୩ ଦିନ ହେଲା ଛୁଆ ପିଲାଙ୍କୁ ନେଇ ଏକ ଉଚ୍ଚ ସ୍ଥାନରେ ରହୁଛନ୍ତି । ସେମାନେ ଏବେବି କୌଣସି ସରକାରୀ ସୁବିଧା ପାଇ ନଥିବା ଏବଂ ରାତିରେ କିଟିମିଟି ଅନ୍ଧାରରେ ରହୁଥିବା କହିଛନ୍ତି । ସେପଟେ ବନ୍ୟା ଯୋଗୁଁ ଏକର ଏକର ପରିବା, ଲଳିତାଚାଷ ନଷ୍ଟ ହୋଇଛି । ଯାହାକୁ ନେଇ ଲୋକେ ଚିନ୍ତାରେ ପଡ଼ିଛନ୍ତି । 

ବନ୍ୟା ପ୍ରଭାବିତ ଲୋକଙ୍କୁ ମଧୁପରା ଅଂଚଳର ଶ୍ରଦ୍ଧା ମହିଳା ସଂଗଠନ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଅନ୍ୟପଟେ ଆଶା କର୍ମୀ ଗାଁକୁ ଗାଁ ବୁଲି ଲୋକଙ୍କୁ ଔଷଧ ବାଣ୍ଟିଛନ୍ତି । ବାଲେଶ୍ବର ଉପ ଜିଲ୍ଲାପାଳ ବାଲିଆପାଳ ବ୍ଲକରେ ବନ୍ୟା ଅଞ୍ଚଳ ପରିଦର୍ଶନ କରିବା ସହ ବନ୍ୟା ପାଣିରେ ଭାସି ମୃତ୍ୟୁ ବରଣ କରିଥିବା ଯୁବକ ମହେଶ୍ବରଙ୍କ ପରିବାରକୁ ରେଡକ୍ରସ ତରଫରୁ ୨୫ ହଜାର ଟଙ୍କା ପ୍ରଦାନ କରିଛନ୍ତି । 

You Can Read:

ସ୍ପଷ୍ଟୀକରଣ ନଦେଇ ଖଣି ଖୋଳିଲେ ହେବ ବିରୋଧ, ବିସ୍ଥାପିତଙ୍କ ସମସ୍ୟା ନବୁଝିଲେ ଆନ୍ଦୋଳନ ଚେତାବନୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.