ଶ୍ରୀକ୍ଷେତ୍ରରେ ମଠ ମନ୍ଦିରର ହେବ ପୁନଃର୍ବାସ, ପୁଣି ତିଆରି କରିବେ ମୋହନ ସରକାର

Published By : Prameya-News7 Bureau | May 23, 2025 IST

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବେଳେ ଭଙ୍ଗା ଯାଇଥିବା ମଠ ମନ୍ଦିର ଗୁଡ଼ିକୁ ପୁନଃର୍ବାସ କରିବେ ମୋହନ ସରକାର । ମୋଟ ୧୯ଟି ମଠକୁ ପୁନଃର୍ବାସ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଗୋଟିଏ ଜାଗାରେ ମଠ ଗୁଡ଼ିକର ବିଜେସ୍ଥଳୀ ସ୍ଥାପିତ କରାଯିବ । ଏଥିପାଇଁ ପୁରୀର ଲୋକନାଥ ରୋଡ ସ୍ଥିତ ଗଦାଧର ହାଇସ୍କୁଲ ନିକଟବର୍ତ୍ତୀ ଏକ ସ୍ଥାନ ଚିହ୍ନଟ ହୋଇଛି । ଗୋଟିଏ ଜାଗାରେ ମଠ ଗୁଡ଼ିକର ବିଜେସ୍ଥଳୀ ରହିଲେ ଭକ୍ତମାନଙ୍କୁ ଦର୍ଶନ ଏବଂ ସେବା ପୂଜା ପାଇଁ ସୁବିଧା ହେବ । ଏହାକୁ ନେଇ ଦେବୋତ୍ତର କମିସନଙ୍କ ସହ ଦୁଇ ଥର ବୈଠକ ମଧ୍ୟ ହୋଇଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

Also read: ଘରୋଇ ବସର ମନମାନି, ଯାତ୍ରୀଙ୍କଠୁ ଧାର୍ଯ୍ୟ ଦର ଠାରୁ ନେଉଛନ୍ତି ଅଧିକ ଭଡ଼ା

ଗତ ୨୦୨୪ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହୋଇଥିଲା । ଏହି ପ୍ରକଳ୍ପ ପାଇଁ ଶ୍ରୀମନ୍ଦିର ଆଖପାଖରେ ଥିବା ଅନେକ ମଠମନ୍ଦିରକୁ ଭାଙ୍ଗି ଦେଇଥିଲେ ତତ୍କାଳୀନ ସରକାର ।  ସମୁଦାୟ ୧୫.୬୪ ଏକର ଜମିରେ ଏହି ପ୍ରକଳ୍ପ ନିର୍ମାଣ ହୋଇଛି ।  ୮୦୦ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ଲୋକାର୍ପିତ ହୋଇଥିଲା । କିନ୍ତୁ ଏଥିପାଇଁ ଅନେକ ପୁରାତନ ମଠ ଓ ମନ୍ଦିର ଗୁଡ଼ିକୁ ମାଟିରେ ମିଶାଇ ଦିଆଯାଇଥିଲା । ଏହା ଭିତରେ ଥିଲା ପୁରାତନ ଏମଆର ମଠ, ମଙ୍ଗୁ ମଠ, ବଡ଼ଛତା ମଠ, ସାନଛତା ମଠ, ଉତ୍ତରପାର୍ଶ୍ବ ମଠ, ରାଧାବଲ୍ଲଭ ମଠ, ନଙ୍ଗୁଳି ମଠ ସହ ଅନେକ ମଠଗୁଡ଼ିକୁ ଭାଙ୍ଗିଦିଆଯାଇଥିଲା ।   


ଏବେ ସେହି ସବୁ ମଠ ମନ୍ଦିର ଗୁଡ଼ିକୁ ପୁନଃର୍ବାସ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର । ଏଥିପାଇଁ ବିଧିବଦ୍ଧ ଭାବରେ ଜାଗା ଚିହ୍ନଟ ହୋଇ ସାରିଛି ।  ଭକ୍ତମାନଙ୍କ ପୂଜାବିଧି ସୁବିଧାକୁ ଦୃଷ୍ଟିରେ ରଖି ମଠ ଓ ମନ୍ଦିର ନିର୍ମାଣ କରାଯିବ । ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପାଇଁ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ପୁରାତନ ମଠ ଓ ମନ୍ଦିରଗୁଡ଼ିକୁ ଭଙ୍ଗା ଯାଇଥିଲା । ଯାହାକୁ ନେଇ ସେତେବେଳେ ବିଭିନ୍ନ ମହଲରେ ଅସନ୍ତୋଷ ସାମ୍ନାକୁ ଆସିଥିଲା । ହେଲେ ଏବେ ମୋହନ ସରକାରଙ୍କ ମଠ ମନ୍ଦିର ପୁନଃର୍ବାସ ନିଷ୍ପତି ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.