ଓଡିଶା ଛୁଇଁଛି ମୌସୁମୀ, ତଥାପି ତାତିରୁ ମିଳିବନି ତ୍ରାହି

Published By : Prameya-News7 Bureau | June 09, 2024 IST

ଭୁବନେଶ୍ୱର ୦୯।୦୬ : ଶନିବାର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି । ପ୍ରଥମେ ମାଲକାନଗିରି ଜିଲ୍ଲାର କିଛି ଅଞ୍ଚଳକୁ ଛୁଇଁ ଦକ୍ଷିଣ ଓଡ଼ିଶାରେ ପ୍ରବେଶ କରିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ପ୍ରଭାବରେ ମାଲ୍ୟବନ୍ତ ପର୍ବତ ଶିଖରରେ ପ୍ରଥମେ ବାଦଲ ଦୃଶ୍ୟମାନ ହୋଇଥିଲା । ଏହାପରେ ଝିପିଝିପି ବର୍ଷା ଆରମ୍ଭ ହୋଇଥିଲା ।  

ମୌସୁମୀର ପ୍ରବେଶ ପରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ କାଁ ଭାଁ ବର୍ଷା ହୋଇଛି । ମାଲକାନଗିରି, ମାଥିଲି, ଚିତ୍ରକୋଣ୍ଡା, କୋରୁକୁଣ୍ଡା ଓ ପଦିଆ ଭଳି ସ୍ଥାନରେ ବର୍ଷା ହୋଇଛି । ଜିଲ୍ଲାର ୨ଟି ବ୍ଲକକୁ ଛାଡ଼ି ଅନ୍ୟ ୫ଟି  ବ୍ଲକ୍‌ରେ ବର୍ଷା ହୋଇଛି । ଶୁକ୍ରବାର ସନ୍ଧ୍ୟାରୁ ରାତି ପର୍ଯ୍ୟନ୍ତ  ବର୍ଷା ହୋଇଥିଲା। ଜିଲ୍ଲା ଜରୁରିକାଳୀନ ବିଭାଗ ସୂତ୍ରରୁ ପ୍ରକାଶ ଯେ, ଗତ ୨୪ଘଣ୍ଟା ମଧ୍ୟରେ ଜିଲ୍ଲାର କୋରୁକୁଣ୍ଡା ବ୍ଲକରେ ସର୍ବାଧିକ ୭୯ ମିମି ବର୍ଷା ହୋଇଥିଲା । ସେହିଭଳି ମାଲକାନଗିରି ବ୍ଲକରେ ୫୫ ମିମି, ଚିତ୍ରକୋଣ୍ଡାରେ ୨୬  ମିମି, ମାଥିଲିରେ ସର୍ବନିମ୍ନ ୨ ମିମି ଓ ପଦିଆ ବ୍ଲକରେ ୪ ମିମି ବର୍ଷା ରେକର୍ଡ କରାଯାଇଛି । ଜିଲ୍ଲାରେ ହାରାହାରି ୨୩ ମିମି ବର୍ଷା ହୋଇଥିବା ଜିଲ୍ଲା ଜରୁରିକାଳୀନ ବିଭାଗ କହିଛି। ବର୍ଷା ଆରମ୍ଭ ପରେ ଜିଲ୍ଲାର ଚାଷୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ଚାଷୀ ଜମିରେ ହଳ କରିବା ଆରମ୍ଭ କରିଦେଇଛନ୍ତି। ଓଡ଼ିଶାରେ ମୌସୁମୀ ପ୍ରବେଶ କରିଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଥିଲେ।

ସେଭଳି ଆଖିଦୃଶିଆ ବର୍ଷା ହୋଇନି । ଏହାକୁ ନେଇ ମୌସୁମୀର ପ୍ରକୃତ ଆଗମନକୁ ନେଇ ପାଣିପାଗ ବିଶେଷଜ୍ଞମାନେ ଭିନ୍ନ ଆକଳନ କରିଛନ୍ତି । ୧୮ ତାରିଖ ବେଳକୁ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟରେ ବର୍ଷା ହେବ ବୋଲି କୁହାଯାଇଛି । ମୌସୁମୀ ରାଜ୍ୟକୁ ପ୍ରବେଶ କରିଥିଲେ ବି ଏବେ  ତାତିରୁ ତ୍ରାହି ମିଳିବା ଆଶା କ୍ଷୀଣ । ୯ରୁ ୧୨ ତାରିଖ ଯାଏଁ ପଶ୍ଚିମ ଓଡ଼ିଶାରେ  ଗ୍ରୀଷ୍ମପ୍ରବାହ ଜାରି ରହିବ। ୯ରେ ବରଗଡ଼, ବଲାଙ୍ଗୀର ଓ ନୂଆପଡ଼ାରେ ଗ୍ରୀଷ୍ମପ୍ରବାହ ବହିବ। ୧୨ ଯାଏଁ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ। ଆସନ୍ତା ଦୁଇ ଦିନ ରାଜ୍ୟର ଉତ୍ତର ଓ ଦକ୍ଷିଣ  ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଓ ଘଡ଼ଘଡ଼ି ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 

 

  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.