ନୂଆଦିଲ୍ଲୀ ୧୦।୫: ଦେଶର ଚାଷୀଙ୍କ ପାଇଁ ଖୁସି ଖବର। ଚଳିତବର୍ଷ ମୌସୁମୀ ଦେଶକୁ ଖୁବ୍ ଶୀଘ୍ର ପହଞ୍ଚିବ ଓ ଭଲ ବର୍ଷିବ। ମୌସୁମୀ ନିର୍ଦ୍ଧାରିତ ସମୟର ୫ ଦିନ ପୂର୍ବରୁ ଆସିବ ବୋଲି ଆକଳନ କରାଯାଉଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛନ୍ତି ଯେ ଭାରତର ଦକ୍ଷିଣ ଉପକୂଳରେ ମୌସୁମୀ ମେ ୨୭ରୁ ବର୍ଷି ପାରେ। ଏ ବର୍ଷ ମୌସୁମୀ ଶୀଘ୍ର ଆସୁଥିବାରୁ ଧାନ, ମକା ଓ ସୋୟାବିନ ଭଳି ଫସଲର ବମ୍ପର ଅମଳ ଆଶା ବଢି ଯାଇଛି।
ପ୍ରତି ବର୍ଷ ଜୁନ ୧ ତାରିଖ ବେଳକୁ ମୌସୁମୀ ଦେଶର ଦକ୍ଷିଣ ଉପକୂଳ କୁ ଛୁଇଁଥାଏ, ଯାହା ଜୁଲାଇ ୧୦ ତାରିଖ ବେଳକୁ ସାରା ଦେଶକୁ ପହଞ୍ଚିଥାଏ। ଉଲ୍ଲେଖଯୋଗ୍ୟ ଯେ ଦେଶର ୪ ଟ୍ରିଲିୟନ ଡଲାର ଅର୍ଥ ବ୍ୟବସ୍ଥାର ଜୀବନ ରେଖା ହେଉଛି ମୌସୁମୀ। ଭାରତର କୃଷି କ୍ଷେତ୍ରକୁ ପାଣି ଯୋଗାଇ ଦେବା ସହ ଜଳାଶୟଙ୍କୁ ରିଚାର୍ଜ କରିବା ପାଇଁ ମୌସୁମୀ ୭୦% ପାଣି ଯୋଗାଇ ଦେଇଥାଏ। ଭାରତର ପାଖାପାଖି ୫୦% ଚାଷ ଯୋଗ୍ୟ ଜମି ମୌସୁମୀ ବର୍ଷା ଉପରେ ନିର୍ଭର କରିଥାଏ। ଏଣୁ ଏହି ସବୁ ଜମିକୁ ଜୁନ-ସେପ୍ଟେମ୍ବର ମୌସୁମୀ ପାଣି ଯୋଗାଇ ଦେଇଥାଏ। ଏଭଳି ପରିସ୍ଥିତିରେ ଚଳିତବର୍ଷ ମୌସୁମୀ ଖୁବ୍ ଶୀଘ୍ର ଦକ୍ଷିଣ ଉପକୂଳକୁ ପହଞ୍ଚିବା ଖବର ନିଶ୍ଚିତ ରୂପେ ଆଶ୍ୱସ୍ତିକର ବୋଲି କୁହାଯାଇ ପାରେ।
ଉଲ୍ଲେଖଯୋଗ୍ୟ ଯେ ଗ୍ରୀଷ୍ମ ଋତୁ ଶେଷରେ ୧ ଜୁନ ବେଳକୁ ଭାରତର ଦକ୍ଷିଣ ଉପକୂଳର କେରଳ ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଥାଏ ଓ ମଧ୍ୟ ଜୁଲାଇ ବେଳକୁ ସାରା ଦେଶକୁ ପ୍ରସରିଯାଇଥାଏ। ଏଣୁ ସଅଳ ମୌସୁମୀ ଯୋଗୁ ଧାନ, ମକା, କପା, ସୋୟାବିନ ଓ ଆଖୁ ଭଳି ଫସଲ ପାଇଁ ଚାଷୀ ଖେତ ଯୋତିବା ଆରମ୍ଭ କରିବେ। ଆଇଏମଡି ଶନିବାର ଏକ ସୂଚନାରେ ଚଳିତବର୍ଷ ୨୭ ମେ ବେଳକୁ ମୌସୁମୀ କେରଳ ଉପକୂଳକୁ ଛୁଇଁବ ବୋଲି ପୂର୍ବାନୁମାନ କରିଛନ୍ତି। ଗତବର୍ଷ ମେ ୩୦ ତାରିଖରେ ମୌସୁମୀ କେରଳ ଛୁଇଁଥିଲା ଓ ୨୦୨୦ ମସିହା ପରେ ପ୍ରଥମ ଥର ଭଲ ବର୍ଷା ହୋଇଥିଲା।